ପିସି ଖିଆ ସରକାର ଜଗନ୍ନାଥଙ୍କୁ ବି ଛାଡ଼ିଲାନି: ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) “ଦାରୁ ଚିହ୍ନଟରେ ଟଙ୍କା କାରବାର କେବଳ ଧାର୍ମିକ ଭାବନାକୁ ଆଘାତ କରିବାର ଘଟଣା ନୁହେଁ, ଏକ ବିରାଟ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ। ଏ ଅପରାଧିକ ଷଡ଼ଯନ୍ତ୍ର ଓଡ଼ିଆ ଜାତିର ଇଷ୍ଟ, ସାଢ଼େ ୪ କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ବିରୋଧରେ ହୋଇଛି। ଏହା ଏକ ଧାର୍ମିକ ଏବଂ ଅର୍ଥନୈତିକ ଷଡ଼ଯନ୍ତ୍ର।” ଏପରି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ବିଜେପି।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିବା ସହ ଏମାନଙ୍କୁ ଧର୍ମ ସହିବ ନାହିଁ ବୋଲି କହିଛନ୍ତି।ସେ କହିଛନ୍ତି, “ଏ ସରକାର ଜନତାଙ୍କ ଠାରୁ ପିସି ଖାଉଥିଲେ। ଏବେ ପ୍ରଭୁ ଜଗନ୍ନାଥଙ୍କଠାରୁ ବି ପିସି ଖାଇଲେଣି। ଏ ପିସି ଖିଆ ସରକାର ଜାତିର ଦେବତାଙ୍କୁ ବି ଛାଡ଼ିଲେ ନାହିଁ। ଏମାନଙ୍କୁ ଧର୍ମ ଛାଡ଼ି ଗଲାଣି।”ମଣିଷ ଦେବତାଠାରୁ ଅର୍ଥ ତୋଷରପାତ କରିବା ଭଳି ଏହି ଅଭିଯୋଗ ଭାରତ ବର୍ଷରେ ବିରଳ ବୋଲି ସେ ନବୀନଙ୍କୁ କଟାକ୍ଷ୍ୟ କରି କହିଛନ୍ତି।। ସେ କହିଛନ୍ତି, “କିଛିଦିନ ତଳେ ଜଗନ୍ନାଥ ସଂସ୍କୃତିକୁ ନେଇ ଏ ସରକାର ବହୁତ ତମ୍ବି ତୋଫାନ କରୁଥିଲେ। ଜଣେ ସାମ୍ବାଦିକଙ୍କୁ ବାନ୍ଧିବା ବାହାନରେ ଜଗନ୍ନାଥ ସଂସ୍କୃତିକ ସୁରକ୍ଷାର ପ୍ରଶ୍ନ ଉଠାଉ ଥିଲେ। ହେଲେ ସାମ୍ବାଦିକ ବାବୁଙ୍କଠାରୁ ବଡ଼ ଅପରାଧରେ ନବୀନ ବାବୁ ଅଭିଯୁକ୍ତ। ଆପଣ (ନବୀନ ପଟ୍ଟନାୟକ) ହେଉଛନ୍ତି ଧାର୍ମିକ ଓ ଅର୍ଥନୈତିକ ଅପରାଧରେ ବଡ଼ ଷଡ଼ଯନ୍ତ୍ରକାରୀ। ଆପଣଙ୍କ ବିରୋଧରେ ଠକେଇ ଓ ଅର୍ଥ ତୋଷରପାତ ଅଭିଯୋଗ ଲାଗିବ।”ଚିରାଚରିତ ଢଙ୍ଗରେ ନବୀନ ଭଲେଇ ହୋଇ ତଦନ୍ତ ପାଇଁ କମିଶନ ଗଠନ କରିବେ ବୋଲି ଦଳ ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି, “ଦିନେ ଦୁଇଦିନ ମଧ୍ୟରେ ନବୀନ ବାବୁ ନିଜ ଦେହରୁ ମଳି ଛଡ଼ାଇବା ପାଇଁ ଗୋଟେ କମିଶନ ଗଠନ କରି ବାହାବା ନେଇପାରନ୍ତି। ଅତୀତରେ ଏଭଳି ଆଚରଣ ସେ ଦେଖାଇ ସାରିଛନ୍ତି। ରତ୍ନଭଣ୍ଡାର ଚାବି ଖୋଜିବାକୁ ଜଷ୍ଟିସ୍‌ ରଘୁବୀର ଦାସ କମିଶନ ବସାଇଛନ୍ତି। ଜୁନ୍‌ରୁ ଅକ୍ଟୋବର ହେଲା, ଚାବି କେବେ ମିଳିବ ପ୍ରଭୁ ଜଗନ୍ନାଥଙ୍କୁ ହିଁ ଜଣା।”ନବୀନ ବାବୁଙ୍କ ଔଦ୍ଧତ୍ୟ ଆମକୁ ଆଶ୍ଚର୍ଯ୍ୟ କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଯେଉଁ ଠାକୁରଙ୍କୁ ନେଇ ଏ ଜାତି ବିଶ୍ୱରେ ନିଜ ପରିଚୟ ସୃଷ୍ଟି କରିଛି, ସେ ଠାକୁରଙ୍କ ଧାର୍ମିକ ଅନୁଷ୍ଠାନ ସହ ଖେଳିବାକୁ ନବୀନ ବାବୁ ପଛାଉ ନାହାନ୍ତି ବୋଲି ଅଭିଯୋଗ କରିଛି ଦଳ।ବିଶ୍ୱକର୍ମା କୃଷ୍ଣ ମହାରଣାଙ୍କ ଅଭିଯୋଗ ସାଂଘାତିକ ବୋଲି ପୀତାମ୍ବର କହିଛନ୍ତି। “କୃଷ୍ଣ (ମହାରଣା) ସ୍ପଷ୍ଟ ଭାବେ ଗତକାଲି କହିଛନ୍ତି, ଏ ଦାରୁ ପାଇବାକୁ ଟଙ୍କା କାରବାର କରାଯାଇଛି। ଆପଣ ପଇସା ଦିଅନ୍ତୁ, ଆପଣଙ୍କ ବାଡ଼ିରୁ ବି ଦାରୁ ମିଳିବ। କୃଷ୍ଣଙ୍କ ଅଭିଯୋଗକୁ ବିଚାରକୁ ନେଲେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି। ଦାରୁ ଚୟନର ଷଡ଼ଯନ୍ତ୍ରକାରୀ କିଏ ? ଡିଲ୍‌ର ଯୋଗସୂତ୍ରକାରୀ କିଏ ? କିଏ ଡିଲ୍‌ ପାଇଁ ଟଙ୍କା ଦେଇଥିଲେ ? ଏସବୁ ଦିଗକୁ ଜାଣିବାକୁ ହେଲେ ଏକ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି” ବୋଲି ସେ କହିଛନ୍ତି।ବ୍ରହ୍ମ ବିଭ୍ରାଟ କମିଶନ ରିପୋର୍ଟକୁ ଆଧାର କରି ନବୀନ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ବାହାନା କରୁଛନ୍ତି। ପ୍ରକୃତରେ ଏହି ଡିଲ୍‌ ପଛରେ ଥିବା ଲୋକଙ୍କୁ ଖସାଇ ଦେବାକୁ ଏହା ଏକ ଯୋଜନା ବୋଲି ପୀତାମ୍ବର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସବ୍‌ କମିଟି ରିପୋର୍ଟରେ ସ୍ପଷ୍ଟ କୁହାଯାଇଛି, ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟରେ ତ୍ରୁଟି ରହିଛି। ଯଦି ତ୍ରୁଟି ରହିଛି, ତେବେ କାହିଁକି ଏମିତି ଲୋକ ଦେଖାଣିଆ ନୋଟିସ୍‌ ଜାରି କରାଯାଇଛି। ଯଦି ସାହସ ଅଛି, ମୁଖ୍ୟମନ୍ତ୍ରୀ ଡିଲ୍‌ ସମ୍ପର୍କରେ ସ୍ପଷ୍ଟ କରନ୍ତୁ। ତୁରନ୍ତ ନିଜ ଆଡୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ, ନଚେତ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ସ୍ତରୀୟ ତଦନ୍ତ ହେଉ।”ତୃତୀୟ ମହଲା ସହ ଦଇତାପତିଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଛି ଦଳ। ଯେଉଁ ଦଇତାପତିମାନଙ୍କୁ ନୋଟିସ୍‌ କରାଯାଇଛି, ସେମାନଙ୍କର ତୃତୀୟ ମହଲା ସହ ସମ୍ପର୍କ କ’ଣ ବୋଲି ଦଳ ପ୍ରଶ୍ନ କରିଛି। ରତ୍ନଭଣ୍ଡାର ଚାବି ହଜିବା କଥା ପଦାକୁ ଆସିବା ପରେ ଦଇତାପତି ନିଯୋଗର ସଭାପତି ତୃତୀୟ ମହଲାରୁ ତଳକୁ ଆସି ଗଜପତି ମହାରାଜ ଚାବି ନେଇଯାଇଛନ୍ତି ବୋଲି ବିବୃତି  ଦେଇଥିଲେ। ଏଥିରୁ ଏମାନେ ତୃତୀୟ ମହଲା ସହ କେମିତି ସମ୍ପର୍କ ରଖିଛନ୍ତି ଜଣାପଡ଼ୁଛି ବୋଲି ଦଳ ଅଭିଯୋଗ କରି କହିଛି।ବିଜେପି ଅଭିଯୋଗର ଉତ୍ତର ରଖିଛି ବିଜେଡି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିଜେପି ପ୍ରମାଣଯୋଗ୍ୟ ତଥ୍ୟ ନପାଇ ଅବିଶ୍ୱାସନୀୟ ତଥ୍ୟ ରଖୁଛି। ଏପରି କରିବା ଅର୍ଥ, ପ୍ରତିଷ୍ଠା ହୋଇସାରିଥିବା ଠାକୁରଙ୍କ ପ୍ରତି ଅବିଶ୍ୱାସ ଭାବ ସୃଷ୍ଟି କରିବା।  ବିଜେପି ଯେଉଁ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଛି, ତାହା ଜଘନ୍ୟ ଅପରାଧ।”

ଦାରୁ ଚିହ୍ନଟ ବେଳେ ଯାହାଙ୍କ ନାଁ ଉଠୁଥିଲା, ତାଙ୍କୁ ରାଜ୍ୟସଭା ପଠାଯାଇଛି: ତାରା

କଂଗ୍ରେସ ବରିଷ୍ଠ ନେତା  ତାରା ପ୍ରସାଦ ବାହିନୀ ପତି କହିଛନ୍ତି ଯେ ୨୦୧୫ ମସିହାରେ ଶ୍ରୀଜିଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ଫିକ୍ସିଂ ହୋଇଥିବା ନେଇ ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଅଭିଯୋଗ ଆଣିବା ପରେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟ ସରକାର ହେଉଛନ୍ତି ଫିକ୍ସିଂ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ସବୁଠି ଡିଲ୍‌ ହୁଏ।ସେ କହିଛନ୍ତି, ସବୁ ଦାରୁ ଗୋଟିଏ ଜାଗାରୁ କେମିତି ମିଳିଲା? ସେତେବେଳେ ବି ଏକଥା ଉଠିଥିଲା। ଗତକାଲି ଏହା ପ୍ରମାଣିତ ହୋଇଗଲା। ମୁଖ୍ୟ ବିଶ୍ୱକର୍ମା (ଦେବଦଳନ ରଥର) ଏ କଥା କହିଛନ୍ତି। ଦାରୁ ଚିହ୍ନଟ ବେଳେ ଯାହାଙ୍କ ନାଁ ଉଠୁଥିଲା, ସେ ଏବେ ସାଂସଦ। ତାଙ୍କୁ ରାଜ୍ୟସଭା ପଠାଯାଇଛି।ଦାରୁ ବିଭ୍ରାଟରେ ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କର ବି ଭୂମିକା ରହିଛି ବୋଲି ତାରା ଅଭିଯୋଗ କରିଛନ୍ତି।ସେ କହିଛନ୍ତି, ଏ ଘଟଣା ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଏ ସରକାର ଆଉ ରହିବା ଉଚିତ୍ ନୁହେଁ। ରାଜ୍ୟବାସୀ ନବୀନ ବାବୁଙ୍କୁ କ୍ଷମା ଦେବେ ନାହିଁ।ଦାରୁ ଫିକ୍ସିଂ ଘଟଣାରେ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ତାରା ନିବେଦନ କରିଛନ୍ତି। ଏହା ସହିତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରାଇବାକୁ ସେ ଦାବି କରିଛନ୍ତି।ଅନ୍ୟପକ୍ଷରେ ବିଜେପି ପକ୍ଷରୁ କୁହାଯାଇଛି, ଏ ସରକାର ଜନତାଙ୍କଠାରୁ ପିସି ଖାଉଥିଲେ। ଏବେ ଜଗନ୍ନାଥଙ୍କ ପାଖରୁ ପିସି ଖାଇଲେଣି। ପିସି ଖିଆ ସରକାର ଜାତିର ଦେବତାଙ୍କୁ ବି ଛାଡ଼ିଲେନି। ଏମାନଙ୍କଠାରୁ ଧର୍ମଛାଡ଼ି ଗଲାଣି।ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଅଭିଯୋଗ କରିଛନ୍ତି ଯେ ଯିଏ ଟଙ୍କା ଦେଇଥିଲେ, ତାଙ୍କ ଗଛ ଦାରୁ ଭାବେ ଚିହ୍ନଟ ହୋଇଥିଲା। ଖାଲି ସେତିକି ନୁହେଁ, ଚିହ୍ନଟ ହୋଇଥିବା ଦାରୁ ପୋଲା ଥିଲା ବୋଲି ମଧ୍ୟ ସେ କହିଥିଲେ। ସେଥିପାଇଁ ଶ୍ରୀବିଗ୍ରହଙ୍କ ନିର୍ମାଣ ବେଳେ ମହାରଣା ସେବକମାନେ ଅସୁବିଧାରେ ପଡ଼ିଥିଲେ।ଗତ ନବକଳେବର ବେଳେ ସୁଦର୍ଶନଙ୍କ ଦାରୁକୁ ଛାଡ଼ି ବାକି ତିନିଟି ଦାରୁ ଜଗତସିଂହପୁର ଜିଲ୍ଲାରୁ ଅଣାଯାଇଥିଲା।ଅନ୍ୟପକ୍ଷରେ ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି ଯେ  “୨୦୧୫ ମସିହାରେ ଶ୍ରୀଜୀଉଙ୍କର ନବକଳେବର ହୋଇଥିଲା। ଏଥିରେ ହୋଇଥିଲା ବଡ଼ ଧରଣର ଫିକ୍ସିଂ। ଦଇତାମାନେ ପଇସା ନେଇ ଦାରୁ ଚୟନ କରିଥିଲେ।” ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଆଜି ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ମାତ୍ର ଏପରି ଅଭିଯୋଗକୁ ଦଇତାପତି ନିଯୋଗ ଅମୂଳକ ବୋଲି କହିଥିବାବେଳେ ଚୁପ୍ ରହିଛି ଶ୍ରୀମନ୍ଦିର ପ୍ରଶାସନ।୨୦୧୫ ମସିହାରେ ଶ୍ରୀଜୀଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ହୋଇଥିଲା ଫିକ୍ସିଂ। ଯିଏ ଟଙ୍କା ଦେଲା, ତାଙ୍କ ଗଛ ଦାରୁ ଭାବେ ଚିହ୍ନଟ ହୋଇଥିଲା। ମହାରଣା ସେବାୟତ କୃଷ୍ଣଚନ୍ଦ୍ରଙ୍କ ଏଭଳି ସଂଗୀନ୍ ଅଭିଯୋଗ ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ଶହ ଶହ ବର୍ଷ ଧରି ନବକଳେବର ପ୍ରକ୍ରିୟାକୁ ନେଇ ରହିଥିବା ପ୍ରଗାଢ଼ ଧାର୍ମିକ ବିଶ୍ୱାସ ଉପରେ ପ୍ରଚଣ୍ଡ ଆଘାତ ଲାଗିଛି।ଖାଲି ସେତିକି ନୁହେଁ, ଚିହ୍ନଟ ହୋଇଥିବା ଦାରୁ ପୋଲା ଥିଲା ବୋଲି ମଧ୍ୟ କହିଛନ୍ତି କୃଷ୍ଣଚନ୍ଦ୍ର। ଯାହାଦ୍ୱାରା ଶ୍ରୀବିଗ୍ରହଙ୍କ ନିର୍ମାଣ ସମୟରେ ମହାରଣା ସେବକମାନେ ଅସୁବିଧାରେ ପଡ଼ିଥିଲେ। ତା’ସହ କେବଳ ସୁଦର୍ଶନଙ୍କ ଦାରୁ ଛାଡ଼ି ଜଗତସିଂହପୁର ଜିଲ୍ଲାରୁ ଅନ୍ୟ ତିନି ତିନିଟି ଦାରୁ ମିଳିବା ଘଟଣା ପଛରେ ପ୍ରଶ୍ନ ଉଠାଇବା ସହ ଅର୍ଥ କାରବାର ହୋଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି କୃଷ୍ଣଚନ୍ଦ୍ର।ମହାରଣା ସେବାୟତ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ଏତିକିରେ ସରିନି। ବ୍ରହ୍ମ ବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ ପ୍ରସଙ୍ଗରେ ସେ କହିଛନ୍ତି, ବିଶ୍ୱକର୍ମା ମହାରଣାଙ୍କ ପକ୍ଷରୁ କୌଣସି ବିଳମ୍ବ ହୋଇନଥିଲା। ଦଇତାଙ୍କର ସବୁ ଭୁଲ୍। ଘଟ ପରିବର୍ତ୍ତନର ନିର୍ଦ୍ଧାରିତ ସମୟ ପୂର୍ବରୁ ସେମାନେ ଶ୍ରୀବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ସାରି ଦେଇଥିଲେ। ତେଣୁ ବିଶ୍ୱକର୍ମାଙ୍କୁ ନିନ୍ଦିତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର।ସେପଟେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ସବୁ ଅଭିଯୋଗକୁ ଅମୂଳକ ବୋଲି କହିବା ସହ, ଶ୍ରୀବିଗ୍ରହ ନିର୍ମାଣରେ କୃଷ୍ଣଚନ୍ଦ୍ର ସହଯୋଗ କରିନଥିଲେ ବୋଲି ପାଲଟା ଅଭିଯୋଗ ଆଣିଛନ୍ତି। ଆଉ ଏହି ଆରୋପ-ପ୍ରତ୍ୟାରୋପ ଉପରେ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ରହିଛି ଶ୍ରୀମନ୍ଦିର ପ୍ରଶାସନ।ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି- “ଶ୍ରୀବିଗ୍ରହ ନିର୍ମାଣରେ ଆମେ କାହିଁକି ବିଳମ୍ୱ କରିବୁ? ଆମେ ଯେଉଁ ହିସାବରେ ଶ୍ରୀବିଗ୍ରହ ନିର୍ମାଣ କରିବା କଥା କରିଛୁ। ଆମ ବିରୋଧରେ ମିଥ୍ୟା ଖବର ପ୍ରଚାର କରାଯାଉଛି। ସବୁ ଭୁଲ୍‌ ପଛରେ ଦଇତାମାନେ ହିଁ ରହିଛନ୍ତି।”ଦଇତାପତି ନିଯୋଗ ସହ-ସମ୍ପାଦକ ବିନାୟକ ଦାସ ମହାପାତ୍ର କହିଛନ୍ତି- “ନୀତି ନିୟମ ଅନୁସାରେ ଦାରୁ ଚୟନ ହୋଇଛି। କୃଷ୍ଣଚନ୍ଦ୍ର ଶ୍ରୀବିଗ୍ରହ ନିର୍ମାଣରେ ସମ୍ପୂର୍ଣ୍ଣ ଭାବେ ଅସହଯୋଗ କରିଥିଲେ। କୌଣସି କାର୍ଯ୍ୟ ସେ କରିନଥିଲେ। ନୂଆ ପିଲାମାନେ ସବୁ କାମ କରିଥିଲେ। ତେଣୁ ଆମକୁ ସବୁ କାମ ବୁଝିବାକୁ ପଡ଼ୁଥିଲା। ଦାରୁ ଦୟନରେ ବିଭ୍ରାଟ ହୋଇଥିବା ପ୍ରସଙ୍ଗ, ସେ ଆଗରୁ କାହିଁକି କହୁନଥିଲେ? ଏବେ କାହିଁକି କହୁଛନ୍ତି?”ଗୋଟିଏ ପଟେ ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେଉନଥିବା ବେଳେ, ଗତକାଲି ଶ୍ରୀମନ୍ଦିର ପ୍ରଶାସନ, ୧୦ ଜଣ ସେବାୟତ ଓ ଜଣେ ମହାରଣା ସେବାୟତଙ୍କୁ ନୋଟିସ୍ ଜାରି କରିଛି। ଏଭଳି ସମୟରେ ଦେବୀ ସୁଭଦ୍ରାଙ୍କ ମୁଖ୍ୟ ମହାରଣାଙ୍କ ସଂଗୀନ ଅଭିଯୋଗ, କୁହେଳିକାକୁ ବଢ଼େଇଛି। କେବଳ ଜଗତସିଂହପୁର ଜିଲ୍ଲାରୁ ୩ଟି ଦାରୁ ଚୟନ ପଛରେ ଫିକ୍ସିଂ ହୋଇଥିଲା କି ନାହିଁ, ଏହାର ତଦନ୍ତ ହେବା ଜରୁରୀ ହୋଇପଡ଼ିଛି।