ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଆଜି ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ ଲାଗି ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ଜନସମାଗମ ଲାଗି ରହିଛି । ଆଜି ସକାଳେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ପଂଚାୟତ ଜମାଳପୁର ନିକଟ ସୁବର୍ଣ୍ଣରେଖାନଦୀ କୂଳରେ ହଜାର ହଜାର ଲୋକଙ୍କର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ ଲାଗି ଭିଡ ଜମିଥିଲା । କେଉଁ ଆଦିମ କାଳରୁ ଜମାଳପୁର ଠାରେ ଏହି ପିଣ୍ଡଦାନ ପର୍ବ ପ୍ରତିବର୍ଷ ହୋଇ ଆସୁଥିବା ବେଳେ ଚଳିତବର୍ଷ ଅଧିକ ଲୋକ ସମାଗମ ହୋଇଛି । ଜଳେଶ୍ୱର ବ୍ଲକର ବିଭିନ୍ନ ଗ୍ରାମାଂଚଳ ଲୋକେ ସେଠାରେ ପିଣ୍ଡଦାନ ଓ ସୁବର୍ଣ୍ଣରେଖା ନଦୀରେ ପବିତ୍ର ସ୍ନାନ ସାରି ଘରକୁ ବାହୁଡିଛନ୍ତି । ନଦୀର ଓପର ପକ୍ଷରେ ହଜାର ହଜାର ମୁସଲମାନ ଭାଇଭଉଣୀ ଏଠାକୁ ଆସିଥାନ୍ତି, ଯାହା ସ୍ଥାନୀୟ ଅଂଚଳରେ ଏକ ନିଆରା ଭାଇଚାରା ସୃଷ୍ଟି ହୋଇଥାଏ । ଲୋକମାନେ ମାଟିହାଣ୍ଡି, କୁଲା ପାଛିଆ, ଚଣା ଭଜା, ମକାଖଇ ଇତ୍ୟାଦି ନେଇ ବାହୁଡିବାର ଦୃଶ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥାଏ । ଦୁଇଦିନ ଧରି ଏହି ଉତ୍ସବ ନଦୀକୂଳରେ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ଏହି କାର୍ଯ୍ୟକ୍ରମ ପ୍ରବୀର କୁମାର ଦାସ, ନିତ୍ୟ ଗୋପାଳ ଦାସ, ମଧୁସୁଦନ ସେନାପତି, କୁଞ୍ଜବିହାରୀ ଦାସ, ଗ୍ରାମ୍ୟ ମୁଖ୍ୟ ଦେବବ୍ରତ ନନ୍ଦ, ଜିଲାପରିଷଦ ସଦସ୍ୟା ସାବିତ୍ରୀ ଦାସ, ବିଧୁଭୂଷଣ କାନୁନଗୋ, ସରପଂଚ ଶୁଭସ୍ମିତା ଦାସ, ସମିତି ସଦସ୍ୟା ସଞ୍ଚିତା ସେନାପତି, ସପନ ଦାସ, ବରେନ୍ଦ୍ର ଦାସ, ଆଇନ୍ଜିବୀ ବିନୋଦ ବିହାରୀ ଗିରି, ହରେନ୍ଦ୍ର ଦାସ, ଜଳଧର ଜେନା, ବୈଦ୍ୟନାଥ ରାଉତ, ହରିବଂଧୁ ଜେନା, ହରିଶଂକର ଦାସ, ଭୁପତି ପରିଡାଙ୍କ ନେତୃତ୍ୱରେ ଦଳବର୍ଣ୍ଣ ନିର୍ବିଶେଷରେ ଧୁମ୍ ଧାମ୍ରେ ପାଳିତ ହେଉଛି । ସୁବର୍ଣ୍ଣରେଖା ନଦୀର ବିଳାସପୁର, ଶିଖରପୁର, ବେଲବାରିଆ, ବଜାରଶୋଳ, କୁଅଁରପୁର, ଝାଡପିମ୍ପଳ ଇତ୍ୟାଦି ଠାରେ ମଧ୍ୟ ଏପରି ମେଳା ଓ ପିଣ୍ଡଦାନ ହୋଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା