
ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଶେଷ ହୋଇ ଏଥର ବିଜେପିର ବିପୁଳ ବିଜୟ ହୋଇଥିବା ବେଳେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟ ରଖିଥିବା ଆପ୍କୁ ଲାଗିଛି ବଡ଼ ଝଟକା। ଖବର ଲେଖାଯିବା ସୁଦ୍ଧା ୭୦ଟି ବିଧାନସଭା ଆସନରୁ ବିଜେପି ୪୪ଟି ଆସନରେ ବିଜୟ ଲାଭ କରିସାରିଥିବା ବେଳେ ୪ଟିରେ ଆଗୁଆ ରହିଛି। ସେହିପରି ଆପ୍ ୨୦ଟି ଆସନରେ ଜିତିଥିବା ବେଳେ ୨ଟିରେ ଆଗୁଆ ରହିଛି। ଏଠାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ୩୬ ହୋଇଥିବା ବେଳେ ବିଜେପି ଏହାକୁ ହାସଲ କରିସାରିଲାଣି। ଅନ୍ୟପକ୍ଷରେ କଂଗ୍ରେସ ଖାତା ଖୋଲି ପାରି ନାହିଁ। ଆଉ ଏହା ଭିତରେ ଏକ ପ୍ରଶ୍ନ ଅନେକଙ୍କ ମନକୁ ଆସିଛି ଯେ କଂଗ୍ରେସକୁ ସାଥୀ କରି ଲଢ଼ିଥିଲେ ବିଜେପିର ବାଟ ଓଗାଳି ପାରିଥା’ନ୍ତା କି ଆପ୍ ବୋଲି ପ୍ରଶ୍ନ ଉଠିଛି ? ଏଭଳି ଏକ ପ୍ରଶ୍ନ ଉଠିବାର କାରଣ ହେଉଛି କେତେକ ଆସନରେ ବିଜୟୀ ବିଜେପି ପ୍ରାର୍ଥୀ ଓ ପରାଜିତ ଆପ୍ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ଭୋଟ୍ ବ୍ୟବଧାନ। ଉଦାହରଣ ସ୍ୱରୁପ ନୂଆଦିଲ୍ଲୀ ଆସନକୁ ନିଆଯାଉ। ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ ଖୋଦ୍ ଆପ୍ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ପରାସ୍ତ ହୋଇଛନ୍ତି। କେଜ୍ରିୱାଲ ୨୫,୯୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜୟ ପ୍ରାର୍ଥୀ ବିଜେପିର ପ୍ରଭେଶ ସାହିବ ସିଂହ ବର୍ମା ୩୦,୦୮୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅର୍ଥାତ୍ କେଜ୍ରିୱାଲ ୪୦୮୯ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦିକ୍ଷୀତ (ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦିକ୍ଷୀତଙ୍କ ପୁଅ) ୪୫୬୮ ଖଣ୍ଡ ଭୋଟ୍ ପାଇଛନ୍ତି। ଯଦି ଆପ୍ ଓ କଂଗ୍ରେସ ମିଳିତ ଭାବେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରାର୍ଥୀ କରିଥାଆନ୍ତେ, ତା’ହେଲେ କିଛି ଫରକ ପଡ଼ିଥାଆନ୍ତା କି? ବିଜେପିର ପ୍ରଭେଶ ସାହିବ ସିଂହ ବର୍ମା ଜିତିପାରିଥା’ନ୍ତେ କି? ସେହିପରି ଆପ୍ର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ପରାସ୍ତ ହୋଇଛନ୍ତି। ସେ ଜଙ୍ଗପୁରା ଆସନରୁ ପରାସ୍ତ ହୋଇଛନ୍ତି। ସେ ୩୮,୧୮୪ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ତରଭିନ୍ଦର ସିଂହ ମରୱା ୩୮,୮୫୯ ଖଣ୍ଡ ଭୋଟ୍ ପାଇଛନ୍ତି। ଅର୍ଥାତ୍ ମାତ୍ର ୬୭୫ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଛନ୍ତି ମନୀଷ ସିସୋଦିଆ। ଅନ୍ୟପକ୍ଷରେ ଏଠାରୁ କଂଗ୍ରେସ ଫରହଦ ସୁରୀଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୩୫୦ ଖଣ୍ଡ ଭୋଟ୍ ପାଇଛନ୍ତି। ଯଦି ମନୀଷ ଓ ଫରହଦଙ୍କ ଭୋଟ୍କୁ ମିଶାଇ ଦିଆଯାଏ, ତା’ହେଲେ ୪୫,୫୩୪ ହେଉଛି। ଅର୍ଥାତ୍ ବିଜେପି ପ୍ରାର୍ଥୀ ତରଭିନ୍ଦର ସିଂହ ମରୱା ପାଇଥିବା ଭୋଟ୍ ଠାରୁ ୬୬୭୫ ଖଣ୍ଡ ଅଧିକ ହେଉଛି। ଏଣୁ ଏହାକୁ ଦେଖିଲେ ଲାଗୁଛି ଏହି ଆସନରେ ଆପ୍ ଓ କଂଗ୍ରେସ ମିଳିତ ଭାବେ ମନୀଷଙ୍କୁ ପ୍ରାର୍ଥୀ କରିଥିଲେ ତରଭିନ୍ଦନ ଜିତି ପାରିଥା’ନ୍ତେ କି? ଆଉ ଗୋଟିଏ ଉଦାହରଣ ନିଆଯାଉ। ଗ୍ରେଟର କୈଳାସ ଆସନରେ ପରାସ୍ତ ହୋଇଛନ୍ତି ଜଣାଶୁଣା ଆପ୍ ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ। ସେ ଏହି ଆସନରେ ବିଜେପିର ଶିଖା ରୟଙ୍କଠାରୁ ପରାସ୍ତ ହୋଇଛନ୍ତି। ସୌରଭ ଭରଦ୍ୱାଜ ୪୬,୪୦୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଶିଖା ୪୯,୫୯୪ ଖଣ୍ଡ ଭୋଟ୍ ପାଇଛନ୍ତି। ଅର୍ଥାତ୍ ସୌରଭ ଭରଦ୍ୱାଜ ମାତ୍ର ୩୧୮୮ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଛନ୍ତି। ଏହି ଆସନରେ ମଧ୍ୟ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି। ଦଳୀୟ ପ୍ରାର୍ଥୀ ଗର୍ବିତ ସିଂଘଭି ୬୭୧୧ ଖଣ୍ଡ ଭୋଟ୍ ପାଇଛନ୍ତି। ଯଦି ସୌରଭ ଭରଦ୍ୱାଜ ଓ ଗର୍ବିତ ସିଂଘଭିଙ୍କ ଭୋଟ୍କୁ ମିଶାଇ ଦିଆଯିବ, ତାହା ବିଜେପିର ଶିଖା ରୟ ପାଇଥିବା ଭୋଟ୍ ଠାରୁ ୩୫୨୩ ଖଣ୍ଡ ଅଧିକ ହେବ। ତେଣୁ ଏହି ଆସନର ଫଳାଫଳ ଆସିବା ପରେ ମଧ୍ୟ ସମାନ ପ୍ରଶ୍ନ ମନକୁ ଆସିଛି ଯେ ଆପ୍ ଓ କଂଗ୍ରେସ ମିଳିତ ଭାବେ ସୌରଭ ଭରଦ୍ୱାଜଙ୍କୁ ପ୍ରାର୍ଥୀ କରିଥିଲେ ଶିଖା ରୟ ଜିତିପାରିଥା’ନ୍ତେ କି? ସଂଗ୍ରାମ ବିହାର ବିଧାନସଭା ଆସନରେ ବିଜେପି ନେତା ଚନ୍ଦନ କୁମାର ଚୌଧୁରୀ ବିଜୟୀ ହୋଇଛନ୍ତି। ସେ ୫୪,୦୪୯ ଖଣ୍ଡ ଭୋଟ୍ ପାଇଛନ୍ତି। ଏଠାରେ ପରାସ୍ତ ହୋଇଥିବା ଆପ୍ ପ୍ରାର୍ଥୀ ଦୀନେଶ ମୋହନିୟା ୫୩,୭୦୫ ଖଣ୍ଡ ଭୋଟ୍ ପାଇଛନ୍ତି। ଦୀନେଶ ମାତ୍ର ୩୪୪ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଆସନରେ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ହର୍ଷ ଚୌଧୁରୀ ୧୫,୮୬୩ ଖଣ୍ଡ ଭୋଟ୍ ପାଇଛନ୍ତି। ହୁଏତ ଆପ୍ ଓ କଂଗ୍ରେସ ମିଳିତ ଭାବେ ଏହି ଆସନରେ ଦୀନେଶ ଅବା ହର୍ଷଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିଥିଲେ, ବିଜେପି ପ୍ରାର୍ଥୀ ଚନ୍ଦନ କୁମାର ଚୌଧୁରୀ କ’ଣ ବିଜୟୀ ହୋଇଥା’ନ୍ତେ ବୋଲି ପ୍ରଶ୍ନ ଉଠିଛି। ତେବେ ୭୦ଟି ଯାକ ବିଧାନସଭା ଆସନର ଫଳାଫଳକୁ ତର୍ଜମା କଲେ ଜଣାପଡ଼ିବ ଯେ ଯଦି ଆପ୍ ଓ କଂଗ୍ରେସ ମିଳିତ ଭାବେ ଏହି ନିର୍ବାଚନ ଲଢ଼ିଥା’ନ୍ତେ, ତା’ହେଲେ ଫଳାଫଳ କିଛି ଅଲଗା ହୋଇଥା’ନ୍ତା ନା ନାହିଁ। ଅବଶ୍ୟ ସେମାନେ ମିଳିତ ଭାବେ ଲଢ଼ିଥିଲେ, କେଉଁମାନଙ୍କୁ କେଉଁଠାରେ ପ୍ରାର୍ଥୀ କରିଥା’ନ୍ତେ ଓ ଭୋଟର ସେମାନଙ୍କୁ ପସନ୍ଦ କରିଥା’ନ୍ତେ କି ନାହିଁ, ତାହା ଭିନ୍ନ ଏକ କଥା। ତେବେ ମେଣ୍ଟ ନ କରି ଅଲଗା ଅଲଗା ଲଢ଼ିବା ଉଭୟ କଂଗ୍ରେସ ଓ ଆପ୍କୁ ମହଙ୍ଗା ପଡ଼ିଛି ବୋଲି କୁହାଯାଉଛି। ଏହି ସନ୍ଦର୍ଭରେ ଏଠାରେ ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପ୍ରତିକ୍ରିୟାକୁ ଉଲ୍ଲେଖ କରାଯାଇପାରେ। ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ସେ ଇଣ୍ଡି ମେଣ୍ଟର ସଦସ୍ୟ ଉଭୟ କଂଗ୍ରେସ ଓ ଆପ୍ ଉଦ୍ଦେଶ୍ୟରେ ‘ଏକ୍ସ’ରେ ଏକ ପ୍ରସିଦ୍ଧ ମେମେ ପୋଷ୍ଟ କରିଛନ୍ତି, ଯେଉଁଥିରେ କୁହାଯାଇଛି- ମନ ଭରି ଲଢ଼ ଓ ପରସ୍ପରକୁ ନଷ୍ଟ କରି ଦିଅ। ଓମାର ଅବଦୁଲ୍ଲା ବହୁ ପୂର୍ବରୁ କହିଥିଲେ ଯେ ଯଦି ଇଣ୍ଡି ବ୍ଲକ କେବଳ ଲୋକସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ, ତା’ହେଲେ ତାହା ନଷ୍ଟ ହୋଇଯିବ। ପରବର୍ତ୍ତୀ ସମୟରେ ତାଙ୍କ କଥା ସତ ହେଲା। ଉଭୟ ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଓ କଂଗ୍ରେସ ଅଲଗା ଅଲଗା ଲଢ଼ିଥିଲେ। ଆଉ ଉଭୟ ରାଜ୍ୟରେ ସେମାନେ ପରାସ୍ତ ହେଲେ। ହରିୟାଣା ବିଧାନସଭା ନିର୍ବାଚନ ବେଳେ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇନପାରିବାରୁ ସେମାନେ ପୃଥକ ପୃଥକ ଲଢ଼ିଥିଲେ। ଦିଲ୍ଲୀ ନିର୍ବାଚନ ପାଇଁ ସେତେ ବାଟ କଥା ଯାଇ ନଥିଲା। ଆପ୍ ଏକାକୀ ନିର୍ବାଚନ ଲଢ଼ିବ ବୋଲି ପ୍ରଥମେ ଘୋଷଣା କରି ଦେଇଥିଲା। ଯଦିଓ ଆପ୍ର ଏହି ପରାଜୟ ପଛରେ କଂଗ୍ରେସ ସହିତ ମେଣ୍ଟ ନ କରିବା ଏକମାତ୍ର କାରଣ ନୁହେଁ, ତଥାପି ଏହା କିଛି ମାତ୍ରାରେ ବିପର୍ଯ୍ୟୟ ରୋକି ପାରିଥା’ନ୍ତା ବୋଲି କୁହାଯାଉଛି। ଆପ୍ ନିର୍ବାଚନ ହାରିବା ପଛରେ ଅନେକ କାରଣ ରହିଛି। ଗୋଟିଏ ଦଶନ୍ଧି ତଳେ ଅରବିନ୍ଦ କେଜ୍ରିୱାଲ ଏକ ବ୍ରାଣ୍ଡ ଭାବେ ଉଭା ହୋଇଥିଲେ। କିନ୍ତୁ ତାହା ଅକ୍ଷୟ ହୋଇରହିପାରି ନଥିଲା। ସେହିପରି ତାଙ୍କ ସରକାର ଅମଳରେ ଗତ ୧୦ ବର୍ଷରେ ଦିଲ୍ଲୀରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଯଥେଷ୍ଟ ନଥିଲା। ତା’ ଉପରେ ପ୍ରଶ୍ନ ଉଠିଥିଲା। ଏନେଇ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଘେରିଥିଲେ। ଦୁର୍ନୀତି ଅନ୍ୟତମ ପ୍ରସଙ୍ଗ ଥିଲା। ଏହାକୁ ପ୍ରମୁଖ ମୁଦ୍ଦା କରିଥିଲା ବିଜେପି। ମଦ ଦୁର୍ନୀତି ମାମଲା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପ୍ରମୁଖ ଜେଲ୍ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଶୀଶ ମହଲ କଥାକୁ ବଡ଼ ପ୍ରସଙ୍ଗ କରିଥିଲା ବିଜେପି।ଫଳରେ କେଜ୍ରିୱାଲ ଓ ତାଙ୍କ ଦଳର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଥିଲା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୨୬ଟି ଦଳ ମିଶି ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ଟକ୍କର ଦେବାକୁ ଇଣ୍ଡି ମେଣ୍ଟ ଗଢ଼ିଥିଲେ। କିନ୍ତୁ ଲୋକସଭା ନିର୍ବାଚନ ପରେ ତାହା ଏକ ପ୍ରକାର ଦୁର୍ବଳ ପଡ଼ିଗଲା। ସେମାନେ ପରସ୍ପର ଭିତରେ ଲଢ଼ିଲେ। ଏହାର ସବୁଠୁ ବଡ଼ ପ୍ରମାଣ ହେଉଛି ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଓ କଂଗ୍ରେସ ପରସ୍ପର ବିରୋଧରେ ଲଢ଼ିବା। ଆପ୍ ଓ କଂଗ୍ରେସ ପରସ୍ପର ବିରୋଧରେ ଲଢ଼ିବା ଫଳରେ ବିଜେପି ବିରୋଧୀ ଭୋଟ ଭାଗ ହେଲା। ତେଣୁ ବିଜେପି ଫାଇଦାରେ ରହିଲା। ଏହା ସହିତ ଦିଲ୍ଲୀରେ ଆପ୍ ପାଇଁ କାଳ ସାଜିଲେ ବିଏସ୍ପି, ବାମ, ଏଆଇଏମ୍ଆଇଏମ୍, ଆଜାଦ ସମାଜ ପାର୍ଟି ଓ ଏନ୍ସିପି ଭଳି ଦଳ। ସେମାନେ ବି ପ୍ରାର୍ଥୀ ଦେଲେ ଓ କିଛି କିଛି ଭୋଟ୍ ଭାଗ ହେଲା। ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀରେ ୭ଟି ଯାକ ଆସନରେ ବିଜୟୀ ହେବା ପରେ ବିଧାନସଭା ନିର୍ବାଚନରେ ବାଜି ମାରିବାକୁ ଜୋରସୋରରେ ଲାଗିପଡ଼ିଥିଲା। ଆପ୍ କିମ୍ବା କଂଗ୍ରେସ ଏହାର ମୁକାବିଲା କରିବାକୁ ଅସମର୍ଥ ହେଲେ ଓ ଏହାର ଫଳାଫଳ ଆଜି ଦେଖିବାକୁ ମିଳିଛି। ବିଜେପି ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଶାସନ କରିବାକୁ ଯାଉଛି।
ରିପୋର୍ଟ : ସୁଧାଂଶୁ ଶେଖର