ଛତ୍ରପୁର (ସମୃଦ୍ଧ ଓଡିଶା) ଖୋଲା ଖୋଲି ଭାବେ ନିୟମ ଉଲ୍ଲଂଘନ କରୁଥିବା ଦୁଇଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ଜଣାପଡିଛି । କରେନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଠାରୁ ଲକଡାଉନ ଜାରି କରାଯାଇଛି । ଏହାସହ କିଛି ନିୟମ ମଧ୍ୟ କଡାକଡି କରାଯାଇଛି ଏବଂ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସଚେତନ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଦୁଇ ଓ ଚାରି ଚକିଆ ଯାନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ଏହାସତ୍ତ୍ୱେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ କିଛି ଅମାନିଆ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବାର ଦେଖିବାକୁ ମିଳିଥିଲା । ପ୍ରଶାସନ ଓ ପୋଲିସ ପକ୍ଷରୁ ସହରରେ ପେଟ୍ରୋଲିଂ ଜାରି ରହିଥିବା ସତ୍ୱେ କିଛି ଲୋକ ସଚେତନ ନ ହୋଇ ନିୟମକୁ ଉଲ୍ଲଂଘନ କରୁଥିବା ଦେଖି ମଙ୍ଗଳବାର ଏନଏସି ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସହାୟତାରେ ଛତ୍ରପୁରର ସହରର ବିଭିନ୍ନ ଗଳିକନ୍ଦି ବୁଲି ଲକଡାଉନର ତଦାରଖ କରିବା ସହ ଦୁଇଟି ଦୋକାନକୁ ଏନଏସି ପକ୍ଷରୁ ୭ ଦିନ ପାଇଁ ସିଲ୍ କରାଯାଇଛି । ସେମାନେ ସାମାଜିକ ଦୂରତା ଓ କୋଭିଡ଼-୧୯କୁ ଉଲ୍ଲଙ୍ଘନ କରିଥିବା ଯୋଗୁଁ ଏନଏସି ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ଦିଆଯାଇଛି । ଏହାସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିନଥିବା କିଛି ଅମାନିଆଙ୍କଠାରୁ ୬,୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସହରର ଲୋକମାନେ କିପରି କରୋନାରୁ ଦୂରେଇ ରହି ସୁରକ୍ଷିତ ରହିବେ ସେଥିପାଇଁ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁଙ୍କ ନେତୃତ୍ୱରେ ବହୁ ସଚେତନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବାବୁ, ଅତିରିକ୍ତ ତହସିଲଦାର ଜସ୍ମିନ କୁମାର ପ୍ରଧାନ, ଏନଏସିର ଯୁଗଳ କିଶୋର ଦାସ, ଜଗଦୀଶ ରେଡ୍ଡି ଏସ.ଦାଲେୟା ରେଡ୍ଡି, ପ୍ରଭାକର ବେହେରାଙ୍କ ସମେତ ପୋଲିସ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା