ଗୋପାଳପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ ରଙ୍ଗେଇଲୁଣ୍ଡା ବ୍ଲକରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଝିପିଝିପି ବର୍ଷା ଲାଗି ରହିବା ଏବଂ ଗତକାଲି ମଧ୍ୟ ଲାଗି ରହିଥିବା ଯୋଗୁଁ ଏହି ଅଞ୍ଚଳରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏହି ବ୍ଲକରେ ଏହାର ପରିମାଣ ଅଧିକ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା କୃଷି ବିଭାଗ ପକ୍ଷରୁ ଏହା ନେଇ କୌଣସି ତଥ୍ୟ ସଂଗ୍ରହ କରାଯାଇନଥିବା ଜଣାପଡିଛି । ଏହି ଅଞ୍ଚଳରେ ପ୍ରାୟ ୯ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷୀ ଜମିରେ ଚଳିତ ବର୍ଷ ଧାନ ଚାଷ କରାଯାଇଥିଲା । ପେଥାଇକୁ ନେଇ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଇବାରେ ଅଧିକାଂଶ ଚାଷୀ, ଜମିରୁ ଧାନ କାଟିବା ସହ ଧାନ ସଂଗ୍ରହ କରି ଦେଇଥିଲେ ଏବଂ ଅନେକ ଅମଳ ଧାନକୁ ନିଜ ନିଜର ଖଳାକୁ ନେବାରେ ସକ୍ଷମ ନ ହେବାରୁ ଚାଷ ଜମିରେ ହିଁ ଗଦା କରି ରଖିଥିବା ବେଳେ ପ୍ରାୟ ୩୦ ଶତକଡା ଧାନ କଟା ଯାଇନଥିବା ଜଣାପଡିଛି । ଏହି ବର୍ଷା ଯୋଗୁଁ ତଳିଆ ଅଂଚଳର ଜମି ଗୁଡିକରେ ପାଣି ଜମି ରହିବା ସହ କଟା ଯାଇ ନଥିବା ଧାନ ଗୁଡିକ ନଷ୍ଟ ହୋଇଥିବା ଜଣାଯାଇଛି । ଗତକାଲି ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ଏସ. ଧର୍ମରାଜ ରେଡ୍ଡୀଙ୍କ ସମେତ କଂଗ୍ରେସର ତିନି ଜୋନ ସଭାପତି କେ. ମୋହନ ରେଡ୍ଡୀ, ଉମାକାନ୍ତ ସାସମଲ ଓ ଧୀରେନ୍ଦ୍ର ପାତ୍ର ପ୍ରମୁଖ ଷୋଳବିମା, ଜୁମୁଜୁମି, ଦାସପୁର, କାଳିଆ ଗାଁ ଗୁଡିକ ଗ୍ରସ୍ତ କରିବା ସହ ସ୍ଥିତି ପରଖିଥିଲେ ଏବଂ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତି ନେଇ ଏକ ରିପୋର୍ଟ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ସହ ଚାଷୀମନକୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରାଯିବାକୁ ଦାବି ଜଣାଇବେ ବୋଲି ଧର୍ମରାଜୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା