ଭୁବନେଶ୍ୱର(ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶା ପାଇଁ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ ନାଁରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ବଳରେ ମୋଟ ୨ହଜାର ସଭାଗୃହ ନିର୍ମାଣ କରାଯିବାକୁ ଲକ୍ଷ ରଖାଯାଇ ୧୨୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଫାଇଭ-ଟି ମାଧ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ୩୩.୫୮କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପଶ୍ଚିମ ଓଡ଼ିଶାରେ ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ବିଜେଡି ସରକାର ଗତ କିଛି ମାସ ଧରି ବିଭିନ୍ନ ପ୍ରକାର ଯୋଜନା କରିଚାଲିଛି । ସଭାଗୃହ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ସଭାଗୃହ କାର୍ଯ୍ୟକ୍ଷମ ହେଲେ ପଶ୍ଚିମଓଡ଼ିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସର୍ବଦା ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବା ଜଣାପଡିଛି । ପଶ୍ଚିମଓଡ଼ିଶା ବିକାଶ ପରିଷଦର ବଜେଟ ଦୁଇଗୁଣ ହେବା ସହ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି । ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମକୁ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମଓଡ଼ିଶାର ବିକାଶ କ୍ଷେତ୍ରରେ ବିକାଶ ପରିଷଦ ଏକ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଛି । ପଶ୍ଚିମଓଡ଼ିଶା ଖୁବଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ପଶ୍ଚିମ ଓଡ଼ିଶା ବିକାଶ ହେଲେ ଓଡିଶା ବିକଶିତ ହେବ ବୋଲି କହିଛନ୍ତି I