ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ୧୦ଟି ଯାକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘବର୍ଷ ଧରି ଡାକ୍ତର ନ ଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ବେଳେ ଆଜି ନାମ୍ପୋଠାରେ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଡାକ୍ତର ନିଯୁକ୍ତି ପାଇଁ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ନାମ୍ପୋ, ସମ୍ପତ୍ତିଆ, ନେତୁଆ, ଖାଲିନା ଓ ସୁଗୋ ପଂଚାୟତର ପ୍ରାୟ ୨୫ହଜାର ଲୋକ ସ୍ୱାସ୍ଥ୍ୟସେବା ଲାଗି ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି । ଦୀର୍ଘବର୍ଷ ଧରି ଏଠାରେ କେହି ଡାକ୍ତର ନ ଥିବାରୁ ବିଭିନ୍ନ ସମୟରେ ଗଣତାନ୍ତ୍ରିକ ମହିଳା ସମିତି ଓ ଅନ୍ୟବହୁ ସଂଗଠନ ପକ୍ଷରୁ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଓ ବିକ୍ଷୋଭ ସହିତ ଧାରଣା ମାନ ହୋଇ ହୋଇ ଆସୁଛି । ଡାକ୍ତର ନିଯୁକ୍ତିର ପ୍ରତିଶୃତି ପାଣିର ଗାର ହୋଇଛି । ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନାମରେ ଡିଣ୍ଡିମ ପିଟୁଥିବା ବେଳେ ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ୫ଟି ପଂଚାୟତରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ତେଣୁ ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ପୂର୍ବାହ୍ନ ୯ ଘଟିକାଠାରୁ ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଅହରାତ୍ରୋ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ବୀଣାପାଣି କାମିଳା, ସମ୍ପାଦିକା ସ୍ନେହଲାତା ପଣ୍ଡା, ଶାନ୍ତିଲତା ପ୍ରଧାନ, ରଶ୍ମିତା ପ୍ରଧାନ, ସୁନୀତା ପ୍ରଧାନ, ଆରତୀ ପଲେଇ, ସବିତା ଭୂୟାଁ, ଝରଣା ଦାସ, ଦିଲ୍ଲିପ କୁମାର ଗିରି, ରବିନ୍ଦ୍ର ବାରିକ, ସେକ୍ ସାଦିକ୍, ପଲ୍ଟୁ ଦାସ, ମମତା ପ୍ରଧାନ, ବନଲତା ପାତ୍ର, ସରସ୍ୱତୀ ପାତ୍ର, ପୁଷ୍ପିତା ପାତ୍ର, ରଂଜିତା ଭୂୟାଁ, ମମତା ଭୂୟାଁ ପ୍ରମୁଖ ନେତୃତ୍ୱ ନେଇଥିଲେ । ଖବର ପାଇ ସଂଧ୍ୟାରେ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲା କୁଷ୍ଠ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର , ହାତୀଗଡ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚି ୧୫ଦିନ ମଧ୍ୟରେ ଡାକ୍ତର ନିଯୁକ୍ତି ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା