


ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଭାରତର ଦ୍ୱିତୀୟ ଧନୀ ହୋଇଥିବା ବିଜ୍ନେସ୍ ପତ୍ରିକା ଫୋର୍ବସ୍ ପକ୍ଷରୁ ସମୀକ୍ଷା କରି କୁହାଯାଇଛି। ସେହିପରି ମୁକେଶ ଅମ୍ବାନୀ ପୂର୍ବବତ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫୋର୍ବସ୍ ପକ୍ଷରୁ ୨୦୧୯ ମସିହା ପାଇଁ ପ୍ରକାଶିତ ଧନୀଙ୍କ ତାଲିକାରେ ଅମ୍ବାନୀ ଲଗାତାର ୧୨ଥର ପାଇଁ ଏହି ସଫଳତା ପାଇଛନ୍ତି। ଅମ୍ବାନୀଙ୍କ ସମ୍ପତ୍ତି ୩.୭ ଲକ୍ଷ କୋଟି ଟଙ୍କା। ସେ ଅନ୍ୟ ଭାରତୀୟ କୋଟିପତିଙ୍କଠାରୁ ବହୁତ ଆଗରେ ଅଛନ୍ତି। ତାଙ୍କ ପରେ ଥିବା ଅଦାନୀ ମଧ୍ୟ ଅମ୍ବାନୀଙ୍କଠାରୁ ବହୁତ ପଛରେ ଅଛନ୍ତି।ବ୍ୟବସାୟୀ ହିନ୍ଦୁଜା ବ୍ରଦର୍ସ, ନିର୍ମାଣ କ୍ଷେତ୍ରର ପାଲନ୍ଜୀ ମିସ୍ତ୍ରୀ, ବ୍ୟାଙ୍କର ଉଦୟ କୋଟାକ୍, ଟେକ୍ ଟାଇକୁନ୍ ଶିବ ନାଦର୍, ନିବେଶକ ରାଧାକ୍ରିଷ୍ଣନ୍ ଦମାନି, ଗୋଦ୍ରେଜ୍ ପରିବାର, ଲକ୍ଷ୍ମୀ ମିତ୍ତଲ ଏବଂ କୁମାର ବିର୍ଲା ଏହି ତାଲିକାରେ ଅଛନ୍ତି।୧୦୦ ଜଣିଆ ଏହି ତାଲିକାରେ ୬ ଜଣ ନୂଆ ସଦସ୍ୟ ଅଛନ୍ତି। ବିଜୁସ୍ ଆପ୍ର ବିଜୁ ରବୀନ୍ଦ୍ରନ୍, ହଲ୍ଦିରାମ୍ର ମନୋହର ଲାଲ ଓ ମଧୁସୂଦନ ଅଗ୍ରୱାଲ ଏବଂ ଜାକୁଆର ରାଜେଶ ମେହରା ଏଥିରେ ସ୍ଥାନ ପାଇଛନ୍ତି।ଅଜିମ୍ ପ୍ରେମ୍ଜୀ ଚଳିତ ବର୍ଷ ଧନୀ ତାଲିକାରେ ସବୁଠାରୁ ବେଶି ତଳକୁ ଖସିଛନ୍ତି। ସେ ନମ୍ବର ୨ରୁ ୧୭କୁ ଖସିଆସିଛନ୍ତି। କିନ୍ତୁ ଏହା ବ୍ୟବସାୟିକ କ୍ଷତି ନୁହେଁ, ବ୍ରେମଜୀ ତାଙ୍କ ଦାତବ୍ୟ ଅନୁଷ୍ଠାନକୁ ୭୫୦ କୋଟି ଡଲାର ଦାନ କରିଦେବାରୁ ଏପରି ହୋଇଛି।