ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରହିଥିବା ୨୩୦ ଗୋଟି ବୁଥରେ ଶାନ୍ତିଶୃଙ୍ଖଳାରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ମତଦାନ ସାବ୍ୟସ୍ତ ଶେଷ ହୋଇଯାଇଛି । କାଁ ଭାଁ କିଛି ପୋଲିଂ ବୁଥରେ ଇଭିଏମ୍ ସହିତ ରହିଥିବା ଭି.ଭି.ପ୍ୟାଡରେ ପ୍ରିଣ୍ଟର ଖରାପ ରହିଥିବା ହେତୁ ମତଦାନ ବିଳମ୍ବିତକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ଉତ୍ତେଜନା ଲାଗି ରହିଥିବା ବୁଥ୍ ଗୁଡିକରେ ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁଙ୍କ ସମେତ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ପ୍ରକାଶ ଯେ, ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶାନୁଯାୟୀ ଗୁରୁବାର ସକାଳ ୭ ଘଣ୍ଟ ସମୟରୁ ସମସ୍ତ ପୋଲିଂ ବୁଥ୍ ଗୁଡିକରେ ମତଦାନ କାର୍ଯ୍ୟାରମ୍ଭ କରାଯାଇଥିଲା । ଦିଗପହଣ୍ଡି ସହରରେ ରହିଥିବା ୫ ଗୋଟି ଆଦର୍ଶ ବୁଥ୍ ଗୁଡିକରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ଥ କରାଯାଇଥିଲା । ସେଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ୱିଲ୍ ଚେୟାର୍, ଭୋଟରମାନଙ୍କ ପାଇଁ ପାନୀୟ ଜଳ, ଥଣ୍ଡା ମୃଦୁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରକାର ବନ୍ଦୋବସ୍ଥ କରାଯାଇଥିଲା । ତଥାପି ମତଦାନ ହ୍ରାସକୁ ନେଇ ଏବେ ବିଭିନ୍ନ ପ୍ରକାର ସମାଲୋଚନା ହେଉଛି । ସନ୍ଧ୍ୟା ୫ ଘଣ୍ଟ ସୁଦ୍ଧା ସମୁଦାୟ ୫୨.୮୦ ପ୍ରତିଶତ ଭୋଟର ମତଦାନ ସାବ୍ୟସ୍ତ କରାଯାଇଥିବା ବିଭିଗୀୟ ଦପ୍ତରରୁ ପ୍ରକାଶ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ଲକ୍ଷ ୧୪ ହଜାର ୨୧୭ ଭୋଟର ରହିଥିବା ବେଳେ ସନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ସମୁଦାୟ ୧ ଲକ୍ଷ ୧୩ ହଜାର ୧୧୪ ଭୋଟର ମତଦାନ ସାବ୍ୟସ୍ତ କରିଥିବା ଜଣାପଡିଛି । ପୂର୍ବାହ୍ନ ୯ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ଯାଏଁ ୫୮ ହଜାର ୩୧୬ ସମୁଦାୟ ୨୭.୨୨ ପ୍ରତିଶତ ମତଦାନ ଗ୍ରହଣ ଚାଲିଥିବା ବେଳେ ଅପରାହ୍ନ ୫ ଘଣ୍ଟା ଯାଏଁ ସମୁଦାୟ ୫୨.୮୦ ପ୍ରତିଶତ ମଦତାନ ରେକର୍ଡ କରାଯାଇଥିବା ଜଣାଯାଇଛି । ପୂର୍ବାହ୍ନରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମତଦାନ ଧିମେଇ ଯାଇଥିବା ବେଳେ ଅପରାହ୍ନରେ ସାମାନ୍ୟ କୋହଲିଆ ପାଗ ସାଙ୍ଗକୁ ବର୍ଷା ହେବାରୁ ଭୋଟରମାନଙ୍କ ସଂଖ୍ୟା ପୋଲିଂ ବୁଥରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା । ତେବେ ବର୍ଷା ଯୋଗୁଁ କବିସୂର୍ଯ୍ୟବିଦ୍ୟାପୀଠ ସ୍ଥିତ ପୋଲିଂ ବୁଥରେ ଭୋଟରଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳେ ବର୍ଷା ଯୋଗୁଁ ଘର ବାହୁଡା ହୋଇଯାଇଥିବା ଜାଣିବାକୁ ମିଲିଛି । ଦିଗପହଣ୍ଡି ସହର ସ୍ଥିତ ୩୫ନଂ ଏବଂ ୩୯ ନଂ ପୋଲିଂ ବୁଥରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ୩୫ନଂ ପୋଲିଂ ବୁଥରେ ପୂର୍ବାହ୍ନରେ ମତଦାନ ଆରମ୍ଭ ହେବା ସମୟରେ ଟ୍ରାଏଲ୍ ପୋଲିଂ କରାଯାଉଥିବା ସମୟରେ ମେସିନ୍ ଖରାପ ରହିଥିବା ହେତୁ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ମତଦାନ ଗ୍ରହଣ । ବାହାରେ ଭୋଟ ଦେବାକୁ ଅପେକ୍ଷା କରି ଧାଡି ବାନ୍ଧିଥିବା ଭୋଟର ମାନେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ପ୍ରଶାସନର ବୁଝା ସୁଝା ପରେ ପରିସ୍ଥିତିରେ ଶାନ୍ତ ପଡିଥିଲା । ସେହି ପରି ଦିଗପହଣ୍ଡି ଅଞ୍ଚଳ କଲୋନୀ ସ୍ଥିତ ୩୯ନଂ ପୋଲିଂ ବୁଥରେ ସନ୍ଧ୍ୟା ୫ଘଣ୍ଟା ୫୦ ମିନଟେ ସମୟରେ ଇଭିଏମ୍ ଖରାପ ହୋଇଯାଇଥିଲା । ଭିଭିପ୍ୟାଡ୍ ପ୍ରିଣ୍ଟର ମେସିନ୍ ଅଚଳ ହୋଇଯାଇଥିବା ହେତୁ ପୁନଶ୍ଚ ସଂଯୋଗ ପାଇଁ ସମୟ ସାପେକ୍ଷ ହୋଇଥିଲା । ମତଦାନରୁ ବଞ୍ଚିତ ହୋଇଯିବା ଆଶଙ୍କା ଏବଂ ମେସିନ୍ ଅଚଳାବସ୍ଥାକୁ ନେଇ କିଛି ସମୟ ଧରି ଉତ୍ତେଜନା ପରିଲଖିତ ହୋଇଥିଲା । ପରବର୍ତ୍ତୀ ସମୟରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା । ନୂତନ ଭିଭିପ୍ୟାଡ୍ ସଂଯୋଗ କରି ସେଥିରେ ମତଦାନ ଗ୍ରହଣ କରାଯାଇଥିଲା । ଭୋଟରମାନଙ୍କୁ ଆକୃଷ୍ଟ କରିବା ଏବଂ ସେମାନଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ଦିଗପହଣ୍ଡି ସହରର ନୋଡାଲ୍ ସେଣ୍ଟର ତଥା ଆଦର୍ଶ ପୁଲିଂ ବୁଥ୍ ବଡଖେମୁଣ୍ଡି ହାଇସ୍କୁଲରେ ଏନସିସି କ୍ୟାଡର୍ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ବନ୍ଦୋବସ୍ଥ କରାଯାଇଥିବା ଦେଖିବାକୁ ମିଳିଥିଲା । ସମସ୍ତ ୫ ଗୋଟି ଆଦର୍ଶ ପୁଲିଂ ବୁଥରେ ଏନସିସି ଅଫିସର୍ ଏମ.ଗୌରାଙ୍ଗଙ୍କ ତତ୍ତ୍ୱାବଧାନରେ ୧୫ ଜଣିଆ ଏନସିସି କ୍ୟାଡର୍ ମାନଙ୍କ ଦ୍ୱାରା ଭିଡ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା ଆଦି କରାଯିବା ସହିତ ଦିବ୍ୟାଙ୍ଗ ଭୋଟରଙ୍କୁ ପୁଲିଂ ବୁଥକୁ ନେବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଭୋଟରମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ଦିଗପହଣ୍ଡି ସହରର ବଡଖେମୁଣ୍ଡି ହାଇସ୍କୁଲକୁ ନୋଡାଲ୍ ପୁଲିଂ ସେଣ୍ଟର କରାଯାଇଥିବା ବେଳେ ସେଠାରେ ଅନବରତ ବିଦ୍ୟୁତ୍ ସେବା ଯୋଗାଇଦେବାର ବନ୍ଦୋବସ୍ତ କରାଯାଇଥିଲା । ହେଲେ ଅପରାହ୍ନ ୪ ଘଣ୍ଟ ସମୟରେ ହଠାତ୍ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଯାଇଥିଲା । ଜେନେରେଟର କିମ୍ବା ଇନଭର୍ଟର ଭଳି ବିକଳ୍ପ ଉତ୍ସର ବ୍ୟବସ୍ଥା ନ ଥିବାରୁ ଭୋଟରମାନେ ମୋବାଇଲ ଲାଇଟ୍ ଆଲୁଅରେ ଧାଡି ବାନ୍ଧି ରହିବା ସହିତ ବୁଥରେ ମତଦାନ ଗ୍ରହଣ କରିଥିଲେ । ଯାହାକୁ ନେଇ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ପରିଲକ୍ଷିତ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା