ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତା, ସେତୁ, କୋଠାବାଡ଼ି ଓ ପ୍ରମୁଖ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର(ସମୃଦ୍ଧଓଡିଶା) ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ରାସ୍ତା, ସେତୁ, କୋଠାବାଡ଼ି ଏବଂ ପ୍ରମୁଖ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ସହ ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ନିୟମିତ ସମୀକ୍ଷା କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ଇଆଇସି ଏବଂ ମୁଖ୍ୟଯନ୍ତ୍ରୀ ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ଦଶହରା ଥିବାରୁ ଗମନାଗମନ ବ୍ୟବସ୍ଥା ଯେପରି ଶୃଙ୍ଖଳିତ ହୋଇପାରିବ ସେଥି ଲାଗି ସମସ୍ତ ସହରାଞ୍ଚଳରେ ଥିବା ପୂର୍ତ୍ତ ବିଭାଗ ରାସ୍ତାଗୁଡ଼ିକର ମରାମତି ଅକେଫାବର ୫ ସୁଦ୍ଧା ଶେଷ କରିବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ସମସ୍ତ ଇଂଜିନିୟରିଂ ଇନ୍‌ ଚିଫ୍‌, ମୁଖ୍ୟ ଯନ୍ତ୍ରୀ, ଓବିସିସି ପରିଚାଳନା ନିର୍ଦ୍ଦେଶକଙ୍କ ସହ ସଂପୃକ୍ତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ସୁଜିତ ରଞ୍ଜନ ସ୍ୱାଇଁ, ଲୋକସମ୍ପର୍କ ଅଧିକାରୀ