ଦୁର୍ନୀତିର ଗନ୍ତାଘର ବେଗୁନିଆପଡା ବିଇଓ ଅଫିସ:ତଦନ୍ତ ଦାବି କଲା ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେଗୁନିଆପଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଲାଞ୍ଚ, ପିସି କାରବାର, ମାସିକ ଚାନ୍ଦା ଆଦାୟ କରାଯିବା ସହିତ ଶିକ୍ଷକମାନଙ୍କୁ ଦମନ କରି ବିଭିନ୍ନ ଅସାଧୁ ଉପାୟରେ ସେମାନଙ୍କ ଠାରୁ ନିୟମିତ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ଏକ ସଦ୍ୟ ଉଦାହରଣ ସ୍‌ରୂପ ନିକଟ କିଛି ଦିନ ତଳେ ବେଗୁନିଆପଡା ସ୍ଥିତ କିଛି ଘରୋଇ ବିଦ୍ୟାଳୟରେ ଅଧୟନରତ କେତେକ ଛାତ୍ର/ଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ ହୋଇ ସେଠାରେ ନାମ ଲେଖାଇବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁମୋଦନ ଲୋଡ଼ିଥିଲେ । ସମ୍ପୃକ୍ତ ଘରୋଇ ବିଦ୍ୟାଳୟ ଗୁଡିକର ଏନଏସି ନଥିବା ହେତୁ ସେମାନଙ୍କ ଅନୁମୋଦନ ଅଗ୍ରାହ୍ୟ ହେବା କଥା କିନ୍ତୁ ନିଜସ୍ୱ ସ୍ୱାର୍ଥରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସେମାନଙ୍କୁ ଅନୁମୋଦନ ପ୍ରଦାନ କରିଥିବା ଅନୁସନ୍ଧାନ ସାପେକ୍ଷ । ସେହିଭଳି ଶିକ୍ଷକ ମାନଙ୍କ ବେତନ ବୃଦ୍ଧି ତଥା ସେମାନଙ୍କ ଚାକିରୀ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ପାଇଁ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ର୍ନିଦ୍ଧିଷ୍ଠ ଏକ ଗୋଷ୍ଠୀ (ଶିକ୍ଷକ) ମଧ୍ୟସ୍ଥି ଭାବେ କାମ କରୁଥିବା ବେଳେ ହଜାର ହଜାର ଟଙ୍କା ମାସିକ ଆଦାୟ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ସହାୟତାରେ କାର୍ଯ୍ୟ ହାସଲ କରାଯାଉଥିବା ସର୍ବବ୍ୟାପି ଚର୍ଚ୍ଚା, ତଦନ୍ତ ସାପେକ୍ଷ କୌଣସି ସରକାରୀ ପଞ୍ଜିକରଣ ନଥାଇ ଏକ ସ୍ୱତନ୍ତ୍ର ଶିକ୍ଷକ ଗୋଷ୍ଠୀ (୮-୧୦ ଜଣ) ନିଜକୁ ଶିକ୍ଷକ ନେତା ବୋଲି ପ୍ରଚାର କରି ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସହାୟତାରେ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କୁ ଧମକ ଦେଖାଇ ବିଭିନ୍ନ ସମୟରେ ସେମାନଙ୍କ ଉପରକୁ ଆକ୍ରମଣ କରୁଥିବା ବେଳେ ସମ୍ପୃକ୍ତ ଅଧିକାରୀ ସେମାନଙ୍କ ପକ୍ଷ ନେଇ ଯୁକ୍ତି ବାଢୁଥିବା ଅତ୍ୟନ୍ତ ପରିତାପର ବିଷୟ । କୌଣସି ଲୁକାୟିତ କାରଣ ହେତୁ ପ୍ରତ୍ୟେକ ମାସରେ ଏହି ଗୋଷ୍ଠି ଦ୍ୱାରା କିଛି ର୍ନିଦ୍ଧିଷ୍ଟ ଶିକ୍ଷକଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରି ତଳୁ ଉପର ପର୍ଯ୍ୟନ୍ତ ବଣ୍ଟା ଯାଇଥାଏ ତଦନ୍ତ କଲେ ଜଣାପଡିବ । ତେଣୁ ସେମାନେ ସମ୍ପୃକ୍ତ ଅଧିକାରୀ ମାନଙ୍କ ଛାତ୍ରଛାୟା ତଳେ ରହି ଗୁଣ୍ଡାରାଜ ଚଳାଇ ଆସୁଥିବା ଖବର ମିଳୁଛି । ସେମାନଙ୍କ ଏହି ବେଆଇନ ଅସାମାଜିକ କାର୍ଯ୍ୟ ପାଇଁ ପ୍ରତିରୋଧ କରୁଥିବା ସଚ୍ଚୋଟ ଶିକ୍ଷକ, କର୍ମଚାରୀଙ୍କୁ ଜୀବନରେ ମାରିଦେବାକୁ ଏହି ଗୋଷ୍ଠୀ ଧମକ ଦେଇଥାନ୍ତି ବୋଲି ନିକଟ ଅତୀତରେ କୋଦଳା ଥାନାରେ ଦିଆଯାଇଥିବା ଏକ ଅଭିଯୋଗରୁ ପ୍ରମାଣ ସାବ୍ୟସ୍ତ ହୋଇଛି । ବିଦ୍ୟାଳୟ ଗୁଡିକରେ ମାଧ୍ୟାର୍ଣ୍ଣ ଭୋଜନ ହେରଫେର କରୁଥିବା କିଛି ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ ଆସୁଥିବା ବେଳେ ନିଜସ ସ୍ୱାର୍ଥ ହାସଲ ନକରିପାରିଲେ ପର୍ଯ୍ୟାପ୍ତ କାରଣ ନଥାଇ କିଛି ଶିକ୍ଷକଙ୍କୁ ଦଣ୍ଡ ବିଧାନ କରାଯାଉଥିବା ବେଳେ ଅନ୍ୟ ମାନଙ୍କ ଠାରୁ ନିଜସ ସ୍ୱାର୍ଥ ହାସଲ କରି ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ । ଗୋଟିଏ ଉଦାହରଣ ସ୍ୱରୂପ ନିକଟ ଅତୀତରେ ମର୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଘଟଣାର ସବିସ୍ତୃତ ଯାଞ୍ଚ କରାଗଲେ ବିଶେଷ ତଥ୍ୟ ପଦାକୁ ଆସିପାରିବ ବୋଲି ମତ ଦିଅନ୍ତି କିଛି ଶିକ୍ଷକ ଏବଂ ସାଧାରଣ ଲୋକେ । ଏହି ଘଟଣାକୁ କେନ୍ଦ୍ର କରି ସେହି ବିଦ୍ୟାଳୟରେ କାର୍ଯ୍ୟରତ କିଛି ସଚ୍ଚୋଟ ଶିକ୍ଷକଙ୍କ ଉପରେ ସମ୍ପୃକ୍ତ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି କାର୍ଯ୍ୟରତ କିଛି ଦୁର୍ନୀତି ଗ୍ରସ୍ତ ଶିକ୍ଷକ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ସମ୍ପୃକ୍ତ ଶିକ୍ଷାଧିକାରୀଙ୍କ ନିଷ୍କ୍ରିୟତା ସେମାନଙ୍କ ସହିତ ସାମିଲ ଥିବା ସ୍ପଷ୍ଟ ସାବ୍ୟସ୍ତ କରୁଅଛି । କେବଳ ଏତିକି ନୁହେଁ, ଏକ ସ୍ୱତନ୍ତ୍ର ଅନୁସନ୍ଧାନୀ ଦଳଙ୍କ ଦ୍ୱାରା କାର୍ଯ୍ୟାଳୟର ନଥିପତ୍ର ଯାଞ୍ଚ କରାଗଲେ ଅତୀତରେ ଘଟିଥିବା ଅନେକ ସରକାରୀ ଅର୍ଥ ହେରଫେର, ତଥା ଅନ୍ୟାନ୍ୟ ଜାଲି କାରବାର ହୋଇଥିବା ତଥ୍ୟ ପଦାକୁ ଆସିପାରିବ ବୋଲି ମତ ପ୍ରକାଶ କରନ୍ତି ଶିକ୍ଷକ, କର୍ମଚାରୀ ତଥା ଜନ ସାଧାରଣ । ଏତାଦୃଶ କାର୍ଯ୍ୟକଳାପ ହେତୁ ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ କୁପ୍ରଭାବ ପଡୁଥିବା ଲକ୍ଷ କରି, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ସଚେତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦୃଢ଼ ଦାବୀ ହେଉଛି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗଞ୍ଜାମ ଜିଲା ଶିକ୍ଷା ବଞ୍ଚାଅ ଅଭିଯାନର ସଭାପତି ରବି ରଥ ଦାବି କରିଛନ୍ତି ।

ରିପୋର୍ଟ : ରବି ରଥ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା