ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଶ୍ରୀ ରାଜା ରାମ ଇତିମଧ୍ୟରେ ଯୋଗଦାନ କରିଛନ୍ତି । ସେ ୧୯୮୮ ମସିହା ଭାରତୀୟ ସିଭିଲ ସେବା ଅଧିକାରୀ ଅଟନ୍ତି । ଏହା ପୂର୍ବରୁ ଶ୍ରୀ ରାଜା ରାମ ଉତ୍ତର ପୂର୍ବ ରେଳପଥ ଗୋରଖପୁର ଠାରେ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ କାର୍ଯ୍ୟ କରୁଥିଲେ । ସେ ମଧ୍ୟ ରେଳବାଇ ବୋର୍ଡ ରେ କାର୍ଯ୍ୟ କରିଛନ୍ତି । ତାଙ୍କର ରେଳବାଇରେ ଅପରାଧ ଅନ୍ୱେଷଣ କ୍ଷେତ୍ରରେ ପ୍ରଗାଢ଼ ଦକ୍ଷତା ଅଛି । ଶ୍ରୀ ରାଜାରାମ ମଧ୍ୟ ଲକ୍ଷ୍ନୋ ଠାରେ ଆରଡିଏସଓ ଏବଂ ହାଜିପୁର ସ୍ଥିତ ପୂର୍ବ କେନ୍ଦ୍ରୀୟ ରେଳପଥର ମୁଖ୍ୟ ନିରାପତ୍ତା ଆୟୁକ୍ତ, ଲକ୍ଷ୍ନୋ ସ୍ଥିତ ରେଳବାଇ ସୁରକ୍ଷା ବଳ ଏକାଡେମୀର ନିର୍ଦେଶକ ଏବଂ ଦକ୍ଷିଣ ପୂର୍ବ ରେଳପଥ, ପୂର୍ବ ରେଳପଥ ଏବଂ ପୂର୍ବ ସୀମାନ୍ତ ରେଳପଥରେ ରେଳବାଇ ସୁରକ୍ଷା ବଳର ବହୁ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି । ଶ୍ରୀ ରାଜା ରାମଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୨ ମସିହାରେ ଭାରତୀୟ ପୋଲିସ ସେବା, ୨୦୦୪ରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦେଶକଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ଏବଂ ମହାପ୍ରବନ୍ଧକମାନଙ୍କ ପକ୍ଷରୁ ଅନେକଥର ସମ୍ମାନିତ ହୋଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର