ନିମାପଡ଼ାକୁ ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ବିଧାନ ସଭା ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର  – ଓଡ଼ିଶା ବିଧାନ ସଭା ସମ୍ମୁଖସ୍ଥ ଲୋୟର ପିଏମ୍ଜିଠାରେ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଅଂଚଳର ଶହ ଶହ ଜନସାଧାରଣ ନିମାପଡ଼ାକୁ ଏକ ରାଜସ୍ୱ ସବ୍-ଡିଭିଜନ ଘୋଷଣା ଦାବିରେ ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ । ଉକ୍ତ ଗଣଧାରଣା ଓ ବିକ୍ଷୋଭ ନିମାପଡ଼ା ରାଜସ୍ୱ ଉପଖଣ୍ଡ କି୍ରୟାନୁଷ୍ଠାନ କମିଟି ତରଫରୁ ଓ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚର ନିମାପଡ଼ା, କାକଟପୁର, ଗୋପ, ଅସ୍ତରଙ୍ଗ ଶାଖା, ପ୍ରାଚୀ ସୁରକ୍ଷା ସମିତି, କାକଟପୁର ଯୁବ ପରିଷଦ, ଅସ୍ତରଙ୍ଗ, ଅବସରପ୍ରାପ୍ତ ସେନା ଅଧିକାରୀ, ନିମାପଡ଼ା ଓକିଲ ସଂଘ, କାକଟପୁର ଓକିଲ ସଂଘ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ପ୍ରକାଶଥାଉକି, ସତୁରୀ ଦଶକରେ ଓଡ଼ିଶାରେ ୫୨ଟି ରାଜସ୍ୱ ସବ୍ଡ଼ିଭିଜନ ଓ ୧୩ଟି ଜିଲ୍ଲା ଥିଲା । ନୂତନ ସବ୍ଡ଼ିଭିଜନ ଗଠନ ସମ୍ପର୍କରେ ଜଷ୍ଟିସ ଦାଶ କମିଶନ ଅଗ୍ରାଧିକାର ଭିତିରେ ଲୋକ ସଂଖ୍ୟା ଓ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ବିଚାର କରି ନିମାପଡ଼ାକୁ ଏକ ସବ୍-ଡ଼ିିଭିଜନ ଭାବରେ ଘୋଷଣା କରିବା ପାଇଁ ସୁପାରିଶ କରିଥିଲେ । ଇତି ମଧ୍ୟରେ ଜିଲ୍ଲା ସଂଖ୍ୟା ୩୦ ଓ ସବ୍-ଡ଼ିଭିଜନ ସଂଖ୍ୟା ୫୮କୁ ବୃଦ୍ଧି ପାଇଥିଲେ ମଧ୍ୟ ଉକ୍ତ କମିଶନଙ୍କ ସୁପାରିଶ ନାଲିପତା ତଳେ ରହିଯାଇଛି । ରାଜ୍ୟର ନୂତନ ଜିଲ୍ଲାମାନଙ୍କ ମଧ୍ୟରୁ ଝାରସୁଗୁଡ଼ା, ଦେବଗଡ଼, ଗଜପତି ଓ ବୌଦ୍ଧ ଜିଲ୍ଲାର ଲୋକ ସଂଖ୍ୟା ପ୍ରସ୍ତାବିତ ନିମାପଡ଼ା ସବ୍-ଡ଼ିଭିଜନର ଲୋକ ସଂଖ୍ୟାର ଯଥେଷ୍ଟ କମ୍ ଏବଂ ପୁରୀ ଜିଲ୍ଲାରେ ଲୋକ ସଂଖ୍ୟା ଅନ୍ୟମାନଙ୍କ ଠାରୁ ବହୁ ଅଧିକ ଥିଲେ ମଧ୍ୟ ଏହି ଜିଲ୍ଲାରେ ଗୋଟିଏ ମାତ୍ର ସବ୍-ଡ଼ିଭିଜନ ଅଛି । ପୁରୀ ଜିଲ୍ଲାର ସବ୍-କଲେକ୍ଟର ପୁରୀ ମନ୍ଦିର, କୋଣାର୍କ ମନ୍ଦିର, ଚିଲିକା ହ୍ରଦ ଇତ୍ୟାଦି ଅଂଚଳର ନିରାପତା, ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ବ୍ୟସ୍ତ ରହୁଥିବାରୁ ଉପରୋକ୍ତ ଅଂଚଳର ଜନସାଧାରଣଙ୍କ ପାଇଁ ଅଧିକ ସମୟ ନଦେଇ ପାରିବା ସ୍ୱାଭାବିକ । ଇତି ମଧ୍ୟରେ ନିମାପଡ଼ାରେ ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି କ୍ରମେ ଅତିରିକ୍ତ ଜିଲ୍ଲାଜଜ କୋର୍ଟ ଖୋଲିଥିଲେ ମଧ୍ୟ ଏଠାରେ ରାଜସ୍ୱ ସବ୍-ଡ଼ିଭିଜନ ନଥିବାରୁ ଏସ୍.ଡ଼ି.ଜେ.ଏମ୍.ଙ୍କ ସ୍ଥାନରେ ଜଣେ ଜେ.ଏମ୍.ଏଫ୍.ସି. ଦାୟିତ୍ୱରେ ଅଛନ୍ତି । ଏପରିକି ନିମାପଡ଼ାଠାରେ ଥିବା ଜେଏମ୍ଏଫ୍ସି ଏକ ଉପଖଣ୍ଡସ୍ତରୀୟ କାରାଗାର ମଧ୍ୟ ପ୍ରତିଷ୍ଠା ହୋଇସାରିଛି । ଅନ୍ୟ ସମସ୍ତ ବିଭାଗର ଉପଖଣ୍ଡସ୍ତରୀୟ ଅଫିସ୍ମାନ ଏଠାରେ କାର୍ଯ୍ୟ କରୁଥିଲେ ମଧ୍ୟ ନିମାପଡ଼ାକୁ ରାଜସ୍ୱ ସବ୍-ଡ଼ିଭିଜନ ଘୋଷଣା ନ ହେବାରୁ ଏ ଅଂଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ରାଜସ୍ୱ ବିଭାଗ ପତ୍ର ସଂଖ୍ୟା ୭୧୭୨ ତା ୧୮.୭.୨୦୧୩ରେ ନିମାପଡ଼ା ବାର୍ ଆସୋସିଏସନକୁ ରାଜସ୍ୱ ସବ୍-ଡ଼ିଭିଜନ ଖୋଲିବା ସକ୍ରିୟ ବିଚାରଧୀନ ଥିବା ଉଲ୍ଲେଖ କରିଛନ୍ତି ।ରାଜସ୍ୱ ସବ୍-ଡ଼ିଭିଜନ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ଗୋପ ବିକାଶ ପରିଷଦ, ନିମାପଡ଼ା ବିକାଶ ପରିଷଦ, ବାର ଆସୋସିଏସନ ସମୂହ ଉକ୍ତ ଗଣଧାରଣାରେ ଯୋଗ ଦେଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ଦିଆଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ଆଡ଼ଭୋକେଟ ସୁଧୀର ଚରଣ ମହାନ୍ତି ସଭାପତିତ୍ୱ କରିଥିଲେ । ଏହି ଗଣଧାରଣାରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚର ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ, ନିମାପଡ଼ା ବାର ଆସୋସିଏସନର ସଭାପତି ଆଡ଼ଭୋକେଟ ପ୍ରଭାତ ବେହେରା, ଉପସଭାପତି ରଣଜିତ୍ ସାହୁ, କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ସରପଂଚ ବନ ରଞ୍ଜନ ପଟ୍ଟନାୟକ, ଲକ୍ଷ୍ମୀଧର ପ୍ରଧାନ, ଜ୍ଞାନରଞ୍ଜନ ସାହୁ, ପ୍ରଗତି ବରାଳ, ରେଣୁବାଳା ମାଝି, ମଞ୍ଜୁଳା ଷଡ଼ଙ୍ଗୀ, ଅଶ୍ୱିନୀ ପଟ୍ଟନାୟକ, ସତ୍ୟପ୍ରିୟ ନାୟକ, ନରେନ୍ଦ୍ର ଦାଶ, ସିପିଆଇ ନେତା ଦେବେନ୍ଦ୍ର ସାହୁ, ଆଶିଷ କାନୁନ୍ଗୋ, କୃଷ୍ଣଚନ୍ଦ୍ର ରାଉତ, ମଂଚ ନିମାପଡ଼ା ସଭାପତି ଗଦାଧର ପରିଡ଼ା, ସମ୍ପାଦକ ପ୍ରଶାନ୍ତ ସାହୁ, ସନ୍ତୋଷ ପ୍ରଧାନ, ସ୍ୱପ୍ନେଶ୍ୱର ସାହୁ, ଗଗନ ପାତ୍ର, ଆଇନ୍ଜୀବୀ ଦିଲ୍ଲୀପ ପଟ୍ଟନାୟକଙ୍କ ସମେତ ୫୦୦ରୁ ଉଦ୍ଧ୍ୱର୍ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବା ସହିତ ଆଗାମୀ ଦିନରେ ସଂଗ୍ରାମକୁ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ ।