
ଜଳେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମଗ୍ର ରାଜ୍ୟରେ ୪୦୦ଡାକ୍ତରଙ୍କୁ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଥିବା ବେଳେ ଜଳେଶ୍ୱରରେ ନିଯୁକ୍ତି ପାଇଥିବା ୧୪ ଡାକ୍ତରଙ୍କ ମଧ୍ୟରୁ ୮ଜଣ ଯୋଗ ନ ଦେବା ଓ ଯୋଗ ଦେଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ଉଚ୍ଚଶିକ୍ଷା ପାଇଁ ଯାଇଥିବା ଜଣଯାଇଛି । ସାରା ରାଜ୍ୟରେ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟସେବା ଏକପ୍ରକାର ଭୁସୁଡି ପଡିଥିଲା । ଫଳରେ ରୋଗୀମାନେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମାଲେମାଲ ହେଉଥିଲେ । କେତେକ ଡାକ୍ତରଙ୍କୁ ନୂତନ ନିଯୁକ୍ତି ଓ ପ୍ରମୋସନ ଦିଆଯାଇଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗ ନଦେଇ ସେମାନେ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରୁଥିଲେ ମଧ୍ୟ ସରକାର ସେମାନଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଡାକ୍ତର ପାଇଁ ସହରରୁ ଗ୍ରାମାଞ୍ଚଳଯାଏ ବିଭିନ୍ନ ଅଭିଯୋଗ ହୋଇ ଆସୁଥିବା ବେଳେ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟରେ ୪୦୦ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ । ସେହି ଅନୁଯାୟୀ ଜଳେଶ୍ୱରର ଛମୌଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ. ପଂକଜ ଦଳେଇ, ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ମୌସୁମୀ ସେନାପତି, ଲକ୍ଷ୍ମଣନାଥରେ ଡା. ଦେବବ୍ରତ ବେହେରା, ଜମାଳପୁରରେ ଡ. ଜ୍ୟୋତିପ୍ରକାଶ ବଳ, ଶିଖରପୁରରେ ଡ. ଖୁସ୍ରୁଅଲ୍ଲି ଖାଁ, ଶାଳବଣୀରେ ଡ. ଦିପ୍ତିଶେଖର ଧଡା, ହାତୀଗଡରେ ଡା. ଇନ୍ଦ୍ରାଣୀ ସ୍ୱାଇଁ, ଓଲମରାରେ ଡ. ଇନ୍ଦୁବାଳା ଜେନା, ଖୁଆଡରେ ଡା. ମୁକ୍ତିକାନ୍ତ ଗିରି ପ୍ରମୁଖଙ୍କୁ ନିଯୁକ୍ତି ମିଳିଥିଲା । ଏହା ବ୍ୟତୀତ ହାତୀଗଡରେ ଡ. ସୁସ୍ମିତା ନାୟକ, ଡ. ସସ୍ମିତା ମଲ୍ଲିକ, ଡ. ସତ୍ୟରୂପ ମହାନ୍ତି, ଡ. ବିଜେତା ଜେନା, ଡ. ସଦାଶିବ ପଣ୍ଡାଙ୍କୁ ମଧ୍ୟ ନିଯୁକ୍ତି ମିଳିଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ ୮ଜଣ ଯୋଗ ଦେବାକୁ ଆସିନଥିବା ବେଳେ ଅନ୍ୟ ୩ଜଣ ଯୋଗ ଦେଇ ପିଜି ପାଇଁ ଛୁଟିରେ ଯାଇଥିବା ଜଣାଯାଇଛି । ଫଳରେ ଜଳେଶ୍ୱର ସ୍ୱାସ୍ଥ୍ୟସେବା ଯେଉଁ ତିନିରକୁ ସେଇ ତିମିରେ ।
ରିପୋର୍ଟ : ଭୂପତି କୁମାର ପରିଡା