ଦିଗପହଣ୍ଡିରେ ବେଆଇନ ନିଶା କାରବାର: ଅବକାରୀ ଛାଡୁଛି, ପୋଲିସ ଧରୁଛି !…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗତ କିଛି ଦିନ ହେଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ମଦ ବିକ୍ରୀ ଆଡ୍ଡା ମାନଙ୍କରେ ପୋଲିସର କ୍ରମାଗତ ଛାପା ମରାଯାଇ ଅନେକ ଜବତ ଏବଂ ବିକ୍ରେତା ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବେଆଇନ ମଦ ଦୋକାନ ମାନଙ୍କରେ ଧରପଗଡ କରାଯାଇ ବିପୁଳ ପରିମାଣର ଜବତ କରାଯିବା ସହିତ ୧୦ରୁ ଉର୍ଦ୍ଧ୍ଵ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଅବକାରୀ ଆଇନ ଉଲଂଘନ ଓଡିଶା ପ୍ରକାରେ ଦିଗପହଣ୍ଡି ଥାନାରେ ଗତ ଏକ ସପ୍ତାହ ମଧ୍ୟରେ ୧୦ରୁ ଉର୍ଦ୍ଧ୍ଵ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜାଣିବାକୁ ମିଳିଛି । ତେବେ ଦିଗପହଣ୍ଡି ଅବକାରୀ ବିଭାଗ ଏଥିପ୍ରତି କିଭଳି ସୂଚନା ପାଇନଥିଲେ ସେ ନେଇ ସାଧାରଣରେ ନାନା ସମାଲୋଚନା ସୃଷ୍ଟି କରିଛି । ଦିଗପହଣ୍ଡି ବସଷ୍ଟାଣ୍ଡ୍ ମୁଖ୍ୟ ରାସ୍ତାରେ ଥିବା ଏକ ଦୋକାନ ମଧ୍ୟରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରାଯିବା ପରେ ଦିଗପହଣ୍ଡି ଥାନା ଅଞ୍ଚଳର ଡେଙ୍ଗାଓସ୍ତା ଏବଂ ବିଭିନ୍ନ ସ୍ଥାନରୁ ଦେଶୀ ବିଦେଶୀ ବିଭିନ୍ନ ବ୍ରାଣ୍ଡ୍ ର ମଦ ପୋଲିସ ପକ୍ଷରୁ ଚଢାଉ କରାଯିବାକୁ ନେଇ ଅବକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଦିଗପହଣ୍ଡି ସହରରେ ରହିିଥିବା ଅବକାରୀ ବିଭାଗୀୟ କାର୍ଯ୍ୟାଳୟ ଭଡା ସୂତ୍ରରେ ଚାଲିଥିବା ବେଳେ ଅବକାରୀ ବିଭାଗର ନିଜସ୍ୱ କାର୍ଯ୍ୟାଳୟ ନାହିଁ । ସେହିପରି କାର୍ଯ୍ୟାଳୟଟି ଏକ କେନାଲ ହୁଡା ପାଶ୍ୱର୍ରେ ରହିଥିବାରୁ ଯାତାୟତ ପାଇଁ ସେଭଳି ପକ୍କା ରାସ୍ତା ମଧ୍ୟ ନାହିଁ । ସମ୍ପ୍ରତ୍ତି ବର୍ଷା ହୋଇଯାଇଥିବାରୁ ଉକ୍ତ ରାସ୍ତା ଏବେ କାଦ ପଚପଚରେ ଭର୍ତ୍ତି । ଏଭଳି ବିଭିନ୍ନ ପ୍ରକାର କାରଣ ବିଭାଗୀୟ କର୍ତ୍ତୃପକ୍ଷ ଏବଂ କର୍ମଚାରୀ ମାନଙ୍କୁ ସୁହାଉଥିବାରୁ ଅନ୍ୟତ୍ର କେଉଁଠି ସ୍ଥାନାନ୍ତର କିମ୍ବା ନିଜସ୍ୱ କୋଠା ନିର୍ମାଣ କରିବା ପାଇଁ କେହି ମନଧ୍ୟାନ ଦେଉନଥିବା ଶୁଣିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଅବକାରୀ ବିଭାଗ ପକ୍ଷରୁ ଗତ ଏକ ମାସ ମଧ୍ୟରେ କେବଳ ହାତ ଗଣତି କିଛି କେସ୍ କଟାଯାଇଥିବା ବେଳେ ଆଖି ଦୃଷ୍ଟିଆ ଧରପଗଡ କରାଯାଇନାହିଁ । ସେହିପରି ଧରପଗଡ ହେଲେ ମଧ୍ୟ କେବଳ ଔପଚାରିକତା ଦୃଷ୍ଟିରୁ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଦେଶୀ ମହୁଲ ଭାଟି ମାନଙ୍କରେ ଚଢାଉ କରାଯାଇ କେବଳ ପୋଚ ଆଦି ଜବତ କିମ୍ବା ନଷ୍ଟ କରାଯାଉଥିବା ବେଳେ ବେଆଇନ ବିଦେଶୀ ମଦ କାରବାର ଉପରେ ରୋକ ଲଗାଇବାରେ କର୍ତ୍ତୃପକ୍ଷ ବିଫଳ ହେଉଥିବା ସମାଲୋଚନା ହେଉଛି । ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ତହସିଲ ଅଞ୍ଚଳରେ ବେଆନ ଭାବେ ନିଶା କାରବାର ହେଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଗୁରୂତ୍ୱାରୋପ ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜାଣିବାକୁ ମିଳିଛି । ପ୍ରତି ମାସରେ ଥାନା ପୋଲିସ ପକ୍ଷରୁ ଅନୁନ୍ୟ ୧୦ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ଅବକାରୀ ବିଭାଗର ବାର୍ଷିକ ମାମଲା ସଂଖ୍ୟା ପରଖିଲେ ମାସିକ କେତେ ମାମଲା ରୁଜୁ ହୋଇଛି ତାହା ବେଶ୍ ଅନୁମେୟ । ସୂଚନାଯୋଗ୍ୟଯେ, ଗତ ମଇ ମାସରେ ସାହାସପୁର ଗ୍ରାମରେ ଚାଲିଥିବା ବେଆଇନ ବିଦେଶୀ ମଦ ପ୍ରସ୍ତୁତ କାରଖାନା ଏବଂ ବେଆଇନ ଦେଶୀ ବିଦେଶୀ ମଦ ବିକ୍ରୀ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ସହ ଅବକାରୀ ଅଧିକ୍ଷକଙ୍କୁ ଅଭିଯୋଗ କରାଯିବା ପରେ ଅବକାରୀ ଗୁଇନ୍ଦା ପକ୍ଷରୁ ଚଢାଉ କରାଯିବା ପରେ ଚଢାଉରେ ଦିଗପହଣ୍ଡି ଅବକାରୀ ବିଭାଗ ଖବର ପାଇ ପରେ ସାମିଲ ହୋଇଥିଲେ । ସେହିପରି ଗତ ଦୁଇ ବର୍ଷ ପୂର୍ବେ ପୁଡାମାରୀ ଠାରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି ସମ୍ପର୍କରେ କଟକ ସ୍ଥିତ ଅବକାରୀ ଗୁଇନ୍ଦା ବିଭାଗ ଏବଂ ଅବକାରୀ ଅଧିକ୍ଷକ ଏବଂ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପିଟିସନ୍ ହେବା ପରେ ସେମାନଙ୍କ ପକ୍ଷରୁ ଚଢାଉ ସିନା ହୋଇଥିଲା ହେଲେ ଦିଗପହଣ୍ଡି ଅବକାରୀ ବିଭାଗୀୟ କର୍ମଚାରୀ ମାନଙ୍କ ନିକଟରେ ଖବର ବିଳମ୍ବରେ ପହଞ୍ଚିଥିଲା । ବିଭିନ୍ନ କାରଣରୁ ଲୋକେ ବେଆଇନ ନିଶା କାରବାର ସମ୍ପର୍କରେ ଅବଗତ ହେଲେ ମଧ୍ୟ ଦିଗପହଣ୍ଡି ଅବକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଖବର ଦେବାରେ ପଛଘୁଞ୍ଚା ହେଉଛନ୍ତି । ତେବେ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଥାନା ପୋଲିସକୁ ଖବର ଦେଲେ ଶତ ପ୍ରତିଶତ ଫଳାଫଳ ମିଳୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ସମ୍ପ୍ରତ୍ତି ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ନେଇ ପୋଲିସ ଗୁରୂତ୍ୱାରୋପ ଦେଇ ବେଆଇନ ନିଶା କାରାବାରକୁ ରୋକ୍ ଲଗାଇବା ନେଇ ପ୍ରଥମ ଲକ୍ଷ୍ୟ ରଖିଥିବା ବେଳେ ଅବକାରୀ ବିଭାଗ ସୁପ୍ତ ପ୍ରାୟ ରହିଥିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଅବକାରୀ କାର୍ଯ୍ୟ ପୋଲିସ କରିବା ବେଳେ ପୋଲିସକୁ ମଧ୍ୟ ଅଜଥା ଝିଞ୍ଜଟର ସମ୍ମୁଖୀନ ହେବାକୁ ପଡୁଛି । ଏଭଳି ସ୍ଥଳରେ ଅବକାରୀ ବିଭାଗ ନିଜ ନିଜ କାର୍ଯ୍ୟ ସଠିକ୍ ଭାବେ କରିଲେ ପୋଲିସକୁ ଅବକାରୀ ଧରପଗଡ କରିବାର ଆବଶ୍ୟକତା ପଡିବ ନାହିଁ ବୋଲି ଆଲୋଚନା ହେଉଛି । ପାର୍ବଣ ଋତୁରେ ମୁନାଫା ପାଇବା ଆଶାରେ ବେଆଇନ ମଦ ବିକ୍ରୀ କରୁଥିବା ବ୍ୟକ୍ତି ବିଶେଷ ମାନେ ଅବକାରୀ ବିଭାଗକୁ ହାତ ଗୁଞ୍ଜା ଦେଇ ନିଶା କାରାବାର ଚଳାଉଥିବା ବେଳେ ପୋଲିସର ଛାପା ମାରିବା ଏବେ ସେମାନଙ୍କ ପାଇଁ କାଳ ସଦୃଶ ହୋଇଯାଇଛି । ଦିଗପହଣ୍ଡି, ବ୍ରହ୍ମପୁର, ଶେରଗଡ ଆଦି ଅଞ୍ଚଳରେ ରହିଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ମାନଙ୍କରୁ ମଦ ନେଇ ଗାଁ ଗହଳିରେ ଥିବା ଫାଷ୍ଟ୍ ଫୁଡ୍ ସେଣ୍ଟର୍ ଏବଂ ଦିଗପହଣ୍ଡି ରାୟଗଡା ମୁଖ୍ୟ ରାସ୍ତାରେ ରହିଥିବା ବିଭିନ୍ନ ଢାବା ହୋଟେଲ୍ ମାନଙ୍କରେ ବେଆଇନ ଭାବେ ଦୈନିକ ବିଦେଶୀ ମଦ ବିକ୍ରୀ କରାଯାଉଥିବା ନଜର୍ ରହିଛି । ତେବେ ବେଆଇନ ମଦ ବିକ୍ରୀ ପାଇଁ ଚାଲାଣ ସମୟରେ କିଭଳି ଅବକାରୀ ବିଭାଗ ଖବର ପାଇ ଧରୁନଥିବା ବେଳେ କେବଳ ଗଞ୍ଜେଇ ଚାଲାଣର ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତଙ୍କୁ ଗିରଫ କରିଦେଉଛନ୍ତି ସେନେଇ ସାଧାରଣରେ ନାନା ସମାଲୋଚନା ଜୋର୍ ଧରିଛି । ଦିଗପହଣ୍ଡି ଅବକାରୀ ବିଭାଗୀୟ କାର୍ଯ୍ୟାଳୟକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଦ ପଡିଲେ ଦିଗପହଣ୍ଡି ଅବକାରୀ ବିଭାଗୀୟ କାର୍ଯ୍ୟାଳୟର ଉତ୍ତୋରତ୍ତର ଉନ୍ନତି ହେବା ସହ ବେଆଇନ ନିଶା କାରବାର ଉପରେ ଅବକାରୀ ପକ୍ଷରୁ ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା