ପାନୀୟଜଳ ସମସ୍ୟା ଓ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ଶନିବାର ଦିନ ବ୍ରହ୍ମପୁର ସହରରେ ପାନୀୟଜଳ ସମସ୍ୟା ଓ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଦିତ୍ୟପ୍ରସାଦ ପାଢ଼ୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକ ବିଏମସିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କରାଯାଇଛି । ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନୀତିନିୟମ ପାଳନକୁ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ଖରାଦିନେ ଯେପରି ସହରରେ ପାନୀୟଜଳ ଅଭାବ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ସମେତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନାନ, ମୁନିସିପାଲଟି ପ୍ରଶାସନ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ, ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ବ୍ରହ୍ମପୁର ମହାନଗର ନିଗମରେ ପହଞ୍ଚି ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସହ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରମୁଖ ଅଂଶ ଗ୍ରହଣ କରି ବ୍ରହ୍ମପୁରରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ହାତକୁ ନିଆଯାଇଥିବା ଯୋଜନା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଉପସ୍ଥାପନା କରିଥିଲେ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମହୁଡାଠାରେ ନିର୍ମାଣାଧୀନ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ନିମନ୍ତେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଯେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ତାହାକୁ ପାଳନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଡୋର ଟୁ ଡୋର ବର୍ଜ୍ୟବସ୍ତୁ ସଂଗ୍ରହ, ବର୍ଜ୍ୟବସ୍ତୁର ପୃଥ୍ୱୀକରଣ ଓ ନଷ୍ଟ କରିବାକୁ ଭିତ୍ତିଭୂମି ନିର୍ମାଣ ନେଇ ଆଲୋଚନା କରାଯାଇଛି । ସେହିପରି ସହରର ପରିମଳ, ଭୂତଳ ଡଷ୍ଟିବିନ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା । ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଜୁନ ୧୯ ସୁଦ୍ଧା ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ସ୍ଥାନ ଚିହ୍ନଟ, ପ୍ଲାଣ୍ଟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହାପରେ ବ୍ରହ୍ମପୁର ସହରକୁ ଜଳ ଯୋଗାଣ ପାଇଁ ଅନୁଷ୍ଠିତ ଦ୍ଵିତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକରେ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଯନ୍ତ୍ରୀ ଏସ. ଲକ୍ଷ୍ମୀ ପତି, ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ଉପସ୍ଥିତ ରହି ବୃହତ ଜାନବିଲି ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ । ପ୍ରକଳ୍ପ ଉଦଘାଟନ ପରେ କିଛି ଅଞ୍ଚଳକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି, ହେଲେ ପାଇପ ଲାଇନ ବିଛା କାର୍ଯ୍ୟ ଶେଷ ହୋଇନଥିବାରୁ ଆଜି ମଧ୍ୟ ଅନେକ ସାହିକୁ ଜଳଯୋଗାଣ ହୋଇପାରି ନାହିଁ । ତେଣୁ ଚଳିତ ଗ୍ରୀଷ୍ମ ଋତୁରେ ଯେଉଁଭଳି ସହରରେ ପାନୀୟ ଜଳର ଅଭାବ ପରିସ୍ଥିତି ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଜଳାଭାବରୁ ଦୂର କରିବାକୁ ଟ୍ୟାଙ୍କର ମାଧ୍ୟମରେ ପର୍ଯ୍ୟାପ୍ତ ଜଳ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଜାନବିଲ ପ୍ରକଳ୍ପରୁ ଯେପରି ଜଣେ ବି ବାଦ ନ ପଡନ୍ତି ଶତପ୍ରତିଶତ ଘରକୁ ଯେପରି ପାଇପ ଯୋଗେ ଜଳଯୋଗାଣ ହୋଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ହେଲେ ପୁଣି ଥରେ ଜଳଯୋଗାଣର ଆୟୋଜନ କରିବା ପାଇଁ ସହରବାସୀଙ୍କ ଠାରୁ ଆବେଦନ ଓ ଅଭିଯୋଗ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା