ଦେଶର ସମୃଦ୍ଧି ପାଇଁ ସ୍ୱଦେଶୀ ହିଁ ଏକମାତ୍ର ପନ୍ଥା ଖୋର୍ଦ୍ଧାରେ ସ୍ୱଦେଶୀ ସପ୍ତାହ ଉଦ୍ଘାଟିତ

ଖୋର୍ଦ୍ଧା (ଆକାଶ ମିଶ୍ର)-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ପାଳନ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱଦେଶୀ ସପ୍ତାହ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ସ୍ୱଦେଶୀ ଜାଗରଣ ମଂଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ବିଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ଼କ୍ଟର ନନ୍ଦ ସ୍ୱଦେଶୀ କ’ଣ, କାହିଁକି ଓ କିପରି ଉପରେ ବିସ୍ତୃତ ଭାବରେ ଆଲୋଚନା କରି ଦେଶର ସମୃଦ୍ଧି ପାଇଁ ସ୍ୱଦେଶୀ ହିଁ ଏକମାତ୍ର ପନ୍ଥା ବୋଲି କହିଥିଲେ । ସେ କହିଲେ ସ୍ୱଦେଶୀର ଅର୍ଥ ଦେଶକୁ ଆତ୍ମନିର୍ଭରଶୀଳ କରିବାର ପ୍ରବଳ ଭାବନା, ତେଣୁ ରାଷ୍ଟ୍ରୀୟ ତଥା ବ୍ୟକ୍ତିଗତ ଜୀବନର ସବୁ କାର୍ଯ୍ୟରେ ସ୍ୱଦେଶୀର ଦର୍ଶନ ରହିବା ଉଚିତ୍ । ପୃଥିବୀ ପୃଷ୍ଠରେ ଯେଉଁ ରାଷ୍ଟ୍ରମାନେ ପ୍ରଭାବଶାଳୀ ହୋଇପାରିଛନ୍ତି, ତାହା ପଛରେ ସେହି ଦେଶର ଜନସାଧାରଣଙ୍କ ଦ୍ୱାରା ସ୍ୱଦେଶୀ ପଦାର୍ଥର ବ୍ୟବହାର, ସ୍ୱଦେଶୀ ବିଚାରର ସଂରକ୍ଷଣ ଏବଂ ସ୍ୱଦେଶୀ ଆଚରଣ ହିଁ ମୂଳ କାରଣ । ଜାପାନ, କୋରିଆ କିମ୍ବା ଚୀନ ହେଉ, ସେମାନେ ବିଶ୍ୱର ଅର୍ଥନୀତିକୁ ସେମାନଙ୍କର ସ୍ୱଦେଶୀ ବ୍ୟବହାର ଦ୍ୱାରା କେବଳ ପ୍ରଭାବିତ କରିନାହାନ୍ତି, ସେମାନେ ବିଦେଶୀ କମ୍ପାନୀଗୁଡ଼ିକୁ ସ୍ୱଦେଶୀ ଢାଂଚାରେ ଚାଲିବାକୁ ବାଧ୍ୟ କରିବାରେ ସଫଳ ହୋଇପାରିଛନ୍ତି । ଗାନ୍ଧିଜୀଙ୍କ ସ୍ୱଦେଶୀ ଆନ୍ଦୋଳନ ସମୟରେ ବିଦେଶୀ ବସ୍ତୁ ଗୁଡିକର ବର୍ଜନ ବ୍ୟାପକ ପରିମାଣରେ ହୋଇପାରିଥିଲା ଏବଂ ଏହା ଭାରତର ଗ୍ରାମାଂଚଳ ମାନଙ୍କରେ ରହିଥିବା କାରିଗର, ବୁଣାକାର ଏବଂ ଅତିକ୍ଷୁଦ୍ର ଶିଳ୍ପୋଦ୍ୟୋଗମାନଙ୍କର ବିଲୋପକୁ ବଂଚାଇବାରେ ଅନେକାଂଶରେ ସଫଳ ହୋଇଥିଲା । ମାତ୍ର ଦେଶ ସ୍ୱାଧୀନତା ପରେ ଦେଶ ଯେଉଁ ନେତୃତ୍ୱ ଉପରେ ଅନେକ ଆଶା ଓ ବିଶ୍ୱାସ ରଖିଥିଲା ସେମାନେ ସ୍ୱଦେଶୀର ସେହି ମହାନ୍ ପ୍ରୟାସକୁ ଆଗକୁ ନେବାରେ ସହଯୋଗୀ ହେଲେ ନାହିଁ ଏବଂ ସ୍ୱଦେଶୀକୁ ଏକ ସଂକୀର୍ଣ୍ଣ ଅପ୍ରଗତିଶୀଳ ବିଚାର ଭାବରେ ପ୍ରତ୍ୟାଖାନ କଲେ । ଫଳ ସ୍ୱରୂପ, ସ୍ୱାଧୀନତା ପରେ ମଧ୍ୟ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ସମସ୍ତ ସାମଗ୍ରୀ ପାଇଁ ବିଦେଶୀ କମ୍ପାନୀ ମାନଙ୍କ ଉପରେ ହିଁ ଭାରତବାସୀ ନିର୍ଭରଶୀଳ ହୋଇ ରହିଆସିଛନ୍ତି । ଅନେକ ଅସାଧୁ ବିଦେଶୀ କମ୍ପାନୀ ଲୋକଙ୍କୁ ବିଭିନ୍ନ ପ୍ରକାରର ଲାଭର ପ୍ରଲୋଭନ ଦେଖାଇ ଆମ ଦେଶରୁ ହଜାର ହଜାର କୋଟି ଟଙ୍କା ଲୁଟି ନେବାରେ ସଫଳ ହୋଇପାରିଛନ୍ତି । କିନ୍ତୁ ସ୍ୱାଭିମାନ ଦୃଷ୍ଟିରୁ ଆମ୍ଭେମାନେ ନିଜ ଦେଶ, ନିଜ ଭାଷା, ନିଜ ପରମ୍ପରା ଓ ନିଜ ଆର୍ଥିକ ଅତୀତକୁ ନେଇ ଗର୍ବ କରିବା ଦରକାର । ସ୍ୱଦେଶୀ ଚିନ୍ତାଧାରା ହିଁ ଦେଶର ଅର୍ଥନୀତିକୁ ଏକ ମଜଭୂତ ଆଧାର ଦେଇପାରିବ । ଭାରତ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସ୍ୱଦେଶୀ ଆନ୍ଦୋଳନର ପ୍ରଥମ ଶହୀଦ୍ ବାବୁ ଗେନୁଙ୍କର ବଳିଦାନକୁ ମନେପକାଇବା ସହିତ ଦେଶରେ ବିଦେଶୀ ପୁଞ୍ଜି ନିବେଶକୁ ଦୃଢ଼ ସମାଲୋଚନା କରି ସ୍ୱଦେଶୀ ଶିକ୍ଷା ଏବଂ ସ୍ୱଦେଶୀ ଜ୍ଞାନ କୌଶଳ ଦ୍ୱାରା ହିଁ ଭାରତବର୍ଷ ଏକ ସମୃଦ୍ଧଶାଳୀ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁଜୀ ଗଗନ ବିହାରୀ ପ୍ରତିହାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଗୁରୁଜୀ ସିଦ୍ଧେଶ୍ୱର ସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।