ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହର ବଡଖେମୁଣ୍ଡି ହାଇସ୍କୁଲ ପଡିଆ ତଥା ମିନିଷ୍ଟାଡିୟମ୍ ଏବେ ରକ୍ଷଣାବେକ୍ଷଣ ଅପେକ୍ଷାରେ ରହିଛି । ଷ୍ଟାଡିୟମ୍ରେ ଦୁଇ ଗୋଟି ଦର୍ଶକ ଗାଲେରୀ ରହିଥିବା ବେଳେ ଉଭୟ ଏବେ ନଷ୍ଟ ହେବାରେ ଲାଗିଛି । ଗୋଟିଏ ଗାଲେରୀ ସମ୍ପୂର୍ଣ୍ଣ ଭାବେ ପରିତ୍ୟକ୍ତ ହୋଇ ପଡି ରହିଛି । ସେହିପରି ମିନିଷ୍ଟାଡିୟମ କେବଳ କାଗଜ ପତ୍ରରେ ସିମୀତ ରହିଥିବା ବେଳେ କ୍ରୀଡା ବିଦ୍ ମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଉନଥିବା ବେଳେ ଜିଲା କ୍ରୀଡା ବିଭାଗ ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି । ଦିଗପହଣ୍ଡି ସହର ତଥା ଆଖପାଖ ଅଞ୍ଚଳର କ୍ରୀଡା ବିଦ୍ ମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବଡଖେମୁଣ୍ଡି ହାଇସ୍କୁଲ ପଡିଆରେ ମିନିଷ୍ଟାଡିୟମ ସ୍ଥାପିତ କରିବା ପାଇଁ ଗତ ୨୦୦୫ ଡିସେମ୍ବର ୧୧ରେ ଭୂମୀପୂଜା କରାଯାଇଥିଲା । ମିନିଷ୍ଟାଡିୟମ୍ କାର୍ଯ୍ୟାରମ୍ଭ କରାଯାଇ ଗତ ୨୦୧୦ ଅଗଷ୍ଟ ୯ରେ ଦର୍ଶକ ଗାଲେରୀର ଉଦ୍ଘାଟନ କରାଯାଇଥିଲା । ସେବେଠାରୁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ମିନିଷ୍ଟାଡିୟମ୍ କିମ୍ବା ଦର୍ଶକ ଗାଲେରୀର ରକ୍ଷଣା ବେକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ସମ୍ପ୍ରତ୍ତି ମିନିଷ୍ଟାଡିୟମ୍ ମଧ୍ୟରେ ବାହ୍ୟ ବ୍ୟାୟାମ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି । ଦୈନିକ ମିନିଷ୍ଟାଡିୟମ୍ ମଧ୍ୟରେ କ୍ରିକେଟ୍, ଫୁଟବଲ୍, ଭଲିବଲ୍ ଆଦି ଖେଳ ମାନ ଅନୁଷ୍ଠିତ ହେଉଥିବା ବେଳେ ଗୋଟିଏ ଗାଲେରୀ ଅଭାବତାକୁ ପୂରଣ କରିପାରୁନଥିବା ଅଭିଯୋଗ ହୋଇଛି । ସେହିପରି ପରିତ୍ୟକ୍ତ ଅବସ୍ଥାରେ ମିନିଷ୍ଟାଡିୟମ୍ ପାଚେରୀକୁ ଲାଗି ରହିଥିବା ଗାଲେରୀ ଦେଇ କେହି ଯିବାକୁ ଭୟ କରୁଥିବା ବେଳେ ଏହାକୁ ସଫେଇ କରାଯାଇ ମରାମତି କରିବା ପାଇଁ କ୍ରୀଡାବିଦ୍ ମାନେ ଦାବୀ କରିଛନ୍ତି । ମିନିଷ୍ଟାଡିୟମର ସବୁ ସ୍ଥାନରେ ପିଚ୍ ସଠିକ୍ ଭାବେ ନଥିବା ବେଳେ ସହରର କ୍ରୀଡୀ ପ୍ରେମୀ ମାନଙ୍କ ଆବଶ୍ୟକତାକୁ ଏହା ମେଣ୍ଟାଇପାରୁନଥିବା ଜାଣିବାକୁ ମିଳିଛି । ଏଥି ଯୋଗୁଁ କ୍ରୀଡା ପ୍ରେମୀମାନେ ମିନିଷ୍ଟାଡିୟମ୍ରେ ନଖେଳି ସହର ଉପକଣ୍ଠରେ ରହିଥିବା ଖେଳ ପଡିଆ ମାନଙ୍କରେ ଖେଳ ଖେଳୁଥିବା ଦେଖିବାକୁ ମିଳିଛି । ସେହିପରି ମିନିଷ୍ଟାଡିୟମ୍ରେ ବିଭିନ୍ନ ପ୍ରକାର ଟୂର୍ଣ୍ଣାମେଣ୍ଟ ଲାଗିବା ସମୟରେ ହିଁ ଆୟୋଜକ କମିଟି ମାନଙ୍କ ପକ୍ଷରୁ ମିନିଷ୍ଟାଡିୟମ୍ ଓ ଦର୍ଶ ଗାଲେରୀର ରକ୍ଷଣା ବେକ୍ଷଣ ତଥା ପୁନଃଉଦ୍ଧାର ମାନ କରାଯାଉଥିବା ବେଳେ ଜିଲା କ୍ରୀଡା ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନକରିଲେ ଆସନ୍ତା ଦିନରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠାଳୟରେ ଅଭିଯୋଗ ପତ୍ର ଦାଖଲ କରାଯିବ ବୋଲି ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ଚନ୍ଦନ ପଣ୍ଡା, ନୃସିଂହ ଚରଣ ବେହେରା, ରିତେଶ୍ ବେହେରା, ମନୋଜ ସାହୁ, କାହ୍ନା ବେହେରା, ସୁମନ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି । ସମ୍ପ୍ରତ୍ତି ମିନିଷ୍ଟାଡିୟମ୍ର ଭୂମୀ ପୂଜା ଫଳକଟିର ହାଲତ ଖରାପ ହୋଇଯାଇଥିବା ବେଳେ ଗାଲୋରୀ ଉଦ୍ଘାଟନ ଫଳକଟି କେଉଁଆଡେ ନିଶ୍ଚିହ୍ନ ହୋଇଯାଇଛି ତାହାର ଟେର୍ ମିଳୁନଥିବା ଦେଖିବାକୁ ମିଳିଛି । ଉଚ୍ଚବିଭାଗୀୟ କର୍ତ୍ତୃପକ୍ଷ ପରିଦର୍ଶନରେ ଆସି ଆବଶ୍ୟକତାକୁ ଅନୁଭବ କରି ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ଜୋର୍ ଧରିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା