ପତ୍ନୀକୁ ହତ୍ୟା ଘଟଣାରେ ସ୍ୱାମୀଙ୍କ ସମେତ ୪ ଗିରଫ, ମହିଳା ସଂଘର ଥାନା ଘେରାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ରୋଡ ସାହିରେ ବି.ଲିସା ରାଣୀ ସେନାପତିଙ୍କୁ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ମୃତ ଲିସାଙ୍କ ସ୍ୱାମୀ ବି.ବାବୁଲା ସେନାପତି, ବଡ ଦେଢଶୁର ବି. ସୁଧୀର ସେନାପତି, ସାନ ଦେଢଶୁର ବି. ସୁନିତ୍ ସେନାପତି ଏବଂ ବଡଜାଆ ସକୁନ୍ତଳା ସେନାପତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ହତ୍ୟା ଘଟଣାରେ ମୃତ ଲିସାଙ୍କ ଭାଇ କେ.ଶିବରାମ ପାତ୍ରଙ୍କ ଅଭିଯୋଗ କ୍ରମେ ୭/୨୦୧୯ ଏକ ମାମଲା ରୁଜୁ କରି ପୋଲିସ ଛାନଭିନ୍ କରି ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ବାବୁଲାଙ୍କୁ ଗିରଫ କରି ୩୦୨/୪୯୮/୪ ଡିଭି ଆକ୍ଟ ଦଫାରେ କୋର୍ଟ ଚାଲଣ କରାଯାଇଥିବା ବେଳେ ୨ ଦେଢଶୁର ଓ ଜାଆଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଯୌତୁକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ୪୯୮/୪ ଡିଭି ଆକ୍ଟ ଦଫାରେ କୋର୍ଟ ଚାଲଣ କରାଯାଇଛି । ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡକୁ ନେଇ ନରେନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ମହିଳା ସଂଘର ଶତାଧିକ ମହିଳା ଚମାଖଣ୍ଡି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରିଥିଲେ . ଏପରିକି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମୃତା ଲିସାଙ୍କ ସ୍ୱାମୀ ବାବୁଲାଙ୍କୁ ମେଡ଼ିକାଲ ପରୀକ୍ଷା କରିବା ପାଇଁ ଛତ୍ରପୁର ଡାକ୍ତରଖାନାକୁ ପୋଲିସ ଗାଡ଼ିରେ ନିଆଯାଉଥିବା ବେଳେ ଏହାକୁ ଶତାଧିକ ମହିଳା ଅଟକାଇଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ହତ୍ୟାକାରୀ ବାବୁଲାଙ୍କୁ ଫାଶୀ ଦେବା ସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଅଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ମହିଳା ସଂଘ ପକ୍ଷରୁ ଦାବି ହୋଇଥିଲା । ଚମାଖଣ୍ଡି ଥାନା ଅଧିକାରୀ ସେମାନଙ୍କୁ ବୁଝାସୁଝା କରିଥିଲେ ଏହାପରେ ସେମାନେ ପୋଲିସ ଗାଡିକୁ ଛାଡିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା