ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାଲାଗି ପ୍ରଣୟନ ହୋଇଥିବା ନୂତନ ନିଯୁକ୍ତି ଅନୁଯାୟୀ ମୋ କଲେଜ ଅଭିଯାନ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ବିଦ୍ୟାଳୟ ପରି ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନେଇ ମହାବିଦ୍ୟାଳୟର ପରିବେଶ ଓ କଳେବର ବିକାଶ ଲାଗି ନୂତନ ଖସଡା ପ୍ରସ୍ତୁତ ହୋଇଛି । ବାଲେଶ୍ୱର ଜିଲାର ଅନ୍ୟତମ ପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଲାଗି ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ସକାଶେ କଲେଜ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତଙ୍କ ଆବାହକତ୍ୱ ଓ ସଭାପତିତ୍ୱରେ ଆଜି ଗୁରୁବାର ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବ ବିଜ୍ଞାପନ ସୂଚନା ଅନୁଯାୟୀ ପୁରାତନ ଛାତ୍ର ସଂଘ (ଆଲୁମିନି) ଗଠନ ଲାଗି ଉପସ୍ଥିତ ପୂର୍ବତନ ଛାତ୍ରଛାତ୍ରୀମାନେ ପ୍ରସ୍ତାବ ରଖ୍ôଥିଲେ । ଏହା ଦ୍ୱିତୀୟ ବୈଠକ ଥିବାରୁ ଅଧିକ କଳାବିଳମ୍ବ ନ କରି ସଂଘ ଗଠିତ ହୋଇଥିଲେ ମଧ୍ୟ ଏଥିରେ ପର୍ଯ୍ୟାୟକ୍ରମେ ଦକ୍ଷ ପୁରାତନ ଇଚ୍ଛୁକ ଛାତ୍ରୀଛାତ୍ରୀଙ୍କୁ ଗ୍ରହଣ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଆଜି ସଭାପତିଭାବେ ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ ଓ ସଂପାଦକ ଭାବେ ପୂର୍ବତନ ଛାତ୍ର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଜୀତାରାମ ଦେଙ୍କୁ ମନୋନୀତ କରାଯାଇଛି । ୩୧ଜଣିଆ କାର୍ଯ୍ୟକାରୀ କମିଟିରେ ଆଜି ୧୨ଜଣଙ୍କୁ ଗ୍ରହଣ କରାଯାଇଥିବା ବେଳେ ଅତିଶୀଘ୍ର ଅନ୍ୟମାନଙ୍କୁ ନେଇ ପୂର୍ଣ୍ଣାଙ୍ଗ କମିଟି ଗଠନ ହେବାର ସଭାପତି ପ୍ରକାଶ କରିଥିଲେ । ସଦସ୍ୟ ପଦପାଇଁ ଆର୍ଥୀକ ଦେୟର ବ୍ୟବସ୍ଥା ଥିବା ବେଳେ ଆସନ୍ତା ସୋମବାର ଅନ୍ୟଏକ ବୈଠକ ବସିକାର ସ୍ଥିର କରାଯାଇଛି । ଆଜିର ବୈଠକରେ ପ୍ରଫେସର ଡ. ଚିତ୍ତରଂଜନ ଭଂଜ, ଡ. ରବିନାରାୟଣ ସାସମଲ, ଡ. ଉଜ୍ଜଳ କୁମାର ପଣ୍ଡା, ଡ. ହିମାଂଶୁ ସେଖର ସାମଲ, ଡ. ସୁଧାଂଶୁ ଶେଖର ଗିରି, ପତିତପାବନ ପ୍ରଧାନ, ଲକ୍ଷ୍ମିକାନ୍ତ ପ୍ରଧାନ, ସୁଶାନ୍ତ କୁମାର ବେହେରା, କାଳିଚରଣ ଦାସ, ଡ. ରଜନୀ କାନ୍ତ ଭୂୟାଁ, ଡ. ଅକ୍ଷୟ ନାରାୟଣ ଦାସ ମହାପାତ୍ର, ରତନ କୁମାର କର, ଜୟନ୍ତ ଭୂୟାଁ, ଗୋପାଳ ପ୍ରସାଦ, ଡ. ପ୍ରଫୁଲ୍ଲ କୁମାର ଦେ, ମୃତ୍ୟୁଞ୍ଜୟ ନାୟକ, ରବିନାରାୟଣ ପାତ୍ର, ଅବନୀ ଚାନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା