

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସି ଅଧିନସ୍ଥ ୧ନଂ ୱାର୍ଡ ଅଞ୍ଚଳ କଲୋନୀରେ ପରିମଳ ସେବା ବିପର୍ଯ୍ୟସ୍ଥ ହୋଇ ଉଠିଛି । ଦିନକୁ ଦିନ ନାଳନର୍ଦ୍ଦମା ସବୁ ଜନସାଧାରଣଙ୍କ ଜବରଦଖଲକୁ ଚାଲିଯାଉଥିବାରୁ ଅପରିଷ୍କାର ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ସମାଲୋଚନା ହେଉଛି । ପୁଞ୍ଜିକୟାଁ ଚାରିଛକରେ ରହିଥିବା ସମସ୍ତ ନାଳନର୍ଦ୍ଦମା ସବୁ ବିଶ୍ୱ ବ୍ୟାଙ୍କ ଅନୁମୋଦନ ରାସ୍ତା ପ୍ରକଳ୍ପରେ ନିର୍ମାଣ କରାଯାଇଥିଲା । ପୁରୁଣା ନାଳ ସବୁ ଭାଙ୍ଗି ଦିଆଯାଇ ଡିପ୍ ଡ୍ରେନ୍ ନିର୍ମାଣ କରାଯାଇଥିଲା । ହେଲେ ଡିପ୍ ଡ୍ରେନ୍ ଗୁଡିକର ଗଭୀରତା ସବୁ ସ୍ଥାନରେ ସମାନ ନଥିବାରୁ ଅପରିଷ୍କାର ଜଳ ନିମ୍ନ ଗାମୀ ହୋଇଯିବାରେ ବାଧା ସୃଷ୍ଟି କରୁଛି । ଫଳରେ ଉକ୍ତ ଡିପ୍ ଡ୍ରେନ୍ରେ ଅଳିଆ ଆବର୍ଜନା ସବୁ ପୋତି ହୋଇ ରହୁଥିବା ବେଳେ ଦୁର୍ଗନ୍ଧିତ ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ ଦୁର୍ଗନ୍ଧରେ ନାକ ଫାଟୁଥିଲେ ମଧ୍ୟ ଉକ୍ତ ରାସ୍ତା ଦେଇ ଚଳପ୍ରଚଳ ହେଉଥିବା ଜଣାପଡିଛି । ଏନଏସି ପକ୍ଷରୁ ନିୟମିତ ସଫେଇ କରାଯାଉଥିଲେ ମଧ୍ୟ ଜନବହୁଳ ଅଞ୍ଚଳ ଯୋଗୁଁ ଅଳ୍ପ ସମୟରେ ସେଠାରେ ଅଳିଆ ଆବର୍ଜନା ଜମା ହେଉଥିବା ଦେଖିବାକୁ ମିଳିଛି । ତେବେ ଅନ୍ୟ ସମୟ ମାନଙ୍କରେ ଦୋକାନୀ ମାନେ ଚାନ୍ଦା କରି ଡ୍ରେନ୍ ସଫେଇ କରୁଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ପୁଞ୍ଜିକୟାଁ ଛକରେ ଥିବା ଡ୍ରେନ୍ରେ ଜମା ହେଉଥିବା ଅଳିଆ ଆବର୍ଜନା ଅପରିଷ୍କାର ଜଳ ସମୁଦାୟ ଅଞ୍ଚଳ କଲୋନୀର ଆସି ସେଠାରେ ଠୁଳ ହେଉଥିବା ବେଳେ ଡିପ୍ ଡ୍ରେନ୍ର ଅସମାନତା ଗଭୀରତା ଏବଂ ନାଳ ଦଖଲକୁ ନେଇଥିବା କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ସମସ୍ୟା ଉପୁଜିଥିବା ବାସିନ୍ଦା କହିଛନ୍ତି । ବିଶେଷ କରି ବର୍ଷା ହେଲେ ସେଠାରେ ପାଣି ଜମି ରହି ରାସ୍ତା ଉପରେ ଭାସୁଥିବା ନଜିର୍ ରହିଛି । ଆଗକୁ ବର୍ଷା ଋତୁ ରହିଥିବାରୁ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ପ୍ରତ୍ୟେହ ବିପର୍ଯ୍ୟସ୍ଥ ପରିମଳ ସେବା ନେଇ ସମସ୍ୟା ଦେଖାଯିବ ବୋଲି ଆଶଙ୍କା କରାଯାଉଛି । ସମସ୍ୟା ନେଇ ବାସିନ୍ଦା ବହୁବାର ପୂର୍ତ୍ତ ବିଭାଗ, ବିଶ୍ୱ ବ୍ୟାଙ୍କ ଏବଂ ଏନଏସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ହେଁ କୌଣସି ପ୍ରକାର ଫଳପ୍ରଦ ହେଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ବିଶ୍ୱ ବ୍ୟାଙ୍କ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରିବା ପରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେବା ପରେ ସେମାନେ ନର୍ଦ୍ଦମା ସମସ୍ୟା ଉପରେ ଅଭିଯୋଗ କରିଲେ ପରସ୍ପରକୁ ଆକ୍ଷେପ ପ୍ରତ୍ୟାକ୍ଷେପ କରୁଛନ୍ତି । ସେହିପରି ଏନଏସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଲେ ଉକ୍ତ ରାସ୍ତା ପାଶ୍ୱର୍ ଡିପ୍ ଡ୍ରେନ୍ ସେମାନଙ୍କର ହୋଇନଥିବା ବେଳେ ଏନଏସି ପକ୍ଷରୁ କେବଳ ନିୟମିତ ସଫେଇ କରାଯାଉଛି ସ୍ଥାୟୀ ପ୍ରତିକାର ପାଇଁ ସମ୍ପୃକ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟିଗୋଚର କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ପୁତିଗନ୍ଧମୟ ପରିବେଶରେ ଅସ୍ୱାସ୍ଥ୍ୟକର ପରିବେଶରେ ବାସିନ୍ଦା ଛନ୍ଦି ହୋଇଯାଉଛନ୍ତି ବୋଲି ସାଧାରଣରେ ସମାଲୋଚନା ହେଉଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା