ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲିଉ ବର୍ଣ୍ଣନା କରାନଯାଇ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି।ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସାଟୋପସ୍ଥିତି ଦେଖି ଏହି ମଣ୍ଡପକୁ ଆଡ଼ପ ମଣ୍ଡପ କୁହାଯାଇଛି ବୋଲି ପଣ୍ଡିତ ହରିହର ମହାପାତ୍ର ମତ ପ୍ରକାଶ କରିଛନ୍ତି। ଶ୍ରୀବିଗ୍ରହମାନଙ୍କର ଆଡ଼ପ ମଣ୍ଡପରେ ଅବସ୍ଥାନ ସମୟରେ ଦର୍ଶନାର୍ଥୀ ତଥା ହକ୍ତ ସମାଜ ସେଠାରେ ସ୍ମବେତ ହେବା ପୂର୍ବକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନର ପ୍ରଶସ୍ତି ଥିଲେ ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ରହିଛି।ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ , ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ । ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ସେହି ପରି ଜନସାଧାରଣରେ ବହୁ ପ୍ରଚାରିତ ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ , ଦୀପ ପ୍ରଜ୍ଜ୍ୱଳନ , ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଅପ୍ୟାୟିତ କରିଥିବା ଜଣାଯାଏ। ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା଼ ପୂର୍ବ ଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି। ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ । ଉକ୍ତଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି ।ଗୁଣ୍ଡିଚା ରାହାସ / ପ୍ରବୃଟ ରାହାସ ଶ୍ରୀଚୈତନ୍ୟ ଓ ଅନ୍ୟ ପୁରାଣ ଅନୁସାରେ ପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତିମନ୍ତ ପ୍ରତୀକ ବା ବିଗ୍ରହ।ଗୁଣ୍ଡିଚା ମନ୍ଦିର ତାଙ୍କର ଗୁପ୍ତ ବୃନ୍ଦାବନ ବା ରାସସ୍ଥଳୀ। ପୁରାଣ ଅନୁସାରେ ଦ୍ଵାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ବୃନ୍ଦାବନ ତ୍ୟାଗ କରିବା ସମୟରେ ଶ୍ରୀରାଧା ଓ ଗୋପୀ ମାନେ ପୁନର୍ବାର ସାକ୍ଷାତ ଓ ରାସ ନିମନ୍ତେ ଅନୁରୋଧ କରିଥିଲେ।ପ୍ରଭୁ କଳିଯୁଗରେ ଗୁପ୍ତ ବୃନ୍ଦାବନ ବା ଗୁଣ୍ଡିଚା ଯାତ୍ରା ରେ ଗୁଣ୍ଡିଚା ମନ୍ଦିର ରେ ରାସ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ରକ୍ଷା କରି ଗୁଣ୍ଡିଚା ମନ୍ଦିରରେ ରହଣି ସମୟ ରେ ତିନି ଦିନ(ସପ୍ତମ,ଅଷ୍ଟମ ଓ ନବମ ଦିନ) ରାସ କରିଥାନ୍ତି।ରାହାସ ନୀତିରେ ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନ ମୋହନ ଆଜ୍ଞା ମାଳ ପାଇ ଗୁଣ୍ଡିଚା ମନ୍ଦିରର ଜଗମୋହନ ସ୍ଥିତ ରାହାସ ମଣ୍ଡପକୁ ବିଜେ ହୁଅନ୍ତି।ତାପରେ ରାହାସ ପଞ୍ଚୁ ଅଧ୍ୟାୟ ପାଠ ହେବା ପରେ ପାଞ୍ଚ ଉପଚାର ରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ବାହୁଡା଼ ବିଜେ ହୁଅନ୍ତି।ଏହି ରାହାସର ନାମ ଗୋପୀ ତିଳକ ରାହାସ ବା #ପ୍ରାବୃଟରାହାସ ବା ଗୁଣ୍ଡିଚା ରାହାସ।ଗୋପୀ ମାନେ ମହାପ୍ରଭୁଙ୍କ ଶରୀରରୁ ଆବିର୍ଭୂତ ହୋଇ ଲୀଳା ଶେଷରେ ମହାପ୍ରଭୁଙ୍କ ଶରୀରରେ ହିଁ ବିଲୀନ ହୁଅନ୍ତି, ତେଣୁ ଏହି ରାହାସ ର ନାମ ମଧ୍ୟ ଗୋପୀ ତିଳକ ରାହାସ।ଶ୍ରୀଦେବୀଙ୍କ ଅନୁପସ୍ଥିତିରେ ଏହି ରାହାସ ହେଉଥିବାରୁ ଏହାର ଅନ୍ୟନାମ ପ୍ରାବୃଟ ରାସ ବୋଲି ମଧ୍ୟ କୁହାଯାଏ।
ଉପସ୍ଥାପନା : ଲେଖକ – ଦାମୋଦର ପାଢ଼ୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ