ଭୁବନେଶ୍ୱର (ଆକାଶ ମିଶ୍ର ): ପାଇକ ବିଦୋହର ସ୍ମାରକୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଇକ ବିଦ୍ରୋହର ଆରମ୍ଭ ବରୁଣେଇରେ ହୋଇଥିବାରୁ ସେଠାରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ନିର୍ମାଣ କରିବାକୁ ସ୍ଥିର ହୋଇଥିଲା । ତେବେ ସ୍ମାରକୀ ନିର୍ମାଣ ପାଇଁ ପ୍ରୂର୍ବରୁ ପ୍ରସ୍ତାବିତ ହୋଇଥିବା ୫୦ ଏକର ଜମି ଶୀଘ୍ର ପ୍ରଦାନ କରାଇବା ପାଇଁ ଧର୍ମେନ୍ଦ୍ର ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ, ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦିଲ୍ଲୀ ଓ ଅନ୍ୟ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାଇକ ବିଦ୍ରୋହକୁ ନେଇ ଏକ ଡାକ ଟିକେଟ ଓ ମୁଦ୍ରା ଜାରୀ କରିବା ପାଇଁ ଯୋଜନା ରହିଥିବା ଚିଠିରେ ଲେଖିଛନ୍ତି । ପାଇକ ବିଦ୍ରୋହର ସ୍ମୃତିରେ ବରୁଣେଇ ପାହାଡର ପାଦ ଦେଶରେ ଏକ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ୫୦ ଏକର ସ୍ଥାନ ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ । ଏନେଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶୀଘ୍ର ଏହି କାମକୁ ଶେଷ କରିବା ପାଇଁ ଅନୁରୋଧ କରିଛନ୍ତି ।ଧର୍ମେନ୍ଦ୍ର ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଜମି ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବ୍ୟକ୍ତିଗତ ଭାବେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପାଇକ ବିଦ୍ରୋହର ଏହି ଆନ୍ଦୋଳନ ଓଡିଶାର ଗର୍ବ ଓ ଗୌରବ ଅଟେ । ଏହା ଆଗାମୀ ପୀଢୀ ପାଇଁ ପ୍ରେରଣାର ଉତ୍ସ ହେବ । ଏହି ସ୍ଥାନରେ ପାଇକ ବିଦ୍ରୋହର ନାୟକ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କର ବିଷୟରେ ଉଲ୍ଲେଖ ରହିବ । ବକ୍ସି ଜଗବନ୍ଧୁ ବିଦ୍ୟାଧର ଓ ପାଇକ ବିଦ୍ରୋହ ସମ୍ପର୍କରେ ଏକ ଅନନ୍ୟ ସଂଗ୍ରହାଳୟ ଓ ଅଡିଓ ଭିଜୁଆଲ ୟୁନିଟ୍ ଏହି ସ୍ମାରକୀର ଅନ୍ୟତମ ଆକର୍ଷଣ ହେବ ବୋଲି ମଧ୍ୟ ଚିଠିରେ ଲେଖିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ର ସରକାର ଓ ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା ପ୍ରତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।ଏହା ସହ ଆହୁରି ମଧ୍ୟ ଲେଖିଛନ୍ତି ଯେ, ରାଜ୍ୟର ସାଂସ୍କୃତିକ ପରିଦୃଶ୍ୟରେ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବାରୁ ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ କରାଇବା ଉଚିତ୍ ହେବ ।