ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଙ୍ଗରୁ ଓଡିଶାକୁ ପ୍ରତିଦିନ ବ୍ୟାପକ ଚୋରା ମାଦକଦ୍ରବ୍ୟ ଚାଲାଣ ହୋଇ ଆସୁଥିବା ବେଳେ ବିଭାଗୀୟ କର୍ମକର୍ତ୍ତା ଏଥିପ୍ରତି ଆଖିବୁଜି ଦେଇଛନ୍ତି । ଏବେ ଜଳେଶ୍ୱର ଆନ୍ତରାଜ୍ୟସ୍ତରରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳି ହୋଇଥିବାରୁ ରାଜଧାନୀର ଉପାନ୍ତ ଜଳେଶ୍ୱର ପର୍ଯ୍ୟନ୍ତ ବହୁ ବରିଷ୍ଠ ଅଧିକାରୀ, ଏସଡିଏଫର ଅଧିକାରୀ ଧାଁ-ଧପଡ କରୁଥିଲେ ମଧ୍ୟ ଏଠାରେ ଚାଲୁଥିବା ଚୋରା ମଦକାରବାର ପ୍ରତି ଅଖି ବୁଜି ଦେଇଛନ୍ତି । ଏକ ସର୍ବେକ୍ଷଣରୁ ଜଣାଯାଇଛି ପଶ୍ଚିମବଙ୍ଗର ଗୋପିବଲ୍ଲଭପୁର, ନୟାଗ୍ରାମ, ଦାନ୍ତୁନ, ମୋହନପୁର, କାନ୍ଥି, ଏଗ୍ରା, ରାମନଗର ଥାନା ଇଲାକାରୁ ଓଡିଶାର ରାଇବଣିଆ, ଜଳେଶ୍ୱର, କମର୍ଦ୍ଦା, ଭୋଗରାଇ, ମେରାଇନ୍ ଥାନା ଓ ବାଲିଆପାଳ ଥାନା ଇଲାକାକୁ ୮ ହଜାର ଲିଟର ଚୋରମଦ ଚାଲାଣ ହେଉଛି । କେତେକ କ୍ଷେତ୍ରରେ ଅବକାରୀ ଓ ପୋଲିସ ବିଭାଗର ଜ୍ଞାତସାରରେ ଏପରି କାର୍ଯ୍ୟ ହେଉଥିବା ବେଳେ ଗ୍ରାମବାସୀମାନେ ଚୋରାମଦ କିମ୍ବା ମାଦକଦ୍ରବ୍ୟ ସଂପର୍କରେ କର୍ମଚାରୀଙ୍କୁ ସୂଚନା କିମ୍ବା ଧରାଇଦେଲେ କୌଣସି କାର୍ଯ୍ୟନୁଷ୍ଠାନ ହେଉନଥିବା ଜଣାଯାଇଛି । ଗତ ୩ ତାରିଖ ରାତିରେ ଡବ୍ଲୁବି୩୩ସି-୨୩୭୧ ପିକ୍ଅପ୍ ଭ୍ୟାନ୍ ଯୋଗେ ବିପୁଳ ପରିମାଣର ମଦ ପଶ୍ଚିମବଙ୍ଗର ବଣିଶୋଳ ଅଞ୍ଚଳରୁ ଓଡିଶାର ରାଜଘାଟ ଅଭିମୁଖେ ଆସୁଥିଲା । ଏହାକୁ ଶ୍ୟାମନଗର ପଂଚାୟତର କେତେକ ଯୁବକ ଧାନଘେରାଛକ ନିକଟରେ ଧରି ଅବକାରୀ କର୍ମଚାରୀଙ୍କୁ ଖବର ଦେଇଥିଲେ । ଅବକାରୀ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଏହି ପିକ୍ଅପ୍ କୁ ଜବତ୍ କରିବା ସହ ସାଥିରେ ନେଇ ଆସିଥିଲେ । କିନ୍ତୁ ଏହି ଗାଡିକୁ କର୍ମଚାରୀମାନେ ମୁଲଚାଲ କରି ଶ୍ୟାମନଗରଛକ ନିକଟରେ ଛାଡି ଦେଇଥିବା ନିଜ ନାମ ଗୋପନ ରଖି ଗ୍ରାମର କେତେକ ଯୁବକ ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଜଳେଶ୍ୱର ଅବକାରୀ ଓଆଇସି ହରପ୍ରସାଦ ରଣାଙ୍କୁ ଯୋଗାଯୋଗ କରିବାରୁ ସେ ସେଦିନ ଅନୁପସ୍ଥିତ ଥିଲେ, ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା