ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲା କଲ୍ୟାଣସିଂଙ୍ଗପୁର ବ୍ଲକ ନିୟମଗିରି ପାହାଡରେ ଅବସ୍ଥିତ କାଡ୍ରାକା ବଣ୍ଡେଲି ଗ୍ରାମରେ ଅପହଞ୍ଚ ସରକାରୀ ଯୋଜନା । ଗାଁକୁ ରାସ୍ତା ନାହିଁ, ବିଜୁଳି ଲୋକଙ୍କ ପାଇଁ ଏଠାରେ ସାତ ସପନ । ବିଜୁଳି ଅଲୁଅ ନଥିବାରୁ ସନ୍ଧ୍ୟା ହେଲେ ଗ୍ରାମ ଖାଁଖାଁ ହୋଇପଡୁଛି । ବିଦ୍ୟାଳୟ ଅଛି ହେଲେ ଶିକ୍ଷକ ଅଶୁ ନାହାନ୍ତି । ଏଭଳି ମୌଳିକ ସୁବିଧାରୁ ବହୁ ଦୂରରେ ସରକାରୀ ଯୋଜନା ଅପେକ୍ଷାରେ କାଡ୍ରକା ବଣ୍ଡେଲୀ ଗ୍ରାମବାସୀ ଆଜି ଜିଲାପାଳଙ୍କୁ ଗୁହାରୀ ଜଣେଇଥିଲେ । ଏଥିସହ ଗ୍ରାମବାସୀଙ୍କୁ ବାର୍ଦ୍ଧକ୍ଷ୍ୟ ଓ ବିଧବା ଭତ୍ତା ନମିଳିବାରୁ ବଣ୍ଡେଲି ଗ୍ରାମର ୪୦ରୁ ଉଦ୍ଧ୍ୱ ଡଙ୍ଗରୀଆ ସମ୍ପ୍ରଦାୟ ଗ୍ରାମବାସୀ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବିଗତ ବର୍ଷ ନଭେମ୍ବର ମାସ ୧୪ ତାରିଖ ଦିନ ଶେଷ ଭତ୍ତା ଟଙ୍କା ପ୍ରଦାନ କରି ସମିତି ସଭ୍ୟ ଉକ୍ତ ପେନସନ ଖାତାକୁ ନିଜ ନିକଟରେ ରଖିଛନ୍ତି । ସେହିଦିନଠାରେ କୌଣସି ଭତ୍ତା ଟଙ୍କା ହିତାଧିକାରୀଙ୍କୁ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏ ନେଇ ବାରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସୀ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଦୀର୍ଘ ଦିନରୁ ଭତ୍ତା ଟଙ୍କା ନମିଳିବା ଏବଂ ଗ୍ରାମକୁ ବିକାଶ ମୂଳକ କାର୍ଯ୍ୟ ହେଉନଥିବା ଉଲ୍ଲେଖ କରି ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ନେହୁରା ହୋଇଛନ୍ତି ବଣ୍ଡେଲୀ ଗ୍ରାମବାସୀ । ତେବେ ଆଗାମୀ ଦିନରେ ଜିଲା ପ୍ରଶାସନ ଉକ୍ତ ସମସ୍ୟା ପ୍ରତି ପଦକ୍ଷେପ ଗ୍ରହଣ ନକଲେ ଗ୍ରାମବାସୀ ଅନ୍ଦୋଳନ ପନ୍ଥା ଅପଣାଇବେ ବୋଲି ଗ୍ରାମବାସୀନ୍ଦା ମତବ୍ୟକ୍ତ କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ