ନୀଳକଣ୍ଠ ନଗରରେ କୃତ୍ରିମ ବନ୍ୟା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସି ଅଧିନସ୍ଥ ୧ ନଂ ୱାର୍ଡର ନୀଳକଣ୍ଠ ନଗର ପ୍ରଥମ ଲେନରେ ସୋମବାର କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ସାହି ବାସିନ୍ଦା ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି । ସାମୁଦ୍ରିକ ଝଡ଼ ଫଣି ପ୍ରଭାବରେ ଝଡ଼ ତୋଫାନ ହୋଇ ବର୍ଷା ଅନୁଭୂତ ହୋଇଥିଲା । ସାହିରେ ବର୍ଷା ଜଳ ନିଷ୍କାସନ ହୋଇନପାରି ନର୍ଦ୍ଧମା ଜଳ ସହିତ ମିଶି ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ସମ୍ପ୍ରତି ପୂର୍ତ୍ତ ବିଭାଗ ପକ୍ଷରୁ ସାହିରେ ସିମେଣ୍ଟ କଂକ୍ରିଟ ରାସ୍ତା ଗତ ୭ ମାସ ହେଲା ନିର୍ମାଣ ଚଳୁଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେଉନି । ଏନେଇ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା