ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ସୁବିଧା ନୀରିକ୍ଷଣ କରିବା ସହିତ ଷ୍ଟେସନର ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବ୍ରହ୍ମପୁର ରେଳ ଷ୍ଟେସନକୁ ବିକଶିତ କରାଯିବ ଏବଂ ଆଧୁନିକ ସୁବିଧା ଯୋଗାଇ ଦିଆଯିବ । ଷ୍ଟେସନକୁ ସୌନ୍ଦର୍ଯ୍ୟମୟ ଆଲୋକ, ଉନ୍ନତ ସାଇନେଜ ଏବଂ ୱେଟିଂ ହଲ୍ ସମେତ ଉନ୍ନତ ଯାତ୍ରୀ ସୁବିଧା ସହିତ ବିକଶିତ କରାଯିବ । ଭ୍ରମଣକାରୀ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ । ଏହା ବ୍ୟତୀତ ଷ୍ଟେସନ ପ୍ରାଙ୍ଗଣ ଓ ଖାଲିଥିବା ସ୍ଥାନମାନଙ୍କରେ ବିକଶିତ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ । ଟ୍ରେନ୍ ଚଳାଚଳ ସମ୍ବନ୍ଧରେ ମହାପ୍ରବନ୍ଧକ କହିଛନ୍ତି ଯେ କୋଭିଡ ପ୍ରୋଟୋକଲ୍ ଯୋଗୁଁ ସମସ୍ତ ନିୟମିତ ଟ୍ରେନ୍ ବାତିଲ ହୋଇଯାଇଛି ଏବଂ ବର୍ତ୍ତମାନ ଜରୁରୀକାଳୀନ ସ୍ଥଳରେ ଯାତ୍ରୀଙ୍କୁ ଜରୁରୀ ସୁବିଧା କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି । ଏହି ପ୍ରସଙ୍ଗରେ ପୂର୍ବତଟ ରେଳପଥ ରାଜ୍ୟ ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । କୋଭିଡ ମହାମାରୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଅଧିକ ଟ୍ରେନ୍ ଚଳାଚଳ କରିବା ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ । ବ୍ରହ୍ମପୁର – ଫୁଲବାଣୀ ଲାଇନ ସମ୍ବନ୍ଧୀୟ ଏକ ପ୍ରଶ୍ନକୁ ଉତ୍ତର ଦେଇ ମହାପ୍ରବନ୍ଧକ କହିଛନ୍ତି ଯେ ସର୍ଭେ କମିଟି ଦ୍ୱାରା ପ୍ରକଳ୍ପର ଫେରସ୍ତ ହାର (ରେଟ ଅଫ ରିଟର୍ଣ୍ଣ) ଆକଳନ କରାଯିବ । ଏହାକୁ ଆଧାର କରି ନିଷ୍ପତ୍ତି ନିଆଯିବ । ବ୍ରହ୍ମପୁରରେ ଟର୍ମିନାଲ ପଏଣ୍ଟ ଯୋଗାଣ ବିଷୟରେ ଏକ ପ୍ରଶ୍ନ ଉପରେ ଉତ୍ତର ରଖି ମହାପ୍ରବନ୍ଧକ ସ୍ପଷ୍ଟ କରିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଏହା ସମ୍ଭବ ନୁହେଁ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବିଦ୍ୟା ଭୂଷଣ ଉତ୍ତର ଦେଇଛନ୍ତି ଯେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଏବଂ ରୋଗୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଷ୍ଟେସନରେ ଲିଫ୍ଟ ଏବଂ ଏସ୍କାଲେଟର ଯୋଗାଇ ଦିଆଯାଇଛି । ପରିସ୍ଥିତି ଉପରେ ନିର୍ଭର କରି ଲିଫ୍ଟ ଏବଂ ଏସ୍କାଲେଟର୍ କାର୍ଯ୍ୟ କରୁଛି । ଶୌଚାଳୟ, ଜଳ ଯୋଗାଣ ଭଳି ସୁବିଧା ଏହି ଉନ୍ନତିକରଣ କାର୍ଯ୍ୟରେ ଯୋଗ କରାଯାଇଛି । ପ୍ଲାଟଫର୍ମର ସମ୍ପ୍ରସାରଣ ସମ୍ବନ୍ଧରେ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି ଯେ ସମ୍ପୂର୍ଣ୍ଣ ଦୈର୍ଘ୍ୟ ଟ୍ରେନ୍ ରହିବା ପାଇଁ ପ୍ଲାଟଫର୍ମକୁ ବିସ୍ତାର କରିବାକୁ ରେଳବାଇ କାର୍ଯ୍ୟକାରୀ ଦଳ କାର୍ଯ୍ୟ କରୁଛି । ଏହି ସମସ୍ୟାର ଶୀଘ୍ର ସମାଧାନ ହେବ । ଶ୍ରୀ ବିଦ୍ୟା ଭୂଷଣ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରବାସୀ ମାନଙ୍କ ସୁବିଧା ପାଇଁ ପ୍ରବାସୀ ବିଶ୍ରାମ ଶେଡ ଏବଂ ଷ୍ଟେସନ ପ୍ରାଙ୍ଗଣ ଓ ଖାଲିଥିବା ସ୍ଥାନମାନଙ୍କରେ ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି । ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ଲାଇନ ପାଇଁ ପ୍ରାଥମିକ ବିନିଯୋଗ କାର୍ଯ୍ୟକଳାପ ପାଇଁ ରେଳ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି ଯାହାକି ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) ଦ୍ୱାରା ନିର୍ମାଣ କରାଯିବ । ସେହିଭଳି ୭୯ କିଲୋମିଟର ଦୈର୍ଘ୍ୟ ଗୁଣୁପୁର-ଥରୁଭାଲୀ ପ୍ରକଳ୍ପକୁ ମଧ୍ୟ ଅନୁମତି ଦିଆଯାଇଛି । ୨୨୩ କିମି ଦୈର୍ଘ୍ୟ ବ୍ରହ୍ମପୁର-ରାୟଗଡା ନୂତନ ଲାଇନ ପାଇଁ ସର୍ଭେ ରିପୋର୍ଟ ସମାପ୍ତ ହୋଇଛି ଏବଂ ଏହା ସମ୍ବନ୍ଧୀୟ ଦସ୍ତାବିଜ ଗୁଡିକୁ ସଠିକ ଭାବେ ନଜର କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା