ପର୍ଯ୍ୟାୟ କ୍ରମେ ଟ୍ରେନ୍‌ରେ ଓଡିଶା ଆସିବେ ପ୍ରବାସୀ ଓଡିଆ : ପରିବହନ ମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରବାସୀ ଓଡିଆବାସୀ ମାନଙ୍କ ଲାଗି ଭଲ ଖବର । ସେମାନଙ୍କୁ ପର୍ଯ୍ୟାୟ କ୍ରମେ ରାଜ୍ୟକୁ ଅଣାଯିବ । ଆଉ ସେମାନେ ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ବୋଲି ଶନିବାର ଦିନ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଓ ଗୁଜରାଟରୁ ଟ୍ରେନ୍ ଆସିବ ଏବଂ ଏଥିନେଇ ପ୍ରକ୍ରିୟା ଜାରି ରହିଛି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଚାହିଁବେ ଟ୍ରେନ୍ ବ୍ୟତୀତ ନିଜସ୍ୱ ବ୍ୟବସ୍ଥାରେ ମଧ୍ୟ ଆସିପାରିବେ । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଜରୁରୀ । ସୂଚନାଯୋଗ୍ୟ, ଗୁରୁବାର ଦିନ ହାଇକୋର୍ଟ ବାହାର ରାଜ୍ୟରୁ ଶ୍ରମିକ ଆସିବା ପୂର୍ବରୁ କରୋନା ପରୀକ୍ଷା ଜରୁରୀ ବୋଲି କହିଥିଲେ । ଏହା ଉପରେ ଗତକାଲି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ । ଓଡ଼ିଶା ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନିର୍ଦେଶ ଦେଇଥିଲେ ଯେ, ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ସେମାନେ ଯେଉଁଠାରେ ଅଛନ୍ତି, ସେଠାରେ ତାଙ୍କର କରୋନା ପରୀକ୍ଷା ହେବ । ଯଦି ରିପୋର୍ଟ ନେଗେଟିଭ୍ ରହେ ତେବେ ସେମାନଙ୍କୁ ରାଜ୍ୟକୁ ଆସିବାକୁ ଅନୁମତି ଦିଆଯିବ । ମାତ୍ର ଗତକାଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନିର୍ଦେଶକୁ ସ୍ଥଗିତ ରଖିଥିଲେ । ଲୋକଙ୍କର ରାଜ୍ୟ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇ ପାରିବ ନାହିଁ ବୋଲି ନିଷ୍ପତ୍ତି ଶୁଣାଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର