ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡର କପିଳି ହରିଜନ ସାହି, ଶାନ୍ତିନଗର, କାଳୀମନ୍ଦିର, ନିୟୁ-ପୋଲିସ ଲାଇନ, ବାସନାପଲ୍ଲୀ ରୋଡ଼ ମେଟ୍ଟା ଆଦି ଅଞ୍ଚଳରେ ପାନୀୟଜଳ ସମସ୍ୟା ଲାଗି ରହିଛି । ସୂଚନା ଯେ, ଦୀର୍ଘ ୪ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଥିବାରୁ ଅନେକ ଥର ଏ ସମ୍ପର୍କରେ ଅଞ୍ଚଳବାସୀ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନ ଥିବାରୁ ଏହି ଅଞ୍ଚଳର ଜନସାଧାରଣ ଅତିଷ୍ଠ ହୋଇଛନ୍ତି । ଏ ନେଇ ନୂତନ ଭାବେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଅଞ୍ଚଳବାସୀ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପାନୀୟଜଳ ସମସ୍ୟାର ଖୁବଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି । ଏହି ୱାର୍ଡର କାଉନସିଲର ଏମ୍.ଅରୁନ୍ଧତୀ ରେଡ୍ଡୀ, ରଞ୍ଜିତ କୁମାର ରାଉଳଙ୍କ ସମେତ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଦୀର୍ଘ ଦିନର ଦାବୀ ଉପସ୍ଥାପନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା