ଜଳେଶ୍ୱର (ସମୃଦ୍ଧ ଓଡିଶା) ପିତା ପୁତ୍ରର ସର୍ମ୍ପକ ଭାରତୀୟ ସଂସ୍କୃତିରେ ଏକ ନିଆରା ପରମ୍ପରା । ମାତ୍ର ଘରୁ ନିଜ ପତ୍ନୀ ସହ ଝଗଡା କରି ବିସର୍ଣ୍ଣ ମନରେ ଟ୍ରେନ୍ ଲାଇନ୍ କଡକୁ ଆସିଥିବା ନିଜ ପୁଅ ପଛେ ପଛେ ପିତା ଆସି ଶେଷରେ ତାକୁ ବଞ୍ଚାଇବାକୁ ଯାଇ ଟ୍ରେନରେ କଟି ପିତାର ଶୋଚନୀୟ ମୃତ୍ୟୁ ଘଟଣା ଜଳେଶ୍ୱର ସହରରେ ଶୋକର ଛାୟା ଖେଳି ଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ପଞ୍ଚାୟତର ବାସିନ୍ଦା ବାଚସ୍ପତି ସାହୁ (୬୨) ଓରଫ କାଲୁଙ୍କ ଜ୍ୟେଷ୍ଠପୁତ୍ର ରାଜେଶ ସାହୁ ଓରଫ ରାଜୁ (୩୨) ଗତକାଲି ରାତ୍ରୀ ପ୍ରାୟ ୧୦.୩୦ମି. ସମୟରେ ଏକ ଘରୋଇ କଳହକୁ କେନ୍ଦ୍ର କରି ନିଜ ପତ୍ନୀ ସହିତ ଝଗଡା କରିଥିଲା । ସେଥିରେ ଉତ୍କ୍ଷିପ୍ତ ହୋଇ ନିଜ ଘର ନିକଟରେ ଥିବା ରେଳ ଲାଇନ୍ ନିକଟକୁ ପଳାଇ ଆସିଥିଲା । ଏହି ଖବର ଶୁଣି ତାର ପିତା ଆଶଙ୍କାରେ ତା ପଛେପଛେ ଆସିଥିଲା । ନିଜ ପୁତ୍ରକୁ ରେଳ ଲାଇନ୍ ନିକଟରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କୌଣସି ଅଘଟଣା ଘଟିବା ପୂର୍ବରୁ ହଠାତ୍ ଏକ ଟ୍ରେନ୍ ଆସୁଥିବାର ଦେଖି ନିଜ ପୁତ୍ରକୁ ରକ୍ଷା କରିବାକୁ ଯାଇ ନିଜ ଗୋଡ ରେଳ ଲାଇନରେ ଫସି ଯିବା ଫଳରେ ସେ ସେଠାରେ ପଡି ଯାଇଥିଲେ । ଦ୍ରୁତଗାମୀ ଟ୍ରେନ ତାଙ୍କ ଉପରେ ଚଢିଯିବା ଫଳରେ ତାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା । ଅପର ପକ୍ଷରେ ପୁତ୍ର ରାଜେଶ ମଧ୍ୟ ରେଳ ଲାଇନରେ ପଡିଯାଇ ତାର ୨ଟି ଗୋଡ କଟିଯାଇଥିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ କଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ମାତ୍ର ଜଳେଶ୍ୱର ଷ୍ଟେସନ ନିକଟରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରରେ ପିତାର ମୃତ୍ୟୁ ହୋଇଥିବା ବେଳେ ପୁତ୍ର ଗୁରୁତର ହୋଇ ଚିକିତ୍ସତ ହେଉଥିବା ଘଟଣା ସଂପର୍କରେ ରେଳବାଇ ପୋଲିସ, ଆର୍ପିଏଫ କିମ୍ବା ଷ୍ଟେସନ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନ ଥିବା ଘଟଣା ବୁଦ୍ଧିଜିବୀ ମହଲରେ ଆଶ୍ଚର୍ଯ୍ୟନ୍ନିତ କରିଛି । ମୃତ ବାଚସ୍ପତି ସାହୁଙ୍କର ଜଳେଶ୍ୱର ଷ୍ଟେସନ ସମ୍ମୁଖରେ ରାଜେଶ ଭେରାଇଟି ଷ୍ଟୋର ନାମରେ ୨ଟି ଦୋକାନ ରହିଛି ।
ରିପୋର୍ଟ : ଭୂପତି କୁମାର ପରିଡା