ଗୋଟିଏ ପଟେ ପୂର୍ବ ଭାରତର ସବୁଠୁ ବଡ ସରକାରୀ ତଥା ରାଜକୀୟ ସଂଗ୍ରହାଳୟ- ଉଜ୍ଜୟନ୍ତ ପ୍ରାସାଦ। ହାତୀଦାନ୍ତ ଭଳି ଶୋଭାବନ୍ତ ଏହି ରାଜପ୍ରାସାଦ ଏବେ ବି ବର୍ଣ୍ଣନା କରୁଛି ମାଣିକ୍ୟ ରାଜବଂଶର ଗୌରବମୟ କୀର୍ତିକୁ। ଅନ୍ୟପଟେ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ସ୍ମୃତିରେ ଦଣ୍ଡାୟମାନ ରବୀନ୍ଦ୍ର ଶତବାର୍ଷିକୀ ଭବନ। ଆଉ ଏ ଉଭୟଙ୍କ ମଝିରେ ଦୀନ ଦୁଃଖୀ ଦରିଦ୍ରଙ୍କ ମୁକ୍ତି କ୍ଷେତ୍ର ଭାବେ ଉଭା ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିର। ହଁ, ପୂର୍ବ ଭାରତର ସୀମାନ୍ତରେ ଥିବା ତ୍ରିପୁରାର ରାଜଧାନୀ ଅଗରତାଲାରେ କାଳିଆ ଠାକୁରଙ୍କ ଏହି ସୁଦୃଶ୍ୟ ମନ୍ଦିର ଶତାଧିକ ବର୍ଷ ଧରି ଭକ୍ତମାନଙ୍କୁ ଆକର୍ଷିତ କରିଆସିଛି ।
ମନ୍ଦିରର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଉତ୍କଳୀୟ ମନ୍ଦିରଗୁଡିକରେ ପ୍ରବେଶ ପଥରେ ସିଂହଦ୍ୱାର ଥିଲା ଭଳି ଏଠାରେ ସିଂହଦ୍ୱାର ନାହିଁ। କିନ୍ତୁ ସୁଉଚ୍ଚ ପ୍ରାଚୀର ଦ୍ୱାରା ପରିବେଷ୍ଟିତ ଏହି ସୁରମ୍ୟ ମନ୍ଦିରର ପ୍ରବେଶ ପଥର ଗମ୍ବୁଜାକୃତିର ତୋରଣଟି ଅତ୍ୟନ୍ତ ଆକର୍ଷଣୀୟ। ମନ୍ଦିର ପରିସରରେ ରହିଛି ଏକ ସୁନ୍ଦର ହାତୀର ମୂର୍ତି। ତା’ ସାଙ୍ଗକୁ ଦୁଇ ଦ୍ୱାରପାଳଙ୍କ ମୂର୍ତି ଏକ ମଧ୍ୟଯୁଗୀୟ ଐତିହାସିକ କୀର୍ତିର ଆଭାସ ଦେଉଛି। ସବୁଠୁ ଆକର୍ଷଣୀୟ ଚତୁର୍ଦ୍ଧାମୂର୍ତିଙ୍କ ନୟନାଭିରାମ ବିଗ୍ରହ। ମନ୍ଦିର ସମ୍ମୁଖରେ ହିଁ ରହିଛି ଏକ ଭଜନ ମଣ୍ଡପ। ଏଠାରେ ପ୍ରତିଦିନ ଭଜନ ସାଙ୍ଗକୁ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଦେଶର ବିଭିନ୍ନ ଭାଗରୁ ଆସୁଥିବା ସାଧୁସନ୍ଥମାନେ ଏଠାରେ ପ୍ରବଚନ ଦେଇଥାନ୍ତି। ସେହିଭଳି ମନ୍ଦିର ପରିସରରେ ଚାରିଆଡେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସାଙ୍ଗକୁ ମହାଭାରତ ଓ ଭାଗବତର ବିଭିନ୍ନ କାହାଣୀକୁ କଳାକୁ ବା ମୂର୍ତିରେ କାହାଣୀ ଭଳି ଉପସ୍ଥାପିତ କରାଯାଇଛି।
ଏହା ସହ ମନ୍ଦିର ବେଢା ଭିତରେ ହିଁ ରହିଛି ଏକ ମନୋରମ ଚନ୍ଦନ ପୁଷ୍କରିଣୀ। ପୋଖରୀ ଭିତରେ ନିର୍ମାଣ ହୋଇଛି ଚନ୍ଦନ ଠାକୁରଙ୍କ ଏକ ଛୋଟିଆ ଅଥଚ ମନଲୋଭା ମନ୍ଦିର। ଶ୍ରୀରାଧାକୃଷ୍ଣ ପୂଜା ପାଉଛନ୍ତି ଏହି ମନ୍ଦିରରେ। ମନ୍ଦିର ବେଢାରେ ହିଁ ରହିଛି ଏକ ଗୋଶାଳା। ତାସାଙ୍ଗକୁ ଶତାଧିକ କୋଠରୀ ବିଶିଷ୍ଟ ଏକ ଭକ୍ତ ଆଶ୍ରୟସ୍ଥଳୀ ଏବଂ ସାଧୁ ନିବାସ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ରହଣୀରେ ଏହା ସହାୟକ ହେଉଛି। ସେମାନଙ୍କଠାରୁ ମିଳୁଥିବା ସ୍ବଳ୍ପ ଦେୟ ତଥା ସାଧାରଣ ଜନତାଙ୍କ ଅନୁଦାନରେ ପରିଚାଳିତ ହେଉଛି ଏହି ମନ୍ଦିର। କେବଳ ସେତିକି ନୁହେଁ, ମନ୍ଦିରରେ ଥିବା ଆନନ୍ଦ ବଜାର ବା ମାଆ ଲକ୍ଷ୍ମୀଙ୍କ ଭଣ୍ଡାରରୁ ଭକ୍ତଙ୍କ ପାଇଁ ସଶୁଳ୍କ ଦିନ ରାତି ପ୍ରସାଦସେବନର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ପ୍ରତିଦିନ ଶ୍ରୀଜିଉମାନଙ୍କ ନିକଟରେ 4 ଥର ଭୋଗ ଲାଗି ହେବା ପରେ ମନ୍ଦିର ସମ୍ମୁଖରେ ଉପସ୍ଥିତ ଭକ୍ତମଣ୍ଡଳୀଙ୍କ ହାତରେ ପ୍ରସାଦ ବଂଟନ କରାଯାଏ। ଏହାକୁ କହନ୍ତି ମାଧୁକରୀ। ଏଥିରେ ଗୋଟିଏ ହିଁ ପାତ୍ରରେ ଅନ୍ନ, ବ୍ୟନ ସବୁକିଛିକୁ ଏକାଠି ଗୋଳେଇ ଦେଇ ଭକ୍ତଙ୍କ ହାତକୁ ବଢାଇ ଦିଆଯାଏ। କିନ୍ତୁ ଏକାଦଶୀ ଦିନ ଅନ୍ନପ୍ରସାଦ ମିଳେ ନାହିଁ। କେବଳ ଫଳ ଭୋଗରେ ହିଁ ସନ୍ତୁଷ୍ଟ ହେବାକୁ ପଡେ ଭକ୍ତଙ୍କୁ ।
ତ୍ରିପୁରାର ଜଣେ ପ୍ରଜାପାଳକ ରାଜା ରାଧାକିଶୋର ମାଣିକ୍ୟ ବାହାଦୂରଙ୍କ ଦ୍ୱାରା ପ୍ରାୟ 120 ବର୍ଷ ତଳେ ଏହି ମନ୍ଦିର ନିର୍ମାଣ ହୋଇଛି ବୋଲି କହନ୍ତି ମନ୍ଦିରର ପୀଠାଧୀଶ ଭକ୍ତିକମଳ ବୈଷ୍ଣବ ମହାରାଜ। ତେବେ ଏଭଳି ଏକ କୀର୍ତି ପଛରେ ଏକ କିମ୍ବଦନ୍ତୀ ରହିଥିବା ନେଇ ବି ସୂଚନା ଦିଅନ୍ତି ସେ। କିମ୍ବଦନ୍ତୀ କହେ, ରାଜା ରାଧାକିଶୋର ମାଣିକ୍ୟ ବାହାଦୂର ଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ। ଆଉ ତାଙ୍କର ଥିଲା ଗୋଟିଏ ଅଳିଅଳି ଝିଅ। ଯାହାକୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ ମହାରାଜ। କିନ୍ତୁ ଥରେ ଅସୁସ୍ଥତା କାରଣରୁ ଝିଅ ଏବଂ ନିଜ ମହାରାଣୀଙ୍କୁ ହରାଇଲେ ମହାରାଜ। ଆଉ ସେମାନଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ଏହି ଭବ୍ୟ କୀର୍ତି। ସୁଉଚ୍ଚ ଏହି ମନ୍ଦିରଟି ସୁନ୍ଦର ସ୍ଥାପତ୍ୟ କଳାର ଏକ ଚମତ୍କାର ନିଦର୍ଶନ। ରାଜାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୀର୍ଘ ବର୍ଷ ଧରି ମନ୍ଦିର ପରିଚାଳିତ ହେବା ପରେ ଏହାକୁ ରାଜ୍ୟସରକାରଙ୍କ ଦେବାର୍ଚ୍ଚନ ବିଭାଗ ହାତୁକ ନେଇଥିଲା। କିନ୍ତୁ 1976 ମସିହାରେ ଏହାକୁ ଶ୍ରୀଚୈତନ୍ୟ ଗୌଡୀୟ ମଠକୁ ହସ୍ତାନ୍ତର କରାଯାଇଥିଲା। ସେବେଠାରୁ ଅଦ୍ୟାବଧି ଏହି ମନ୍ଦିର ପରିଚାଳନା କରୁଛନ୍ତି ଏହି ଗୌଡୀୟ ମଠ ।
ଏହି ମନ୍ଦିରରେ ମାତ୍ର କିଛି ଦିନ ପାଇଁ ଅବସ୍ଥାନ କରିବା ସମୟରେ ଏହି ଲେଖକ ଏକ ଈଶ୍ୱରୀୟ ବାତାବରଣର ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲା। ମନ୍ଦିର ପୀଠାଧୀଶଙ୍କ ସଙ୍ଗେ ଆଲୋଚନାରୁ ଜଣାପଡିଲା ଯେ, ଶ୍ରୀକ୍ଷେତ୍ର ସହିତ ଏହି ପୀଠର ସମ୍ପର୍କ ଅତିନିବିଡ। ଶ୍ରୀମନ୍ଦିରର ପ୍ରତ୍ୟେକ ରୀତିନୀତିକୁ ଏଠାରେ ପାଳନ କରିବା ପାଇଁ ସମସ୍ତ ପ୍ରଯତ୍ନ କରାଯାଏ ।
ପ୍ରତିବର୍ଷ ବଡ ଧୁମଧାମରେ ପାଳନ ହୁଏ ରଥଯାତ୍ରା। ପ୍ରାୟ ଦୁଇଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଏହା ବ୍ୟତୀତ ବାହୁଡା, ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ, ହୋଲି ଏବଂ ଗୋବର୍ଦ୍ଧନ ପୂଜା ଏଠାକାର ପ୍ରମୁଖ ଆକର୍ଷଣ। କିନ୍ତୁ ସବୁଠୁ ବଡ ଆକର୍ଷଣ ଏଠାରେ ଆୟୋଜିତ ଅନ୍ନକୁଟ ମହୋତ୍ସବ। ଏହି ସମୟରେ ୫ ଦିନ ଧରି ଧର୍ମ ସମ୍ମେଳନ ଆୟୋଜିତ ହୁଏ। ଦେଶର ବିଭିନ୍ନ ଭାଗରୁ ସାଧୁସନ୍ଥମାନେ ଆସନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ।
ତେଣୁ ମୋଟାମୋଟି କହିବାକୁ ଗଲେ ଅଗରତାଲାର ଏହି ଜଗନ୍ନାଥ ବାଡି ଆଜି ଆଉ ଏକ ଧର୍ମୀୟ ପ୍ରତିଷ୍ଠାନ ହୋଇ ରହିନାହିଁ, ବରଂ ଏହି ଛୋଟ ରାଜ୍ୟ ତ୍ରିପୁରାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଲଟିଛି। ଏହା ସହ ପାଲଟିଛି ହଜାର ହଜାର ଜଗନ୍ନାଥପ୍ରେମୀ ଜନସାଧାରଣଙ୍କ ପ୍ରାଣର ମିଳନସ୍ଥଳ ।
ତେବେ ଅଗରତାଲାର ଏହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ବହୁ ପୂର୍ବରୁ ତ୍ରିପୁରାର ପୂରାତନ ରାଜଧାନୀ ଉଦୟପୁରରେ ନିର୍ମାଣ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ଏକ ପ୍ରାଚୀନ ମନ୍ଦିର। ୧୯୪୯ ମସିହାରେ ବିଧିବଦ୍ଧ ଭାବେ ଭାରତବର୍ଷର ଏକ ଅତୁଟ ଅଂଶ ହେବା ପୂର୍ବରୁ ତ୍ରିପୁରା ଥିଲା ଏକ ରାଜା ଶାସିତ ରାଜ୍ୟ। ବିଶେଷକରି ମାଣିକ୍ୟ ବଂଶର ରାଜାମାନେ ପିଢି ପରେ ପଢି ଶାସନ କରିଆସୁଥିଲେ ତ୍ରିପୁରାକୁ। ତେବେ ଶତାଧିକ ବର୍ଷ ତଳେ ତତ୍କାଳୀନ ତ୍ରିପୁରାର ରାଜଧାନୀ ଥିଲା ଉଦୟପୁର। ଯାହାକି ଅଗରତାଲାଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ। ଗୋମତୀ ନଦୀର କୂଳରେ ଗଢି ଉଠିଥିବା ଏହି ଉଦୟପୁରରେ ହିଁ ରହିଛି ତ୍ରିପୁରାର ଅଧିଷ୍ଠାତ୍ରୀ ଦେବୀ ତଥା ଦେଶର ୫୧ ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ମାଆ ତ୍ରିପୁରା ସୁନ୍ଦରୀଙ୍କ ମନ୍ଦିର ।
ମାତା ତ୍ରିପୁରାସୁନ୍ଦରୀଙ୍କ ମନ୍ଦିର ନିକଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ରହିଛି ରାଜ୍ୟର ଅନ୍ୟତମ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର। ଉଦୟପୁରର ଏହି ପ୍ରାଚୀନ ମନ୍ଦିରଟି ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ। ଏଠାରେ ଆଉ ଶ୍ରୀଜିଉମାନଙ୍କ ଶ୍ରୀବିଗ୍ରହ ପୂଜା ପାଉନାହାନ୍ତି। ମନ୍ଦିର ପୂଜକ ବାଳକୃଷ୍ଣ ଦାସଙ୍କ ମତରେ ରାଜା ଗୋବିନ୍ଦ ମାଣିକ୍ୟଙ୍କ ଶାସନ କାଳରେ ନିର୍ମିତ ଏହି ମନ୍ଦିର ଏବେ ସମ୍ପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ। ତେବେ ଏଥିରେ ବ୍ୟବହୃତ ଇଟା, ଟେରାକୋଟା ଏବଂ ଏହାର ନିର୍ମାଣ ଶୈଳି ଦେଖିଲେ ଏଥିରୁ ବଙ୍ଗୀୟ ଶିଳ୍ପକଳାର ନିଦର୍ଶନ ସ୍ପଷ୍ଟ ବାରିହୁଏ। ଗତ ୩୦ ବର୍ଷରୁ ଅଧିକ ସମୟ ଧରି ଏହି ମନ୍ଦିର ନିକଟରେ ନିର୍ମାଣ ହୋଇଛି ଆଉ ଏକ ମନ୍ଦିର। କିନ୍ତୁ ଏହା ସମ୍ପୂର୍ଣ୍ଣ ଆଧୁନିକ ଘରଟିଏ ଭଳି। ଏଥିରେ ସେଭଳି କୌଣସି କଳା କାରିଗରୀ ଦେଖିବାକୁ ମିଳେ ନାହିଁ। ତେବେ ଏହି ପୀଠର ବିଶେଷତ୍ୱ ହେଉଛି ଏଠାରେ ପୂଜା ପାଉଥିବା ଶ୍ରୀଜିଉଙ୍କ ଶ୍ରୀବିଗ୍ରହ ।
ଉଦୟପୁରର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହମାନେ ହସ୍ତପଦ ଯୁକ୍ତ ବା ସପାଣିପାଦ ବିଗ୍ରହ। ପ୍ରଭୁ ବଳଭଦ୍ର ସମ୍ପୂର୍ଣ୍ଣ ଶ୍ୱେତବର୍ଣ୍ଣ ହୋଇଥିବା ବେଳେ ଦେବୀ ସୁଭଦ୍ରା ପୀତବର୍ଣ୍ଣା। କିନ୍ତୁ ଶ୍ରୀଜଗନ୍ନାଥ ଏଠାରେ କାଳିଆ ନୁହନ୍ତି। ସେ ଶ୍ରୀକୃଷ୍ଣଙ୍କ ଭଳି ନୀଳ ବା ଶ୍ୟାମଳ ବର୍ଣ୍ଣରେ ପୂଜା ପାଉଛନ୍ତି ଏଠାରେ। ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଗଠିତ କମିଟି ମନ୍ଦିରର ପରିଚାଳନା ଦାୟିତ୍ୱ ତୁଲାଇଥାନ୍ତି। ଆଉ ବର୍ଷ ତମାମ ବିଭିନ୍ନ ପର୍ବପର୍ବାଣି ପାଳନ ହେଉଥିଲେ ବି ରଥଯାତ୍ରା ଏଠାକାର ସବୁଠୁ ବଡ ଉତ୍ସବ। ଗୋଟିଏ ରଥରେ ତିନି ଠାକୁରଙ୍କୁ ରଥାରୁଢ କରାଇ ଏଠାରେ ନଗର ପରିକ୍ରମା କରାଯାଏ। ଏହାବ୍ୟତୀତ ବାହୁଡା ଯାତ୍ରା, ସ୍ନାନ ଯାତ୍ରା, ଦୋଳ ପୂର୍ଣ୍ଣିମା ଏବଂ ଝୁଲଣ ଯାତ୍ରା ଭଳି ବିଭିନ୍ନ ଉତ୍ସବ ମହାସମାରୋହରେ ପାଳନ କରାଯାଏ ଉଦୟପୁର ଶ୍ରୀଜଗନ୍ନାଥ ମନ୍ଦିରରେ ।
ପୂର୍ବ ଭାରତର ସୀମାନ୍ତରେ ଅବସ୍ଥିତ ତ୍ରିପୁରା ମୂଳ ଭାରତୀୟ ଭୂଖଣ୍ଡଠାରୁ ପୂର୍ବ ବଙ୍ଗ ବା ବାଂଲାଦେଶ ଦ୍ୱାରା ବିଭାଜିତ ହୋଇ ରହିଛି। ଦେଶର ତୃତୀୟ ସର୍ବ କନିଷ୍ଠ ରାଜ୍ୟ ତ୍ରିପୁରାର ଉତର, ପଶ୍ଚିମ ଓ ଦକ୍ଷିଣ ଦିଗରେ ରହିଛି ଅନ୍ତର୍ଜାତୀୟ ସୀମା। ଦୀର୍ଘ ୮୫୬ କିଲୋମିଟର ଧରି ଏହାକୁ ଘେରେଇ ରହିଛି ବାଂଲାଦେଶ। କିନ୍ତୁ ପୂର୍ବରେ ଆସାମ ଓ ମିଜୋରାମ ଏହାକୁ ହାତ ଧରି ଭାରତ ସହିତ ଯୋଡି ରଖିଛନ୍ତି। ପ୍ରାୟ ୮୭ ପ୍ରତିଶତ ହିନ୍ଦୁ ରହୁଥିବା ଏହି ରାଜ୍ୟରେ ଯଦିଓ ବହୁ ଜନଜାତିଙ୍କ ଉପସ୍ଥିତି ରହିଛି, କିନ୍ତୁ ଏଠାକାର ଆରାଧ୍ୟ ଭାବେ ପୂଜା ପାଉଛନ୍ତି ଦେବୀ ଦୁର୍ଗା ଏବଂ ପ୍ରଭୁ ଶ୍ରୀଜଗନ୍ନାଥ। ଏଠାରେ ଦେଖିବାକୁ ମିଳିଛି ଉଭୟ ଶାକ୍ତ ଓ ବୈଷ୍ଣବ ଉପାସନାର ଅନେକ ସମନ୍ୱୟ। ପୂର୍ବ ସୀମାନ୍ତରେ ପରମେଶ୍ୱର ନିଜର ଉପସ୍ଥିତି କାହିଁ କେଉଁକାଳରୁ ଜାହିର କରିଛନ୍ତି ।