ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ନିର୍ବାଚନ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ୪୪ ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ୱାରେଣ୍ଟ ଜାରୀ କରିଛନ୍ତି । ସେମାନଙ୍କ ବ୍ୟକ୍ତିଗତ ଭାବରେ ଆଣି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ହାଜର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୧୧ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ଆସନ ଏବଂ ଗୋପାଳପୁର, ଚିକିଟି, ବ୍ରହ୍ମପୁର, ଛତ୍ରପୁର ଓ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜନପ୍ରତିନିଧି ଆଇନ ଅନୁଯାୟୀ ନିର୍ବାଚନ କାର୍ଯ୍ୟ ବାଧ୍ୟତା ମୂଳକ ହୋଇଥିବାରୁ ଯେଉଁ ସରକାରୀ କର୍ମଚାରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ସେମାନେ କୌଣସି ପରିସ୍ଥିତିରେ ଅବହେଳା ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରି ନିର୍ଦ୍ଦେଶ ସତ୍ତ୍ୱେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୧ ଜଣ, ଗୋପାଳପୁର ନିର୍ବାଚନ ମଣ୍ଡଳୀର ୬ ଜଣ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ୧୫ ଜଣ, ଚିକିଟି ନିର୍ବାଚନ ମଣ୍ଡଳୀର ୫ ଜଣ ଏବଂ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ୭ ଜଣ ପ୍ରିଜାଇଡ଼ିଂ ଏବଂ ପୋଲିଂ ଅଧିକାରୀ ଅନୁପସ୍ଥିତ ଥିଲେ । ଏମାନଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରୀ କରାଯିବା ସହିତ ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନିକ ଆଦେଶ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆଗାମୀ ୧୮ତାରିଖରେ ଅନୁଷ୍ଠିତ ହେବ । ଏଥିରେ ନିର୍ବାଚନ କାର୍ଯ୍ୟ ସହିତ ସଂପୃକ୍ତ କୌଣସି କର୍ମଚାରୀ ଅନୁପସ୍ଥିତ ନ ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରୀ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା