ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜଧାନୀ ଭୁବନେଶ୍ୱରରେ ଏକ ମହିଳା ବଙ୍ଗୀୟ ଗ୍ୟାଙ୍ଗ ପୋଲିସ ଠାବ କରିଛି । ସଂଭ୍ରାନ୍ତିୟ ଡଉଲ ଡାଉଲ ହୋଇ ସୁନ୍ଦର ସୁନ୍ଦର ଶାଢ଼ୀ ପିନ୍ଧି ସପିଂ ମଲ୍ରେ ପଶୁଥିଲେ। କିଣିବା ବାହାନା ଜିନିଷ ଦେଖୁଥିଲେ। ଆଉ ଗହଳି ସମୟରେ ଶାଢ଼ୀ ଭିତରେ ଦୁଇ ଗୋଡ଼ ସନ୍ଧିରେ ଦାମୀ ସାମଗ୍ରୀ ପୁରାଇ ଚୋରି କରୁଥିଲେ। ଆଜି ଏହି ଗ୍ୟାଙ୍ଗର ୯ ବଙ୍ଗୀୟ ମହିଳାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଥିବା ବେଳେ ଆଉ ୪ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଗୋଟିଏ ଗାଁର । ପଶ୍ଚିମବଙ୍ଗ ୨୪ ପ୍ରଗଣା ହାସିର ଗାଁର କେତେକ ମହିଳା କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲେ। ସେମାନେ ଏକ ହୋଟେଲ୍ରେ ରହୁଥିଲେ। କେଉଁଠି ଓ କେମିତି ଲୁଟ୍ କରିବେ, ସେନେଇ ହୋଟେଲ୍ରେ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ତା’ପରେ ଯୋଜନା ମୁତାବକ ବିଭିନ୍ନ ସପିଂ ମଲରେ ଅତି ଭଦ୍ର ଓ ନମ୍ର ଭାବରେ ଶାଢ଼ୀ ପିନ୍ଧି ପଶୁଥିଲେ। କିଣିବା ବାହାନାରେ ସପିଂ ମଲ୍ରେ ବିଭିନ୍ନ ଜିନିଷକୁ ଦେଖୁଥିଲେ। ସେମାନେ ପିନ୍ଧିଥିବା ଶାଢ଼ୀ ଭିତରେ ଦୁଇ ଗୋଡ଼ ମଝିରେ ଜିନିଷ ଗୁଡ଼ିକୁ ପୂରାଇ ଅତି ଚତୁରତାର ସହ ବାହାରକୁ ପଳାଇ ଆସୁଥିଲେ। ସେମାନେ ମହିଳା ହୋଇଥିବାରୁ ଗେଟ୍ ପାଖରେ ଥିବା ସୁରକ୍ଷା କର୍ମୀ ଯାଞ୍ଚ କରିପାରୁ ନ ଥିଲେ। ସେପଟେ ଦୁଇ ଗୋଡ଼ ମଝିରେ ଚୋରି ଜିନିଷ ଥିବାରୁ ଗେଟ୍ରେ ଲାଗିଥିବା ସେନ୍ସର ଧରି ପାରୁନଥିଲା । ମହିଳାମାନେ କସ୍ମେଟିକ୍, ନଡ଼ିଆ ତେଲ, ସୋରିଷ ତେଲ, ପାଣି ବୋତଲ, ଗ୍ଲୋକୋଜ୍, ଫେସ୍ୱାସ୍, ବିସ୍କୁଟ ପରି ସାମଗ୍ରୀ ଚୋରି କରି ନେଇ ଆସୁଥିଲେ। ବଙ୍ଗୀୟ ମହିଳାମାନେ ଚୋରି ସାମଗ୍ରୀକୁ ହୋଟେଲରେ ଗଚ୍ଛିତ କରି ରଖୁଥିଲେ। ସମୟ ସୁବିଧା ଦେଖି ନିଜ ଘର ପଶ୍ଚିମବଙ୍ଗର ହାସିରକୁ ପଠାଇ ଦେଉଥିଲେ। ସେଠାରେ ବିକ୍ରି କରି ମାଲାମାଲ ହେଉଥିଲେ। ପୋଲିସ୍ର କହିବା ଅନୁସାରେ ଏମାନେ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ବୁଲି ବୁଲି ଚୋରି କରୁଥିଲେ। ଥରେ ଗୋଟିଏ ସପିଂ ମଲ୍ରୁ ଚୋରି କରୁଥିଲେ, ଦ୍ୱିତୀୟ ଥର ପାଇଁ ସେଠାକୁ ଯାଉନଥିଲେ। ଏପରି ଏକ ବଙ୍ଗୀୟ ମହିଳା ଲୁଟେରା ଗ୍ରୁପ୍କୁ ଧରିଛି କମିଶନରେଟ୍ ପୁଲିସ୍। ଗୁରୁବାର ମହିଳାମାନେ ଚୋରି କରୁଥିବା ବେଳେ ସପିଂ ମଲ୍ କର୍ମଚାରୀମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ସପିଂ ମଲ୍ରେ ଚଢ଼ଉ କରି ୯ ବଙ୍ଗୀୟ ମହିଳାଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ୪ ଜଣ ମହିଳା ଚୋରି ସାମଗ୍ରୀ ଧରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରଖିଛି। ଅନ୍ୟପକ୍ଷରେ ଗିରଫ ହୋଇଥିବା ମହିଳାଙ୍କୁ ପୋଲିସ୍ ଘନ ଘନ ଜେରା କରିବା ବେଳେ ସବୁ ଧରାପଡିଥିଲା। ପୋଲିସ୍ ହୋଟେଲ୍ରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗ୍ରୋସରୀ ଜବତ କରିଛି ।