ପି.ଡି.ଆସିଲେ,  ଯାହା ଦେଖିବାର ଥିଲା ଦେଖିଲେ : ବିକାଶ ଶୂନ

ସୋରଡା(ସମୃଦ୍ଧଓଡିଶା) ଗଞ୍ଜାମଜିଲ୍ଲାର ସୋରଡା ବ୍ଲକକୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ନୀଳ ମାଧବ ଭୋଇ ଆସି ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିବା ସହ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସୋରଡାରେ ନିର୍ମାଣ ଚାଲିଥିବା ସ୍ମାର୍ଟପାର୍କ, ବୁଲି ଦେଖିବା ସହ ଆହାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଥିବା ସହର ରୋଷେଇ ବ୍ୟବସ୍ଥା ସହ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପ ଗୁଡିକ ସହ ଅନ୍ୟାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଛନ୍ତି।ସୋରଡା ଏନଏସିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଚାଲିଛି।ଏହା ଏକ ଭଲ ବିଷୟ ଯେ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଆସିଲେ ବିଭିନ୍ନ ପ୍ରକଳ୍ପ ଦେଖିଲେ ଏବଂ ସମୀକ୍ଷା ମଧ୍ୟ କରିଲେ।ଅନୁଦାନ ଆସୁଛି ଏବଂ ପ୍ରକଳ୍ପ ମଧ୍ୟ ଚାଲିଛି ଏବଂ ଆଗକୁ ମଧ୍ୟ ଚାଲିବ, ଏଥିରେ କୌଣସି ନୂତନତ୍ଵ ନାହିଂ।ପ୍ରକୃତ କଥା ହେଲା ସୋରଡା ଏନଏସିରେ ରହୁଥିବା ବାସିନ୍ଦା କେତେ ଦୂର ଆବଶ୍ୟକ ମୌଳିକ ସୁବିଧା ପାଉଛନ୍ତି ତାହା ଦେଖିବାର ଥିଲା।ସୋରଡା ଏନଏସି ବର୍ତମାନ ସ୍ମାର୍ଟ ପାର୍କ ଓ ଅନ୍ୟାନ ପ୍ରକଳ୍ପ ପଛରେ ପଡିଥିବା ବେଲେ ସହର ବାସି କିନ୍ତୁ ମୌଳିକ ସୁବିଧାରୁ ଧୀରେ ଧୀରେ ବଞ୍ଚିତ ହେବାରେ ଲାଗିଛନ୍ତି।ସହରର ରାସ୍ତା ଘାଟର ଅବସ୍ଥା ଶୋଚନୀୟ ଥିବା ବେଳେ ତାହାର ନିର୍ମାଣ ହୋଇ ପାରୁନି।ଯାହା ହେଉଛି ତାହା ଠିକାଦାର ପୋଷଣ ନୀତିରେ ଚାଲିଛି।ଉନ୍ନତ ମାନର ରାସ୍ତା ଘାଟର ନିର୍ମାଣ ପାଇଁ କେହି ଯାଞ୍ଚ ଅଧିକାରୀ ନିଜର ଦାଇତ୍ଵ ତୁଲାଉ ନ ଥିବା ଅଭିଯୋଗ ହେଉଛି।ନେତାଙ୍କ ଭରସାରେ ସୋରଡା ଏନଏସିକୁ ଟେକି ଦେଇ ପ୍ରକଳ୍ପ ନିର୍ଦେଶକଙ୍କ ଆଗରେ ଦେଖାଣିଆ ହେବା ଛଡା କିଛି ନାହିଂ। ଆମେ ଏୟା କରିଛୁ, ସେୟା କରିଛୁ, ପ୍ଳାନ ଚାଲିଛି, ଶୀଘ୍ର ହେଇଯିବ ଏହି ପରି କଥା ଅଫିସରମାନଙ୍କ ପାରମ୍ପରିକ କଥା ଅଟେ।ଏଥିରେ ଯଦି ପ୍ରକଳ୍ପ ନିର୍ଦେଶକ ସନ୍ତୁଷ୍ଟ ଅଛନ୍ତି ତେବେ କିଛି କହିବାର ନାହିଂ। ସୋରଡା ଏନଏସିର ପ୍ରମୁଖ ବ୍ଯବସାୟିକ ରାସ୍ତା ବାଙ୍କ ବଜାର ଅବସ୍ଥା ଶୋଚନୀୟ, ଖାଲ ଖମାରେ ଭରି ହୋଇ ଗଲାଣି, ବାଙ୍କ ବଜାର ଠାରୁ ଶିଶୁ ମନ୍ଦିର ରାସ୍ତାର ଅବସ୍ଥା ମଧ୍ୟ ଦୟନିୟ, ଶିଶୁ ମନ୍ଦିର ଠାରୁ ପୋଲିସ ଥାନା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଶୋଚନୀୟ ହେଲାଣି,  ଏ ସବୁର ମରାମତି ଓ ନୂତନ ରାସ୍ତାର ନିର୍ମାଣ ଆବଶ୍ୟକତା ରହିଛି।ଯାହା ଏ ଯାଏଁ ହେଇ ପାରୁନି। ୦୮ ୱାର୍ଡ କାଉନ୍ସିଲର ବାରମ୍ବାର ଏ ସମ୍ପର୍କରେ ଦ୍ରୁଷ୍ଟି ଆକର୍ଷଣ କରିଲେ ମଧ୍ୟ ତାହା ହେଇ ପାରୁନି।ଶୁଣିବାକୁ ମିଳୁଛି ଏହି ସବୁ ରାସ୍ତାର ଟେନ୍ଡର କୁଆଡେ ୨୦୨୧ରୁ ସରିଛି ହେଲେ ଠିକାଦାର ଏଯାବତ କାମ କରୁ ନାହାନ୍ତି, ଠିକାଦାର କରୁ ନାହାନ୍ତି ବୋଲି ଏନଏସି କତୃପକ୍ଷ ମଧ୍ୟ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହାନ୍ତି।ଠିକାଦାରଙ୍କ ପ୍ରତି ଏନଏସି କତୃପକ୍ଷଙ୍କ କଣ ଯେ ଦୁର୍ବଳତା ରହିଛି ତାହା ସେମାନଙ୍କୁ ଜଣା।ସହରର ନାଳ ନର୍ଦମାରେ ପାଣି ଯିବା ପରିବର୍ତେ ମଇଳା ପାଣି ରାସ୍ତାରେ ଭାସୁଛି ।ବର୍ଷା ହେଲେ କୃତିମ ବନ୍ୟା ସହରରେ ହେଉଛି। ନିମ୍ନମାନର କାମ ଯୋଗୁଁ ଅନେକ ରାସ୍ତା ଅଳ୍ପ ଦିନରେ ଖରାପ ହେଉଛି । ସହରରେ ମଶା ମାରିବା ଅଭିଯାନ କାନ୍ଥ ବାଡରେ ସୀମିତ।କେବଳ ଯେ ଖାଲି ସଫେଇ ହୋଇ ଗଲେ ଏବଂ ପାର୍କ ନିର୍ମାଣ କରି ଦେଲେ ଆମ ଏନଏସି ବିକଶିତ ତାହା ଭାବିବା ଭୁଲ ବୋଲି ବିରୋଧୀ କାଉନ୍ସିଲର କହିଛନ୍ତି , ଏନଏସିରେ କେତେ ଦୂର ଲୋକଙ୍କ ସମସ୍ଯା ସମାଧାନ ହେଉଛି ଏବଂ ଲୋକେ ଏକ ସ୍ଵଛ ପରିବେଶ ମଧ୍ୟରେ ରହୁଛନ୍ତି ତାହା ବିକାଶର ମାପ କାଠି । ଏ ସବୁ ବାଦ ଦେଇ ପ୍ରକଳ୍ପ ନିର୍ଦେଶକ ଆସିବା ଏବଂ କିଛି ନିର୍ମାଣ ଦେଖି ଦେଇ ସବୁ ଠିକ ଅଛି ବୋଲି ଯଦି ଭାବୁଛନ୍ତି ତେବେ ତାହା ଦୁର୍ଭାଗ୍ୟ ଜନକ।ବିକାଶ ପଛରେ ସୋରଡା ଏନଏସିର ପ୍ରକୃତ ଅବ୍ୟବସ୍ଥା ପରଦା ପଛରେ ଲୁଚି ରହିଛି ଯାହା ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲାପାଳ ନିଜେ କାଉନ୍ସିଲରଙ୍କ ସହ ଆଲୋଚନା କଲେ ଜାଣି ପାରିବେ ବୋଲି ସେ କହିଛନ୍ତି I

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ