ପାସେଞ୍ଜର ଟ୍ରେନ ଚଳଚଳ ବନ୍ଦ ବିରୋଧରେ ଆନ୍ଦୋଳନ ସିଦ୍ଧାନ୍ତ-ଜନପ୍ରତିନିଧି ନିର୍ବାଚନରେ ବ୍ୟସ୍ତ : ରେଳଯାତ୍ରୀ ଜିଲାପାଳ ଓ ଜିଏମଙ୍କ କାର୍ଯ୍ୟାନୁଷ୍ଠାନ ଲୋଡିଲେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁର ରେଳ କତ୍ତୃପକ୍ଷଙ୍କ ବୈମାତୃକ ଭାବ ଯୋଗୁଁ ଓଡିଶା ମଧ୍ୟଦେଇ ଯାଉଥିବା ୨ଟି ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ହୋଇଥିବାରୁ ଆଜି ଜଳେଶ୍ୱରରେ ଆନ୍ଦୋଳନ ଲାଗି ସିଦ୍ଧାନ୍ତ ହୋଇଛି । ଓଡିଶାରେ ଜନପ୍ରତିନିଧିମାନେ ନିର୍ବାଚନରେ ବ୍ୟସ୍ତ ଥିବାରୁ ଯାତ୍ରୀମାନେ ଉପାୟ ନ ପାଇ ଆଜି ସଂଧ୍ୟାରେ ଜିଲାପାଳ ଓ ଦକ୍ଷିଣପୂର୍ବ ରେଳପଥର ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଛନ୍ତି । ଅନ୍ୟଥା ମେ ୧ ତାରିଖରେ ରେଳରୋକ ହେବା ସଂପର୍କରେ ସିଦ୍ଧାନ୍ତ ହୋଇଛି । କୌଣସି ପୂର୍ବ ସୂଚନା ନ ଦେଇ ଗତ ୨୫ତାରିଖରୁ ରେଳ କର୍ତ୍ତୃପକ୍ଷ ହାଟଡା-ପୁରୀ, ପୁରୀ ସାନ୍ତ୍ରାଗାଛି ପାସେଞ୍ଜର ଏବଂ ଖଡଗପୁର-ଖୋର୍ଦ୍ଦା, ଖୋଦ୍ଦା-ଖଡଗପୁର ଫାଷ୍ଟ ପାସେଞ୍ଜରକୁ ଚଳାଚଳ ବନ୍ଦ କରିଛନ୍ତି । ଏହା ବନ୍ଦ ହେବା ପୂର୍ବରୁ ଯେଉଁଭଳି ବିଜ୍ଞାପନ ପ୍ରକାଶ ପାଇବାକଥା ତହା ମଧ୍ୟ ହୋଇନାହିଁ । ଏବେ ସକାଳୁଆ ଅଫିସ୍ ତଥା ଏ ଅଂଚଳର ରୋଗୀମାନଙ୍କ ଉଚ୍ଚମାନର ଚିକିତ୍ସା ପାଇଁ ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ, ଅମର୍ଦ୍ଦାରୋଡ, ବସ୍ତା, ରୂପ୍ସା, ହଳିଦୀପଦା ଷ୍ଟେସନରୁ ଯାତ୍ରୀମାନେ ଯାତାୟାତ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ୨ଟି ଟ୍ରେନ ବନ୍ଦ ହେବା ଫଳରେ ରାତ୍ରୀ ୧୨ଟାରୁ ସକାଳ ୮ଟା ଯାଏ ଉପରୋକ୍ତ ଷ୍ଟେସନ ଗୁଡିକରେ କୌଣସି ଟ୍ରେନ ଛିଡା ହେଉନଥିବା ଜଣାଯାଇଛି । ଏ ସଂପର୍କରେ ଗତ ୨୪ତାରିଖରେ ସ୍ଥାନୀୟ ପ୍ରଶାସନ, ଜିଲା ପ୍ରଶାସନ ଓ ରେଲ କର୍ତ୍ତୃପକ୍ଷଙ୍କୁ ଲିଖିତଭାବେ ଜଣାଇ ଦିଆଯାଇଥିଲା । କିନ୍ତୁ ରେଳ ଚଳାଚଳ ବନ୍ଦ ର ୨ଦିନ ବିତି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଆଜି ରେଳ ବ୍ୟବହାରକାରୀ ସଂଗଠନ, ସମାଜ କଲ୍ୟାଣ ବିକାଶ ପରିଷଦର ସଦସ୍ୟମାନେ ଷ୍ଟେସନ ନିକଟରେ ଏକତ୍ରୀତ ହୋଇଥିଲେ । ଆଜି ଟ୍ରେନ ଚଳାଚଳ ବନ୍ଦର ପ୍ରତିବାଦ କରି ଉପସ୍ଥିତ ଯାତ୍ରୀମାନେ ଦକ୍ଷିଣପୂର୍ବ ରେଳପଥର ସାଧାରଣ ପରିଚାଳକ ଏବଂ ତାଙ୍କ ପରାମର୍ଶରେ ସି.ପି.ଟି.ଏମ୍ଙ୍କ ସହ ଆଲୋଚନା କରି ଥିଲେ । ପରେ ବାଲେଶ୍ୱର ଜିଲାପାଳଙ୍କ ସହ ଆଲୋଚନା କରିବାରୁ ରେଳକର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଆସନ୍ତା ଶନିବାର ମଧ୍ୟରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଆସନ୍ତା ମେ ୧ତାରିଖ ସୁଦ୍ଧା ଅତିକମ୍ରେ ଗୋଟିଏ ଟ୍ରେନ ଭଦ୍ରକଯାଏ ଚଳାଚଳ ନ କଲେ ୧ ତାରିଖଠାରୁ ରେଳରୋକ ଆନ୍ଦୋଳନ ହେବ ବୋଲି ଆଜି ସମାଜ କଲ୍ୟାଣ ବିକାଶ ପରିଷଦର ସଂପାଦକ ତଥା ହାଇକୋର୍ଟର ବରିଷ୍ଠ ଆଇନ୍ଜିବୀ ରାମଚନ୍ଦ୍ର ଜେନା ରେଳ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ଏହି ଆଲୋଚନା ବେଳେ ସର୍ବଶ୍ରୀ ସୁକୁମାର ରଣା, ଶରତ କୁମାର ପରିଡା, ଆଇନ୍ଜିବୀ ସତ୍ୟସୁନ୍ଦର ଦାସ, ମଧୁଛନ୍ଦା ମହାନ୍ତି, ରମାକାନ୍ତ ଭଂଜ, ଜୟନ୍ତ ଦାସ, ସୁଧିର ମହାନ୍ତି, ଅଶ୍ୱିନୀ ନାଥ, ଅବିନୀ ଚାନ୍ଦ, ସତ୍ୟବ୍ରତ ସୋମ, ରବିନାରାୟଣ ପାତ୍ର, ବିକାଶ ରଂଜନ ପାଳ, ଇଂ ମନୋଜ କୁମାର ଜେନା, ରବିନାରାୟଣ ଦାସ, ଆଶିଷ କୁମାର ପାତ୍ର, ଦେବାଶିଷ ଦତ୍ତ, ପୂର୍ଣ୍ଣଚନ୍ଦ୍ର ପାତ୍ର, ରାଧାରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରେକ କର୍ତ୍ତୃପକ୍ଷଙ୍କ ଓଡିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ଜନପ୍ରତିନିଧିମାନେ ସ୍ୱାଭିମାନ ଦୃଷ୍ଟିରୁ ଆସନ୍ତା ୧ ତାରିଖରୁ ରାଜନିତୀରୁ ଉର୍ଦ୍ଧରେ ଥାଇ ସେମାନଙ୍କ ନିକଟସ୍ଥ ରେଳଷ୍ଟେସନରେ ରେଳରୋକ କାର୍ଯ୍ୟକ୍ରମକରି ଆନ୍ଦୋଳନକୁ ସଫଳ କରିବା ଆହ୍ୱାନ ଦିଆଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା