ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ସ୍ଥିତ ନାଲକୋ ଭବନରେ ନାଲକୋର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନାଲକୋର ସିଏମଡି ଆର. କେ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନବସମ୍ବଳ ନିର୍ଦ୍ଦେଶକ ରାଧା ଶ୍ୟାମ ମହାପାତ୍ର, ଉତ୍ପାଦନ ନିର୍ଦ୍ଧେଶକ ଭୀ ବାଲ୍ ସୁବ୍ରମଣ୍ୟମ, ବାଣିଜ୍ୟ ନିର୍ଦ୍ଧେଶକ ପି. କେ ମିଶ୍ର ଏବଂ କମ୍ପାନୀର ସି.ଭି.ଓ ସୋମନାଥ ହାଂସଦା ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ସଂସ୍ଥା ଓ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭିନ୍ନକ୍ଷମଙ୍କ ଶିକ୍ଷାଦାନ ଓ ଥଇଥାନ କାର୍ଯ୍ୟ ପାଇଁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘକୁ ନାଲକୋ ସ୍ମାଇଲ ସମ୍ମାନ ପ୍ରଦାନ ପୂର୍ବକ ୧ ଲକ୍ଷ ଟଙ୍କାର ନଗଦ ରାଶି ସହିତ ଫୁଲତୋଡ଼ା, ଏକ ଟ୍ରଫି ଓ ଉତ୍ତରଣ ପ୍ରଦାନ କରାଯାଇଥିଲା । ମହାସଂଘ ତରଫରୁ ସାଧାରଣ ସମ୍ପାଦକ ଡ଼ଃ କେ ଆନନ୍ଦ ରାଓ ଏହାକୁ ଗ୍ରହଣ କରିଥିବା ବେଳେ ମହାସଂଘର ସଭାନେତ୍ରୀ ୱାଇ ଲକ୍ଷ୍ମୀ, କୋଷାଧ୍ୟକ୍ଷ ସରୋଜିନୀ ସେଠୀ, ସଭ୍ୟା ବବିତା ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ପ୍ରଫୁଲ୍ଲ ମିଶ୍ର ଓ ରଘୁନାଥ ପଣ୍ଡାଙ୍କୁ ନାଲକୋ କାଳିଦାସ ସମ୍ମାନ, ଭରତ ଗିରି, ରୁପଶ୍ରୀ ମହାପାତ୍ର, ଗୌରୀଶଙ୍କର ଓ ମଞ୍ଜୁଶ୍ରୀଙ୍କୁ ନାଲକୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ସମସ୍ତ ପୁରସ୍କୃତ ସଂସ୍ଥା ଓ ବ୍ୟକ୍ତି ମାନଙ୍କୁ ତାଙ୍କର ଅବଦାନ ପାଇଁ ପ୍ରସଂଶା କରିବା ସହ ୪୦ ବର୍ଷରେ ପଦାର୍ପଣ କରିଥିବା ନାଲକୋର ଭବିଷ୍ୟତ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଶେଷରେ ବିଖ୍ୟାତ କଣ୍ଠ ଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲ୍ଲିତ୍ ଓ ତାଙ୍କ ପରିବାର ତରଫରୁ ସୁମଧୁର ସଙ୍ଗୀତ ପରିବେଷଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା