ପରଲୋକରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡି ନେତା ସୁବାଷ ଚୌହାନ୍ ଙ୍କ ପରଲୋକ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାସ ଚୌହ୍ୱାନଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଲିଭର କ୍ୟାନସରରେ ପୀଡ଼ିତ ଥିବାରୁ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ରାଜ୍ୟ ବାହାରକୁ ଯାଇ ମଧ୍ୟ ଚିକିତ୍ସିତ ହୋଇ ଫେରିଥିଲେ । ତେବେ, ଗତ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ଥିବାରୁ ବରିଷ୍ଠ ଡାକ୍ତରଙ୍କୁ ନେଇ ଗଠିତ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩ଟା ୫ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ଦଳମତ ନିର୍ବିଶେଷରେ ସମସ୍ତେ ଆତ୍ମାର ସଦଗତି କାମନା କରିଛନ୍ତି । ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍)ର ଜଣେ ସ୍ୱୟଂ ସେବକ ସୁବାଷ ଚୌହାନ ଦୀର୍ଘ ଦିନ ହେଲା ସଂଘ ପ୍ରଚାରକ ଭାବରେ କାମ କରି ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗ ଦଳ ଆଦି ଦାୟିତ୍ୱରେ ଥିଲେ । ସେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ, ରାଷ୍ଟ୍ରୀୟ ସହ- ସଂଯୋଜକ ଏବଂ ପରେ ରାଷ୍ଟ୍ରୀୟ ସଂଯୋଜକ ଭାବରେ ଦାୟିତ୍ୱ ତୁଲାଇ ଥିଲେ । ୨୦୧୪ ମସିହାରେ ସେ ପ୍ରଥମେ ରାଜନୀତିରେ ପାଦ ଦେଇ ବରଗଡ଼ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ । ତେବେ ସ୍ୱଳ୍ପ ବ୍ୟବଧାନରେ ସେ ହାରି ଯାଇଥିଲେ । ଏହାପରେ ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହିତ ବିବାଦ ଘଟି ସେ ବିଜେପି ଛାଡ଼ିଥିଲେ । ଏହାପରେ ସେ ବିଜେଡିରେ ଯୋଗଦେବା ସହ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରଷା ରଖି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରିଥିଲେ । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ତଥା ଦକ୍ଷ ସଙ୍ଗଠକ ଭାବରେ ସୁବାଷ ପରିଚିତ ଥିଲେ । ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେଦ୍ର ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର