ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ବିଜେଡ଼ି ସରକାରର କାଳିଆ ଯୋଜନା ଏକ ମସୁଧା- କିଷାନ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୃଷି କ୍ଷେତ୍ରରେ ଦୀର୍ଘସ୍ଥାୟୀ ବ୍ୟବସ୍ଥାର ଲକ୍ଷ୍ୟ ରଖି ଚାଷୀଙ୍କୁ ସାମୟିକ ଭାବରେ ଆଶ୍ୱସ୍ତି ଦେବା ପାଇଁ ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ କଂଗ୍ରେସ ସରକାର କୃଷିଋଣ ଛାଡ଼ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ଏହାକୁ ଏଡ଼ାଇ ଦେଇ ଯେଉଁ କାଳିଆ ଯୋଜନା ଘୋଷଣା କରିଛନ୍ତି ଏହା ଚାଷୀଙ୍କ ହିତରେ କୌଣସି ସୁଫଳ ଆଣିବ ନାହିଁ । ଏହି ଯୋଜନା ଦ୍ୱାରା ଆଜି ଗାଁ ଗଣ୍ଡାରେ ଅହେତୁକ କଳହ ଓ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି । ପରିବାର ପରିବାର ମଧ୍ୟରେ ମନାନ୍ତର ବଢ଼ିବାରେ ଲାଗିଛି । ଭାଇ ଭାଇ ଓ ବାପ ପୁଅରେ ଭିନ୍ନ, ଘୋଷଣା ଅନୁଯାୟୀ ଚାଷୀ ଫର୍ମଟିଏ ପାଉ ନାହିଁ । ନକଲି ଫର୍ମ ପାଇଁ ଉକ୍ରୋଚ ଦେବାକୁ ପଡ଼ୁଛି । ହିତାଧିକାରୀ ଚିହ୍ନଟ ହୋଇ ସହାୟତା ପାଇଲା ବେଳକୁ କଚେରୀ ବରଖାସ୍ତ ହୋଇଥିବ । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ହାତେଇବା ଓ ଚାଷୀ ଭୋଟରଙ୍କୁ ଏହା ଆଗୁଆ ଅର୍ଥ ବଣ୍ଟନର ଏକ ସୁ ପରିକଳ୍ପିତ ଯୋଜନା ବୋଲି ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ବିଜେଡ଼ିି ସରକାରର ଏପରି ନୀତିକୁ ଦୃଢ଼ ନିନ୍ଦା କରିଛନ୍ତି । ପଞ୍ଚାୟତ ସମିତିର ପ୍ରକାଶିତ ତାଲିକାରେ ପ୍ରକୃତ ଚାଷୀଙ୍କ ନାମ ନାହିଁ । ବଡ଼ ହେଉ କିମ୍ବା ସାନ ହେଉ, ଚାଷ କରୁଥିବା ପ୍ରକୃତ ଚାଷୀ ଏହି ଯୋଜନାରୁ ବାଦ୍ ପଡ଼ିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି । କୃଷି ଓ କୃଷକର ବିକାଶ ପାଇଁ ସରକାର ଆଜି ପର୍ଯ୍ୟନ୍ତ କୌଣସି ଏକ ଦୀର୍ଘସ୍ଥାୟୀ ଯୋଜନା କାର୍ଯ୍ୟକାରୀ କରି ନାହାନ୍ତି । ଗ୍ରାମାଞ୍ଚଳର କୃଷି ଭିତ୍ତିଭୂମି ଉଜୁଡ଼ି ଗଲାଣି । ଫଳରେ କୃଷି ଅର୍ଥନୀତିର ଅଧୋଗତି ଘଟିଛି । ସରକାରଙ୍କର ବିଭିନ୍ନ କୃଷି ଯୋଜନା ଓ ଘୋଷଣା ବାସ୍ତବତା ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯାହାର ନିଚ୍ଛକ ଉଦାହରଣ- ଚାଷୀଙ୍କୁ ମାଗଣା ବିଜୁଳି, ଧାନରେ ୧୦୦ ଟଙ୍କା ବୋନସ୍, ୩୫ ପ୍ରତିଶତ ଜଳସେଚନ, ଆଳୁ ମିଶନ୍ ପ୍ରଭୃତି ଫେଲ୍ ମାରିଛି । ଓଡ଼ିଆ ଢ଼ଗ ଅନୁଯାୟୀ ଯାହା ହୋଇ ନାହିଁ ବାଳୁତ କାଳେ, ତାହା କି ହୋଇବ ପାଚିଲା ବାଳେ ସେହିପରି ଯଥେଷ୍ଟ ପୂର୍ବରୁ ଚାଷ ଓ ଚାଷୀର ବିକାଶ ପାଇଁ ବ୍ୟବସ୍ଥା କରା ନ ଯାଇ ଆସନ୍ତା ନିର୍ବାଚନ ଆଉ ମାତ୍ର ତିନି ମାସ ବାକି ଥିବା ବେଳେ ଏହି ସରକାର ନିର୍ବାଚନ ବୈତରଣୀ ପାର ହେବା ପାଇଁ କାଳିଆ ଯୋଜନା ନାମରେ ଚାଷୀଙ୍କୁ ପୁଣି ଭୁଆଁ ବୁଲାଇବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ସରକାର ଓଡ଼ିଶାରେ ଚାଷୀ ସଂଖ୍ୟା କେତେ ତାର ପରିସଂଖ୍ୟାନ କଲେନାହିଁ । ଆସନ୍ତା ୩ ବର୍ଷ ପାଇଁ ୧୦ ହଜାର ୧୮୦କୋଟି ଟଙ୍କା ଏହି ଯୋଜନାରେ ବ୍ୟୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଯାହାକି ବାର୍ଷିକ ବଜେଟ୍ ବାହାରେ । ଯେପରି ଅଣ୍ଟିରେ ନ ଥାଇ ଧନ, ପୁଅ ବାହା କରି ମନ ସେହିଭଳି ମୁଖ୍ୟମନ୍ତ୍ରୀ ତାଙ୍କ ଶାସନ କାଳରେ ଶସ୍ତା ଲୋକପ୍ରିୟତାରେ ଅନେକଗୁଡ଼ିଏ ଯୋଜନାରେ୯୩ ହଜାର କୋଟି ଟଙ୍କା ଋଣ କରିସାରିଥିବା ବେଳେ ଆଜି ଚାଷୀଙ୍କ କଥା ମନେ ପକାଇ କାଳିଆ ନାଁରେ ଚାଷୀଙ୍କୁ ଭଣ୍ଡାଇବାକୁ ଯାଉଛନ୍ତି । ଯଦି ସରକାରଙ୍କର ଚାଷୀଙ୍କ ପ୍ରତି ତିଳେମାତ୍ର ଆନ୍ତରିକତା ଥାଏ ଋଣ ଭାରରେ ଥିବା ରାଜ୍ୟର ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼ କରିବା ସହିତ ଛତିଶଗଡ଼ ସରକାରଙ୍କ ଭଳି ରାଜ୍ୟ ପାଣ୍ଠିରୁ ପ୍ରତି ଧାନ କ୍ୱିଣ୍ଟାଲରେ ୭୫୦ ଟଙ୍କା ଚାଷୀଙ୍କୁ ବୋନସ ଦେବା ପାଇଁ ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର