ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା) ଦ୍ବିତୀୟ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ରା ଉଦୟଗିରି ଠାରେ ଆୟୋଜିତ ହୋଇଯାଇଛି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜେଡି ଆୟୋଜନ କରିଛି ପଥପ୍ରାନ୍ତ ସଭା। ଆଜି ରା ଉଦୟଗିରି ବ୍ଲକ ସଦରମହକୁମାରେ ଆୟୋଜିତ ପଦଯାତ୍ରାରେ ନିଜର ପ୍ରଭାବ ପ୍ରଦର୍ଶନ କରିଛି ଦଳ। ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଜଗନ୍ନାଥ ସାରକା, ଏବଂ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଯୋଗ ଦେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଗ୍ରାମ ପରିକ୍ରମା କରି ବିଜେଡି ସରକାରରେ ଥିବା ସମୟରେ ଗ୍ରାମାଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି । ଏଥି ସହ ମିଥ୍ୟା ପ୍ରତିଶୃତି ଦେଇ ବର୍ତ୍ତମାନ ଶାସନକୁ ଆସିଥିବା ବିଜେପି ସରକାରଙ୍କ ରଙ୍ଗ ବଦଳାଇବା ନିତି ଉପରେ ଲୋକଙ୍କୁ ଅବଗତ କରାଉଛନ୍ତି ଜଳୀୟ ନେତୃବୃନ୍ଦ। ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ନେତା ଓ କର୍ମୀ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ।, ରାଜ୍ୟ ସମ୍ପାଦକ ସମ୍ପାଦକ ପ୍ରଦୀପ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୂର୍ଣ୍ଣବାସୀ ନାୟକ, ରା ଉଦୟଗିରି ଅଧ୍ୟକ୍ଷା ନିର୍ମଳା ସେଠୀ, କାଶୀନଗର ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ, ଜିଲ୍ଲା ପରିଷଦ ସଦସ୍ୟା ତଥା ବହୁ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଓ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଶହଶହ ମହିଳା ଓ ପୁରୁଷ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ବିଭିନ୍ନ ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନ କରିଛନ୍ତି। ଅଞ୍ଚଳ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ଗୁଡ଼ିକୁ ଦୋହରାଇବା ସହ ବିଜେପି ସରକାର ଦେଇଥିବା ପ୍ରତିଶୃତି ପାଳନ କରୁ ବୋଲି ପଥପ୍ରାନ୍ତ ସଭାରେ ଦାବି କରିଛନ୍ତି ନେତୃବୃନ୍ଦ। ଦଳର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଏହି ପଦଯାତ୍ରା। ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ସାରିଥିବା ବେଳେ ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଆୟୋଜିତ ହେଉଛି ଏହି ଜନସମ୍ପର୍କ ପଦଯାତ୍ରା। ପ୍ରତି ବର୍ଷ ଭଳି ଗାନ୍ଧୀ ଜୟନ୍ତୀ ଠାରୁ ଜୟନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଗାଁ ଠୁ ସହର ପର୍ଯ୍ୟନ୍ତ ଦଳ ପକ୍ଷରୁ ଚାଲୁ ରହିଛି ଏହି କାର୍ଯ୍ୟକ୍ରମ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜୁ ଜନତା ଦଳ ବୋଲି କହିଛନ୍ତି ଦଳୀୟ ନେତୃବୃନ୍ଦ।
ରିପୋର୍ଟ :କୃଷ୍ଣ କୁମାର ବେହେରା