ଦାମଙ୍କ ବିଜୁ ସମତା କ୍ରାନ୍ତି ଦଳରେ ବହୁ ନେତା ସାମିଲ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡିରୁ ବହିସ୍କୃତ ନେତା ଡାକ୍ତର ଦାମୋଦର ରାଉତ ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱାଧୀନ ସମତାକ୍ରାନ୍ତି ଦଳରେ ଯୋଗ ଦେଇଥିବା ବିଧିବଦ୍ଧ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି | ହୋଟେଲ କଳିଙ୍ଗ ଅଶୋକ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜ କିଶୋର ତ୍ରିପାଠୀ, ଯଜ୍ଞାଶ୍ୱର ବାବୁ, ଯୁବ ସମତା ସଭାପତି ଇଂଜିନିୟର ସାରଦା ପ୍ରସାଦ ସ୍ୱାଇଁ, କୃଷକ ସମତା ସଭାପତି ପ୍ରଭାସ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ | ଦଳରେ ଡାକ୍ତର ରାଉତ ଯୋଗ ଦେବା ପରେ ତାଙ୍କୁ ଦଳର ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିବା ବ୍ରଜ କିଶୋର ତ୍ରିପାଠୀ ଘୋଷଣା କରିଛନ୍ତି | ଏଥି ସହିତ ଡାକ୍ତର ରାଉତଙ୍କ ପରାମର୍ଶକ୍ରମେ ସମତାକ୍ରାନ୍ତି ଦଳକୁ ବିଜୁ ସମତାକ୍ରାନ୍ତି ଦଳ ଭାବେ ନାମିତ କରିବା ପାଇଁ ଦଳ ସର୍ବ ସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି | ଦଳରେ ଯୋଗଦେବା ପରେ ଡାକ୍ତର ରାଉତ ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ପୋଲ ଖୋଲିବା ପାଇଁ ଚେଷ୍ଟା କରିଥିଲେ | ସେ କହିଥିଲେ ଯେ, ବର୍ତ୍ତମାନ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ କୁଶାସନ ବିଷ ବଳୟ ଭିତରେ ରାଜ୍ୟବାସୀ ଅଣ ନିଶ୍ୱାସୀ ହେବାରେ ଲାଗିଛନ୍ତି | ଅପରପକ୍ଷରେ ଦୁଇଟି ରାଜନୈତିକ ଦଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟର ଦକ୍ଷିଣାଞ୍ଚଳରେ ପୋଲଭରମ ପ୍ରକଳ୍ପ, ପଶ୍ଚିମାଞ୍ଚଳରେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ଏବଂ ଉତ୍ତର ପଶ୍ଚିମ ଅଞ୍ଚଳରେ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଏକତରଫା ପ୍ରକଳ୍ପ ନିର୍ମାଣକୁ ସମର୍ଥନ କରି ଚାଲିଛନ୍ତି | ଦାମ କହିଛନ୍ତି ଯେ, ଓଡ଼ିଆ ଜାତିର ଗୌରବ ବିଜୁ ବାବୁଙ୍କ ପୁଅ ହୋଇ ବିଗତ ୨୧ ବର୍ଷ ଭିତରେ ନବୀନ ପଟ୍ଟନାୟକ ଓଡ଼ିଆ କହି ନ ଜାଣିବା ଦୁର୍ଭାଗ୍ୟର ବିଷୟ | ନବୀନ ସରକାର ଦୁର୍ନୀତିରେ ଲିପ୍ତ ଥିବାନେଇ ଏକ ଲମ୍ବା ତାଲିକା ଦାମ ଉପସ୍ଥାପନା କରିଥିଲେ | ବିଜୁ ସମତାକ୍ରାନ୍ତି ଦଳ ସହିତ ବହୁ ସମଭାବାପନ୍ନ ରାଜନୈତିକ ଦଳ ଯୋଗ ଦେବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ | ଏ ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଟାର୍ଗେଟ କରିବାକୁ ପଛାଇ ନଥିଲେ | ଡାକ୍ତର ରାଉତ କହିଥିଲେ ଯେ, ଓଡିଶାର ପୂର୍ବତନ ପୋଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର ଅତି ଶୀଘ୍ର ତାଙ୍କ ଦଳରେ ସାମିଲ ହେବେ |

ରିପୋର୍ଟ : ଆକାଶ ମିଶ୍ର