ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଭୟାବହତାକୁ ଲକ୍ଷ୍ୟ କରି ସରକାର ପ୍ରତି ପଞ୍ଚାୟତରେ ଏକ ୧୦ ଶର୍ଯ୍ୟ ବିଶିଷ୍ଟ ଆଇସୋଲେସନ କେନ୍ଦ୍ର ଖୋଲିଛନ୍ତି । କିନ୍ତୁ କେତେକ ସ୍ଥାନରେ ଏପରି କେନ୍ଦ୍ରରେ ତାଲା ଝୁଲୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆଜି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ଆଇସୋଲେସନ କେନ୍ଦ୍ରଟି ସେଠାକାର ବିଶ୍ୱନାଥ ଏକାଡେମୀ (ହାଇସ୍କୁଲ)ରେ ଖୋଲାଯାଇଥିବାର ବ୍ଲକ ସୂତ୍ରରୁ ପ୍ରକାଶ । ୧୦ଜଣ ସନ୍ଦେହଯୁକ୍ତ ରୋଗୀ ସେଠାରେ ରହିବାର ବ୍ୟବସ୍ଥା କରାଯାଇଥିବାର ବିଡିଓ ଦିପ୍ତୀରଂଜନ ସେଠୀ ପୂର୍ବରୁ ସୂଚନା ଦେଇଛନ୍ତି । କିନ୍ତୁ ଆଜି ଲକ୍ଡାଉନ୍ର ୯ମ ଦିନରେ ମଧ୍ୟ ଉକ୍ତ କେନ୍ଦ୍ରରେ ତାଲା ଝୁଲୁଥିବାର ସେ ଗ୍ରାମର ଗୌରହରୀ ବେହେରା, ଗୋପାଳ ଜେନା, ସଂଜୟ ବେହେରା, ଗୋବିନ୍ଦ ସାହୁ, କ୍ଷିତିଶ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଆରଆର୍ପୁର ସରପଂଚ ଶୁଭସ୍ମିତା ଦାସଙ୍କୁ ପଚାରିବାରୁ ସେ କହିଲେ ଉକ୍ତ କେନ୍ଦ୍ରଟି ଜିଆରଏସ୍ ପ୍ରଦୀପ କୁମାର ନେତୃତ୍ୱରେ ଖୋଲା ରହିଛି ଏବଂ ରୋଷ୍ଟର ଡ୍ୟୁଟିରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଅଦ୍ୟାବଧି ଆଇସୋଲେସନ୍କୁ କେହି ରୋଗୀ ଆସିନଥିବା ସଂପର୍କରେ ସେ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା