ନେସ୍କୋ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ କାର୍ଯ୍ୟରତ ପୋଲିସ୍‌, ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଓ ମିଡିଆ ବନ୍ଧୁକୁ ସରକାର କରୋନା ଯୋଦ୍ଧା ଘୋଷଣା କରି ଜିବନ ବିମାର ବ୍ୟବସ୍ଥା କରିଥିବା ବେଳେ ସବୁ ବେଳେ ବିପଦକୁ ହାତେଇ ନେଇଥିବା ନେସ୍କୋ କର୍ମଚାରୀଙ୍କୁ ସେଥିରେ ସାମିଲ କରିବା ଲାଗି ଆଜି ନେସ୍କୋ ଶକ୍ତି କର୍ମଚାରୀ ସଂଘ ଦାବି ଜଣାଇଛି । ଏଥିନେଇ ସେମାନେ କମ୍ପାନୀର ମୁଖ୍ୟ, ଜିଲାପାଳ ଓ ଶକ୍ତି ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଜଣେ ସରକାରୀ କର୍ମଚାରୀ ପୂର୍ବାହ୍ନ ୯ରୁ ସଂଧ୍ୟା ୫ଟା ଯାଏଁ ତାର କର୍ତ୍ତବ୍ୟ ସମ୍ପାଦନ କରେ । କିନ୍ତୁ ଜଣେ ବିଦ୍ୟୁତ୍ କର୍ମଚାରୀ ୨୪ ଘଣ୍ଟିଆ ଭଳି କାର୍ଯ୍ୟ କରିଥାଏ । ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକୀୟ ଶକ୍ତି ହୋଇଥିବାରୁ ଏବଂ ଏଥିରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଲକ୍‌ଡାଉନ୍ ସମୟରେ ସରକାରୀ ଘୋଷଣା ଭାବେ କରୋନା ଯୋଦ୍ଧାର ମାନ୍ୟତା ଦେଇ ବୀମା ସୁବିଧା ଯୋଗାଇ ଦେବାକୁ ସେମାନେ ଦାବୀ କରିଛନ୍ତି । କେବଳ କରୋନା ସମୟରେ ନୁହେଁ, କାଳବୈଶାଖ, ପ୍ରାକୃତିକ ଦୁର୍ବିପାକ ସମୟରେ ବିଦ୍ୟୁତ୍ ଯୋଗାଣ ଲାଗି ଜୀବନକୁ ବାଜି ଲଗାଇ କ୍ଷେତ୍ରରେ ବିପଦପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି । ସ୍ଥାୟୀ କର୍ମଚାରୀଙ୍କ ବ୍ୟତୀତ ସ୍ୱଳ୍ପ ଦରମାରେ କର୍ମଚାରୀ ବିଦ୍ୟୁତ୍ ସରବରାହ କାର୍ଯ୍ୟକ୍ରମରେ ନିୟୋଜିତ ଥିବାରୁ ଏବଂ କରୋନା ସମୟରେ କାର୍ଯ୍ୟ କରୁଥିବାରୁ ସରକାରୀ ଘୋଷଣା ଭଳି ପୋଲିସ୍‌, ସ୍ୱାସ୍ଥ୍ୟ ବିଭାଗ, ସଫେଇ କର୍ମଚାରୀ ପରି ବିଦ୍ୟୁତ୍‌ କର୍ମଚାରୀ ମାନଙ୍କୁ ୫୦ଲକ୍ଷ ଟଙ୍କାର ବୀମା ସୁବିଧା ଦେବାକୁ ନେସ୍କୋ କର୍ମଚାରୀ ସଂଘର ଜଳେଶ୍ୱର ଡିଭିଜନ ସଂଘ ପ୍ରଦୀପ କୁମାର ଜେନା ଏକ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି । ସ୍ଥାୟୀ କର୍ମଚାରୀ, କମ୍ ଦରମାରେ କାର୍ଯ୍ୟରତ ଆଉଟ୍ ସୋର୍ସ, ମିଟର ରିଡର, ବିଲିଂ କର୍ମଚାରୀ, ଷ୍ଟକ୍‌ଚର କର୍ମଚାରୀ, ଅପରେସନ୍ କଣ୍ଟକ୍ଟ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯିବାକୁ ସଂପାଦକ ଶ୍ରୀ ଜେନାଙ୍କ ସହିତ ହରିଶଂକର ସାହୁ, ଚନ୍ଦନ ଭୂୟାଁ, ଉମେଶ ସିଂ, ସୁଧାଂଶୁ ସେଖର ପଣ୍ଡା, ଦିଲ୍ଲିପ ଜେନା, ହରେକୃଷ୍ଣ ପ୍ରଧାନ, ଅଶୋକ ରଣା ଓ ପାର୍ଥସାରଥି ପାତ୍ର ପ୍ରମୁଖ ଦାବି ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା