

ଭୁବନେଶ୍ୱର/ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ସଙ୍କଟ ସମୟରେ ରେଳମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ଆଇ.ଆର.ସି.ଟି.ସି ସହ ମିଳିତ ଭାବେ ଏହାର ମୂଳ ରନ୍ଧନଶାଳା ଖୋର୍ଦ୍ଧା ରୋଡ଼ ଓ ବିଶାଖାପାଟଣା ଫୁଡକୋର୍ଟରୁ ଖାଦ୍ୟ ପ୍ରସ୍ତୁତ କରି ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନମାନଙ୍କରେ ଗରିବଲୋକଙ୍କୁ ବୃହତ ଆକାରରେ ଖାଦ୍ୟ ସହ ପେପରପ୍ଲେଟ ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛି । ପୂର୍ବତଟ ରେଳପଥ ଏହାର ସମସ୍ତ ଏଜେନସି ସହ ରେଳ ସୁରକ୍ଷାବଳକୁ ଅନ୍ତର୍ଭୁକ୍ତ କରି ଏହାର ପରିସୀମା ମଧ୍ୟରେ ବହୁ ପରିମାଣରେ ଖାଦ୍ୟ ଗରିବ ଲୋକମାନଙ୍କୁ ବଣ୍ଟନ କରିଛି । ଏହା ବ୍ୟତୀତ ବିଭିନ୍ନ ବେସରକାରୀ ସଂଗଠନ, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ରେଳ କର୍ମଚାରୀ ମିଳିତ ଭାବେ ଏହି ସେବା କାର୍ଯ୍ୟରେ ଯୋଗଦେବାକୁ ଆଗେଇ ଆସିଛନ୍ତି । ଯେହେତୁ ତାଲାବନ୍ଦ ଘୋଷଣା କରାଯାଇଛି, ତେଣୁ ବିଭିନ୍ନ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଖାଦ୍ୟ ରୁଚିକୁ ସାମ୍ନାରେ ରଖି ଆଇ.ଆର.ସି.ଟି.ସି ଦକ୍ଷିଣରେ ଲେମନ ରାଇସରୁ ପୂର୍ବରେ ଖିଚିଡି ଓ ଚୋଖା ଠାରୁ ଆରମ୍ଭ କରି ଉତ୍ତରରେ ଭାତ ତରକାରୀ ଇତ୍ୟାଦି ବିଭିନ୍ନ କିସମର ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିଛି । ମାର୍ଚ୍ଚ ୨୬ ତାରିଖ ଠାରୁ ଆରମ୍ଭ କରି ପୁରୀ ରେଳ ଷ୍ଟେସନରେ ୨୫୦ଟି ମିଲ ଏବଂ କଟକ ରେଳ ଷ୍ଟେସନରେ ମାର୍ଚ୍ଚ ୨୭ ତାରିଖ ଦିନ ୨୦୦ଟି ମିଲ ରେଳ ସୁରକ୍ଷା ବଳ (ଆର.ପି.ଏଫ) ଏବଂ ଆଇ.ଆର.ସି.ଟି.ସି ମିଳିତ ଭାବେ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଗରିବ ଓ ନିଃସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଆଇ.ଆର.ସି.ଟି.ସି ଖୋର୍ଦ୍ଧା ରୋଡ଼ ମୂଳ ରୋଷେଇଶାଳ ଓ ବିଶାଖାପାଟଣା ଫୁର୍ଡକୋର୍ଟରେ ରନ୍ଧନ କରି ୧୬,୪୦୦ ମିଲ ବଣ୍ଟନ କରିଛି । ତେଣୁ ମାର୍ଚ୍ଚ ୩୦ରୁ ଆଜି ଯାଏଁ ଆଇ.ଆର.ସି.ଟି.ସି ରନ୍ଧନ ଓ ପରିବେଷଣ କରିଛି ୧୬,୪୦୦ଟି ମିଲ । ସମ୍ବଲପୁର, ଟିଟିଲାଗଡ଼ ଓ ବଲାଙ୍ଗୀର ଷ୍ଟେସନମାନଙ୍କରେ ରେଳ ସୁରକ୍ଷାବଳଙ୍କ ସହ ସମ୍ବଲପୁର ଶାଖାର ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ମାରୱାଡି ଯୁବ ମଞ୍ଚ ଓ କୁମୁଡା ପାହାଡ଼ ସୁରକ୍ଷା ସମିତି ମିଳିତ ଭାବେ ୭୨୯ଟି ମିଲକୁ ଗରିବ ଓ ଦୁସ୍ଥ ଲୋକମାନଙ୍କୁ ପରିବେଷଣ କରିଛନ୍ତି । ସେହିପରି ଆଇ.ଆର.ସି.ଟି.ସି ଓ ଏନ.ଜି.ଓ ମାନେ ମିଳିତ ଭାବେ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ପାରାଦ୍ୱୀପ, ଖୋର୍ଦ୍ଧାରୋଡ଼, ବିଶାଖାପାଟଣା ଏବଂ ବିଜୟନଗରମ ଷ୍ଟେସନ ମାନଙ୍କରେ ଖାଦ୍ୟ ପ୍ୟାକେଟ/ମିଲ ନିଃସହାୟ ଲୋକଙ୍କୁ ପ୍ରଦାନ କରିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

