ପେସା ଅଞ୍ଚଳର ବିବାଦ ସମାଧାନର ପାରମ୍ପାରିକ ବ୍ୟବସ୍ଥା ଏକ ଅନନ୍ୟ ଉଦାହରଣ : ମନ୍ତ୍ରୀ ରବିନାରାୟଣ ନାଏକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ଦୁଇଦିନିଆ ‘ପେସା’ ଶୀର୍ଷକ ଜାତୀୟ କର୍ମଶାଳା ମାନ୍ୟବର ପଞ୍ଚାୟତି ରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଦେଶର ୧୦ଟି ରାଜ୍ୟରୁ ଆସି ଏହି କର୍ମଶାଳାରେ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଅଞ୍ଚଳ ଓ ଜନଜାତି ସଶକ୍ତିକରଣରେ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମ (ପେସା ଆଇନ)ର ଭୂମିକା ଓ ଉପଯୋଗିତା ବିଷୟରେ ନିଜର ଅଭିମତ ରଖିଥିଲେ ।
ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନଠାରେ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମ (ପେସା ଆଇନ) ଅଞ୍ଚଳରେ ପାରମ୍ପାରିକ ପଦ୍ଧତିରେ ବିବାଦ ସମାଧାନ ସମ୍ପର୍କରେ ଆୟୋଜିତ ଦୁଇଦିନିଆ ଜାତୀୟ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ । ଏହି କର୍ମଶାଳାକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ୭୩ତମ ସମ୍ବିଧାନ ସଂଶୋଧନର ବ୍ୟବସ୍ଥାଗୁଡ଼ିକୁ ଭାରତର ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରିତ କରି ଆଦିବାସୀ ଅଞ୍ଚଳରେ ସ୍ଥାନୀୟ ଶାସନକୁ ସୁଦୃଢ ଓ ସଶକ୍ତ କରିବା ହେଉଛି ‘ପେସା ଆଇନ-୧୯୯୬’ର ପ୍ରମୁଖ ଉଦ୍ଦେଶ୍ୟ ବୋଲି ମତପ୍ରକାଶ କରିଥିଲେ । ଭାରତର ୧୦ଟି ଆଦିବାସୀବହୁଳ ରାଜ୍ୟରେ ଏହି ପେସା ଆଇନ କାର୍ଯ୍ୟକାରୀ ହେଉଛି । ଆମ ରାଜ୍ୟର ୪୫ ପ୍ରତିଶତ ଅନୁସୂଚିତ ଅଞ୍ଚଳରେ ବିବିଧ ଆଦିବାସୀ ସଂସ୍କୃତି ହେତୁ ଓଡ଼ିଶା ସମଗ୍ର ଦେଶରେ ଅନନ୍ୟ ସ୍ଥାନ ହାସଲ କରିଛି । ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାର ୧୧୯ ବ୍ଲକର ୧୯୬୨ଟି ଗ୍ରାମପଞ୍ଚୟତ ପେସା ଅଞ୍ଚଳ ଅନ୍ତର୍ଭୁକ୍ତ ଅଟେ । ଆମ ରାଜ୍ୟରେ ୬୪ ପ୍ରକାରର ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଯାହା ମଧ୍ୟରେ ୧୩ ପ୍ରକାରର ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜି) । ଏହି ସମସ୍ତ ଜନଜାତି ପାରମ୍ପାରିକ ପଦ୍ଧତିରେ ବିବାଦ ସମାଧାନର ଉତ୍କୃଷ୍ଟ ଉଦାହରଣ ପ୍ରସ୍ତୁତ କରିପାରିଛନ୍ତି । ତେଣୁ ଦେଶର ବିଭିନ୍ନ ପେସା ଅଞ୍ଚଳ ପାଇଁ ତାହା ପ୍ରେରଣାର ସ୍ରୋତ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ ଆଦିବାସୀ ସମ୍ପ୍ରଦାୟ ଓ ବିଲୁପ୍ତ ପ୍ରାୟ ଜନଜାତି ରୀତିନୀତି, ନିୟମ ଓ ସାମାଜିକ ସରଂଚନାକୁ ଭିତ୍ତିକରି ସ୍ଥାନୀୟ ସ୍ତରରେ ବିବାଦ ସମଧାନ କରିବା ହେଉଛି ଏକ ପାରମ୍ପାରିକ ପଦ୍ଧତି । ଏହା ଭାରତର ମହାନ ସଂସ୍କୃତିରେ ଆଦିବାସୀ ସମ୍ପ୍ରଦାୟର ବିଶେଷ ଯୋଗଦାନ । ଏହା ସହ ରାଜ୍ୟରେ ସମସ୍ତ ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ କାର୍ଯ୍ୟକାରୀ କରାଯାଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ପଦକ୍ଷେପ ବିଷୟରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ସେଥିରେ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମର ଉପଯୋଗିତା ବିଷୟରେ ମତ ରଖିଥିଲେ । ଏହି ଜାତୀୟ କର୍ମଶାଳାକୁ ସମ୍ବୋଧିତ କରି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମର ସାମଗ୍ରିକ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟର ଆର୍ଥିକ ପରାମର୍ଶଦାତା ଡକଫର ବିଜୟ କୁମାର ବେହେରା ପେସା ଆଇନ-୧୯୯୬ର ପ୍ରମୁଖ ଉଦ୍ଦେଶ୍ୟ ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନଠାର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନଠାର ଉପ-ନିର୍ଦ୍ଦେଶକ ଶ୍ରୀମତୀ ଅମ୍ରିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ବିନାୟକ ମିଶ୍ର,ଲୋକସମ୍ପର୍କ ଅଧିକାରୀ 

Leave a Reply

Your email address will not be published. Required fields are marked *