ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ସ୍ମୃତିପରିଷଦର ପ୍ରତିଷ୍ଠାତା ସମ୍ପାଦକ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳଙ୍କ ଉଦ୍ୟମକ୍ରମେ ଗତକାଲି ସଂଧ୍ୟାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଭକ୍ତକବି ଦିନକୃଷ୍ଣ ଦାସଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇ ଯାଇଛି । ଏହି ଅବସରରେ କଟକସ୍ଥିତ ଶତାବ୍ଦୀଭବନ ପରିସରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉତ୍କଳ ସାହିତ୍ୟ ସମାଜର ସଭାପତି ପ୍ରଫେସର ବରୁଣ କୁମାର ସାହୁ ପୌରହିତ୍ୱ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥିରୂପେ ଓଡିଆ-ଭାଷା-ସାହିତ୍ୟ-ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗ ଦାନ କରି ଉକ୍ତ ତୈଳଚିତ୍ରକୁ ଅନାବରଣ କରିବା ସହିତ ଦୀନକୃଷ୍ଣ ଗ୍ରନ୍ଥାବଳୀ ପ୍ରକାଶନ ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । ସଂଜିତ୍ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଗିତିକାର ଜୀବନାନନ୍ଦ ଅଧିକାରୀ ଦୀନକୃଷ୍ଣଙ୍କ ରଚିତ ଭଜନ ପରିବେଷଣା କରିଥିଲେ । ମୁଖ୍ୟବକ୍ତାରୂପେ ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଡ. ପ୍ରଫୁଲ୍ଲ କୁମାର ଦାଶ, ସମ୍ମାନୀତ ଅତିଥିରୂପେ ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ଦୀନକୃଷ୍ଣ ଦୀବନ ଓ ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ । ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦିକା ମୀନାକ୍ଷୀ ଦେବୀ ସୂଚନା ପ୍ରଦାନ କରିଥିବା ବେଳେ ସଂଗଠନର ସଂପାଦକ ଆଦିତ୍ୟ ପ୍ରସାଦ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଦୀନକୃଷ୍ଣ ସ୍ମୃତିପରିଷଦ ପକ୍ଷରୁ କାର୍ଯ୍ୟକାରୀ ସଭାପତି କବି ବ୍ରଜେନ୍ଦ୍ର ନାଥ ଗିରି, ଡ. ବିଜୟ କୁମାର ମିଶ୍ର, ଡ. ଅଜିତ୍ କୁମାର ମହାନ୍ତି, ଶରତ କୁମାର ପରିଡା, ଦୁର୍ଗାପ୍ରସନ୍ନ ଚଣ୍ଡ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା