ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ହୋଇ ଆସୁଥିବା ବେଳେ ଏବେ ଏକ ସ୍କୁଲଘର ନିର୍ମାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ସୂଚନା ମିଳିଛି । ଏ ସଂପର୍କରେ ଗ୍ରାମବାସୀ ବିଡିଓଙ୍କୁ ଜଣାଇ ନ୍ୟାୟ ନ ପାଇବାରୁ ଜିଲାପାଳ, ବିଧାୟକ, ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜଳେଶ୍ୱର ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିୟତା ଓ ଦୁର୍ନୀତି ହୋଇ ଆସୁଥିବାର ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ୨୦୧୯-୨୦ରେ ଝଡାପିମ୍ପଳ ଗାଁର ଶଙ୍କର ଘୋଷଙ୍କ ନାମରେ ଏକ ଆବାସ ଯୋଜନା ମଞ୍ଜୁର କରାଇ ସମସ୍ତ ଅର୍ଥ ବ୍ୟାଙ୍କ ଜରିଆରେ ହରିଲୋଟ କରାଯାଇଥିଲା । ଏଥିନେଇ ବିଡିଓ ନିଦାବିଷ୍ଣୁ ସାଜିଥିବା ବେଳେ ହିତାଧିକାରୀ ଶଙ୍କର ଘୋଷ ସସ୍ତ୍ରୀକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏଥିରେ ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୋଇ ବ୍ଲକ ମିସ୍ଲେନିଆସ୍ ଜମାଖାତାରେ ୯୦ ହଜାର ଟଙ୍କା ଜମି କରି ବିଡିଓ ଓ ଅଭିଯୁକ୍ତମାନେ ଖସିଯାଇଥିଲେ । ଏବେ ଅନ୍ୟଏକ ଅଭିଯୋଗ ପଶ୍ଚିମବାର୍ଡ ପଞ୍ଚାୟତର ଦେବକୁମାର ଗ୍ରାମର ଗୌରାଦେଇ ପାଟଣା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଦେଖିବାକୁ ମିଳିଛି । ଏହି ଘର ଲାଗି ୫ଲକ୍ଷ୩୦ ହଜାର ଟଙ୍କା ବ୍ୟୟବରାଦର ଆକଳନ ହୋଇଥିବା ବେଳେ ମାତ୍ର ୨୭୨ ବର୍ଗ ଫୁଟ ଏକ ଛୋଟ ନିମ୍ନମାନର ଘରଟିଏ ହୋଇଥିବାର ଦେଖିବାକୁ ମିଳିଛି । ୨୦୧୮-୧୯ରେ ଏହି ଘରର ନିଅଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୨୦ ନଭେମ୍ବର ମାସରେ ଏହାର ଛାତ ପଡି କାର୍ଯ୍ୟ ବନ୍ଦ ରହିଛି । ଏହା ବିଦ୍ୟାଳୟର ଏକ ଶ୍ରେଣୀ ଗୃହ ହୋଇଥିବା ବେଳେ ଏହାର ବାରଣ୍ଡା ନଥିବାରୁ ଛାତ୍ରଛାତ୍ରୀମାନେ ବ୍ୟବହାର କରିବା ଅସମ୍ଭବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଗୋଷ୍ଠୀ ଶିକ୍ଷାଅଧିକାରୀ, ଜଳେଶ୍ୱର ବିଧାୟକ, ଜିଲାପାଳ, ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ନ୍ୟାୟ ଚାହିଁଛନ୍ତି । କେଉଁ ଯୋଜନାରେ ଏହି ଗୃହ ନିର୍ମାଣ ହୋଇଛି ତାର ଫଳକ, ଆକଳନ ମୂଲ୍ୟ, ସମୟସୀମାର ଫଳକ ନଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟର ଭିଜିଲାନ୍ସ ଓ କ୍ରାଇମ୍ବ୍ରାଞ୍ଚତଦନ୍ତଲାଗି ଆଜି ଗ୍ରାମବାସୀମାନେ ଦାବି କରିଛନ୍ତି ।