


ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ମହାରାଜ ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ଗୋପୀନାଥ ଗଜପତିଙ୍କ ଆଜି ସକାଳ ୪.୧୫ ରେ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସେ ବହୁଦିନ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ଆଜି ସକାଳ ୪.୧୫ ମିନିଟରେ ବିୟୋଗ ହୋଇଥିବା ଖବର ମିଳିବା ପରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ବେଳେ ତାଙ୍କ କନ୍ୟା ରାଜକୁମାରି କଲ୍ୟାଣି ଦେବୀ ଉପସ୍ଥିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ ।୨୦୧୫ ମସିହାରୁ ମହାରାଜା ଗୋପୀନାଥ ଗଜପତି କଥା କହି ପାରୁ ନ ଥିବା ବେଳେ ଚାଲି ମଧ୍ୟ ପାରୁ ନ ଥିଲେ । ସେ ଦୀର୍ଘ ଅଢ଼େଇ ବର୍ଷ ହେବ କୋମାରେ ଥିଲେ । ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଝିଅ କଲ୍ୟାଣୀ ଦେବୀ ମହାରାଜାଙ୍କ ସେବା କରୁଥିଲେ । ମହାରାଜ ଗୋପୀନାଥ ଗଜପତି ୧୯୪୩ ମସିହା ମାର୍ଚ୍ଚ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ବ୍ରହ୍ମପୁର ସାଂସଦ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ନବମ ଏବଂ ଦଶମ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମହାରାଜା ଗୋପୀନାଥ ଗଜପତି ୧୯୯୮ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ୨୦୦୯ରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ତାପରେ ତାଙ୍କ ଦେହ ଅସୁସ୍ଥତା କାରଣରୁ ଆଉ ରାଜନୀତିରେ ମନ ନିବେଶ ନ କରି ଚିକିତ୍ସାଧୀନ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
