ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ନିର୍ଭୟ କଢିର ଜିଲ୍ଲା ଟାକ୍ସଫୋର୍ସ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ବିବାହ ଆଜି ଗୋଟିଏ ବଡ ସାମାଜିକ ସମସ୍ୟା ଓ କୁସଂସ୍କାର ଭାବେ ପରିଗଣିତ ହୋଇ ଆସୁଅଛି । ସଚେତନତାର ଅଭାବରୁ ବାଲ୍ୟ ବିବାହ କରାଯାଉଛି । ନିର୍ଭୟ କଢି ଯୋଜନାର କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି । ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣରୂପେ ଦୂରୀକରଣ କରିବା ଏବଂ କିଶୋର ଓ କିଶୋରୀ ମାନଙ୍କୁ ସଶକ୍ତକରଣ କରିବା ନିର୍ଭୟ କଢି ଯୋଜନା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ନିର୍ଭୟ କଢି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗ୍ରାମରେ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରି ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୂପେ ଦୂରୀକରଣ କରିବାକୁ ପଡିବ । ବିଦ୍ୟାଳୟ ସ୍ତରରେ ପ୍ରାର୍ଥନା ପରେ ପରେ ଏହି ଯୋଜନା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ମାନେ ଅବଗତ କରାଇବେ । ଜିଲ୍ଲାର ସମସ୍ତ ବିଦ୍ୟାଳୟର ପାଚେରୀ କାନ୍ଥରେ ‘ବାଲ୍ୟ ବିବାହକୁ ନା’ କରିବା ବାର୍ତ୍ତା ସହିତ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ପାଇଁ ମୋବଲ ନମ୍ବର ୯୪୩୭୫୬୩୮୦୦ ଏବଂ ଚାଇଲଡ ହେଲ୍ପ ଲାଇନ ନଂ ୧୦୯୮ ଲେଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନୱାଡିର ପ୍ରୋଜେକ୍ଟ ଓ ସେକ୍ଟର ବୈଠକରେ ରାଜ୍ୟ ବିବାହର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଇବା ପାଇଁ ଏଜେଣ୍ଡା ରହିବ । ପଥପ୍ରାନ୍ତ ନାଟକ ମାଧ୍ୟମରେ କୁଳ ସମାଜ ଓ ଗ୍ରାମସଭା ଜରିଆରେ ନିର୍ଭୟ କଢି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିରୋଧ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଚାଇଲଡ ଲାଇନ, ଆରକ୍ଷୀ ବିଭାଗ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଗତ ତିନି ମାସ ମଧ୍ୟରେ ୮ଟି ଏବଂ ଚଳିତ ବର୍ଷ ଜାନୁୟାରୀ ମାସରୁ ଆଜି ପର୍ଯ୍ୟନ୍ତ ୩୮ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଛି । ଜିଲ୍ଲାରେ ବାଲ୍ୟ ବିବାହ ରୋକିବାରେ ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧି ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯେଉଁ ମାନେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ସହଯୋଗ କରିବେ ସେମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ /ବିବାହ ସମୟରେ କୁଳସମାଜ ଓ ଅଙ୍ଗନୱାଡି କର୍ମୀଙ୍କୁ ପୁଅ ଝିଅଙ୍କର ଆଧାରକାର୍ଡ଼, ବିଦ୍ୟାଳୟର ପ୍ରମାଣ ପତ୍ର କିମ୍ବା ଜନ୍ମ ପ୍ରମାଣ ପତ୍ର ଦେଖାଇବେ । ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ଗୋଟିଏ ସପ୍ତାହ ଅନୁପସ୍ଥିତ ରହିଲେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ । ଡିସେମ୍ବର ମାସ ଶେଷ ସପ୍ତାହ କିମ୍ବା ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ସ୍ୱତନ୍ତ୍ର ଗ୍ରାମ ସଭା ଡକାଇ ନିର୍ଭୟ କଢି ଓ ମୋ ଗେହ୍ଲା ଝିଅ ଯୋଜନା ସମ୍ପକରେ ଜନସାଧାରଣଙ୍କୁ ଅବଗତ କରାଇବେ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବ୍ରତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଶିଶୁ ମଙ୍ଗଳ କମିଟିର ସଦସ୍ୟା ସି.ଏଚ. ଜ୍ୟୋତି କୁମାରୀ, ସାଧାରଣ ସହସଂଯୋଜକ, ସମଗ୍ର ଶିକ୍ଷା ଜ୍ୟୋତି ପ୍ରକାଶ ରଥ, ଏଡିଏମଓ ପରିବାର କଲ୍ୟାଣ ଡ଼.ଭି ସରୋଜିନୀ ଦେବୀ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଆକ୍ସନ ଏଡ଼ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଜିଲ୍ଲା ସ୍ୱଳ୍ପ ସଞ୍ଜୟ ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଚାଇଲଡ ଲାଇନ, ଲିପିକା, ଏସଏସଇସିଟି, ଅରୁଣା, ସେବା, କ୍ରୁସ, ସ୍ମାଇଲ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ବୋଲି ଲୋକସମ୍ପର୍କ ଅଧିକାରୀ ଶ୍ୟାମ ଘନ ପତ୍ର ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା