ତୁହିମା ଧରିତ୍ରୀ ଜନନୀ ମୋହର
ବିଶାଳ ହୃଦୟେ ତୋର
ସହିଛୁ କଷଣ ରଖିଛୁ ଜୀବନ
ଆଶ୍ରୟଦାତ୍ରୀ ଜୀବର ।
ସୁଧାମୟ ସୃଷ୍ଟି ତୁମରି ବକ୍ଷରେ
ଅପୂର୍ବ ସୁଷମା ତାର
ପ୍ରତିଦିନ ନର ସୁଖ ପାଇଁ ତାର
ପିଉଛି ପୀୟୂଷ ଧାର ।
ବିଳାସ ବ୍ୟସନେ ରହିବା ଲକ୍ଷରେ
ପ୍ରଦୂଷିତ ତନୁ ତୋର
ଭାବୁ ନାହିଁ ନର କରୁଛି ନିଜର
ଭବିଷ୍ୟତ ଅନ୍ଧକାର ।
ସୁଶୋଭିତ ବନ ହୋଇଲେ ଛେଦନ
ମାନବେ ହେବେ ବିନାଶ
ବେଳ ଥାଉ ଥାଉ ସଚେତନ ହେଉ
ନ ହେଲେ ସରବ ନାଶ ।
ସୃଷ୍ଟି କର୍ତ୍ତାଙ୍କର ମଧୁର ସୃଷ୍ଟିର
ଉପାଦାନ ତୋର କୋଳେ
ଅନେକ ସନ୍ତାନ ହେଲେଣି ବିଲୀନ
ମାନବର କର୍ମ ଫଳେ ।
ନାହିଁ ଅଧିକାର ମଣିଷ ଜାତିର
ସାଜିବାକୁ ବୈରି ତୋର
ନିଜେ ଗାତ ଖୋଳି ଅନ୍ୟ ପଡେ ବଳି
ଏ ନୁହେଁ ବିଧାତା ବିଚାର ।
ନର ପଶୁ ପକ୍ଷୀ କୀଟ ତରୁ ଲତା
ସଭିଏ ସନ୍ତାନ ତୋର
ଲୋତକର ଧାର ବହୁଛି ତୋହର
ନାଶ ହେଲେ ବି କାହାର ।
ପଥଚ୍ୟୁତ ନର ଭଲ କର୍ମ କର
ଫେରି ଆସିବ ସୁଦିନ
ଶାନ୍ତିରେ ରହିବେ ସକଳ ସଜୀବେ
ହସିବ ଧରଣୀ ପ୍ରାଣ ।
ରମାକାନ୍ତ ମାଝୀ, ଶିକ୍ଷକ,
ସେମିଳିଗୁଡା, କୋରାପୁଟ,
୯୩୩୭୬୯୩୫୦୪