ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ବିଭିନ୍ନ ସ୍ଥାନରେ ବ୍ରାଉନ୍ ସୁଗର ଧରାପଡୁଥିବା ବେଳେ ସେଥିସହିତ ଜଳେଶ୍ୱର ଅଞ୍ଚଳର ସଂପର୍କ ରହୁଥିବାର ସୂଚନା ମିଳୁଛି । ଗତ କିଛିଦିନ ମଧ୍ୟରେ ଭୁବନେଶ୍ୱର ଏରୋଡ୍ରାମ୍ ଥାନା ଅନ୍ତର୍ଗତ ଅଂଚଳରେ ଧରା ପଡିଥିବା ବ୍ରାଉନ୍ ସୁଗର କାରବାରରେ ଜଳେଶ୍ୱରର ୨ଜଣ ଯୁବକ ଗିରଫ ହୋଇଥିଲେ । ଗତ ବୁଧବାର ଭୋର ଜଳେଶ୍ୱର ମିଲ୍ବାଡିଠାରୁ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କୁର୍ଡ ଓ ସ୍ଥାନୀୟ ଅବକାରୀ ଥାନା ମିଳିତ ଚଢାଉରେ ୩୦୫ଗ୍ରାମ ଓଜନର ବ୍ରାଉନ୍ ସୁଗର ଧରାଯିବା ସହିତ ଏକ ପିସ୍ତଲ ସହିତ ଜଣେ ଯୁବକକୁ ଗିରଫ କରାଯାଇଥିଲା । ଆଜି ଅପରାହ୍ନରେ ଜଳେଶ୍ୱର ପୋଲିସ କୃଷ୍ଣନଗର ଅଞ୍ଚଳରୁ ଜଣେ ବଙ୍ଗୀୟ ଯୁବକ ସହିତ ୭୧ଗ୍ରାମ ବ୍ରାଉନ୍ ସୁଗର ଧରିବାକୁ ସକ୍ଷମ ହୋଇଥିଲେ । ଯୁବକର ନାମ ସିଧୁ ମାରାଣ୍ଡି(୨୬) ଏବଂ ତାର ଘର ପଶ୍ଚିମବଙ୍ଗର ମେଦିନିପୁର ଜତିଲା ଅନ୍ତର୍ଗତ ସବଙ୍ଗ ଥାନାର ଲୁଟୁନିଆ ଟେମାଥନ ଗ୍ରାମର ବୋଲି ଜଣାଯାଇଛି । ଜଳେଶ୍ୱରର ଏକ ପୋଲ ନିକଟରେ ଜଳେଶ୍ୱର ଅଂଚଳର ୨ ଯୁବକ ଏହି ବ୍ରାଉନ୍ ସୁଗର ତାଙ୍କୁ ବିକ୍ରି କରିଥିବାର ସେ ପ୍ରକାଶ କରିଛି । ତା ସାଥିରେ ଥିବା ସବଙ୍ଗ ଥାନାର ବର୍ଜ୍ଜାବାଣୀ ଗାଁର ସୁକଦେବ ସିଂ ପୋଲିସକୁ ଚକମା ଦେଖାଇ ଫେରାର ହୋଇ ଯାଇଥିବା ସୁଧୁ ମାରାଣ୍ଡି ପ୍ରକାଶ କରିଛି । ପୋଲିସ ସିଧୁ ମାରାଣ୍ଡିଠାରୁ ଅନ୍ୟ ବହୁତଥ୍ୟ ହାସଲ କରିଛି । ସୂଚନାଯୋଗ୍ୟ ଗତ ୨ମାସ ତଳେ ଜଳେଶ୍ୱରର ଜନୈକ ଯୁବକଙ୍କ ମୃତ ଶରୀର ବର୍ଦ୍ଧମାନ ଅଞ୍ଚଳର କିଛି ଦୂର ଓ ବାଙ୍ଗଲାଦେଶ ସୀମାନ୍ତରୁ ଉଦ୍ଧାର କରାଯାଇଥିଲା । ବିଭିନ୍ନ ସମୟରେ ବ୍ରାଉନ୍ ସୁଗର ଧରାପଡୁଥିବା ବେଳେ ତାର ଚେର ଜଳେଶ୍ୱରରେ ରହିଥିବାର ସୂଚନା ମିଳି ଆସୁଛି । ପ୍ରତିଦିନ ସଂଜ ବାଜିଲେ ଜଳେଶ୍ୱରର ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ବ୍ରାଉନ୍ ସୁଗର ଅଭ୍ୟସ୍ତ କେତେକ ଯୁବକଙ୍କୁ ଦେଖିବାକୁ ମିଳେ । ଓଡିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଯୁବକମାନେ ଆସି ବ୍ରାଉନ୍ ସୁଗର ରାକେଟ ସହିତ ଯୋଗାଯୋଗ କରି ଏହା କିଣାବିକା କରିଥାନ୍ତି ବୋଲି ଅତୀତରେ ବହୁ ପ୍ରମାଣ ମିଳିଛି । ଏପରିକି ଜଳେଶ୍ୱରର କିଛି ରାଜନୈତିକ ବ୍ୟକ୍ତି ଓ ପୁଞ୍ଚିପତି ତଥା ବଡବଡ ବ୍ୟବସାୟୀମାନେ ସେହି ବ୍ରାଉନ୍ ସୁଗର କାରବାର କରୁଥିବା ବ୍ୟକ୍ତିମାନଙ୍କୁ ସହାୟତା ଓ ପ୍ରତ୍ସାହନ କରୁଥିବା ଜଣାଯାଇଛି । ପୋଲିସ, କ୍ରାଇମ୍ବ୍ରାଞ୍ଚ ଓ ଏସ୍ଟିଏଫର ନଜରରେ ଥିବା ଜଳେଶ୍ୱରର ପ୍ରାୟ ୩୨ଜଣ ସନ୍ଦିଗ୍ଧଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହାର ମୂଳ ଉତ୍ପାଟନ ପାଇଁ ଜଳେଶ୍ୱରରେ ଅବକାରୀ ବିଭାଗ ଓ ପୋଲିସକୁ ଅଧିକ ସଶକ୍ତ କରିବାକୁ ସାଧାରଣରେ ଦାବି ହେଉଛି । ପ୍ରକାଶଯୋଗ୍ୟ ବ୍ରାଉନ୍ ସୁଗର ସଂପର୍କରେ ବିଶେଷ ତଥ୍ୟ ସହିତ କେତେକ ଚିନ୍ତାଶୀଳ ବ୍ୟକ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ, ଅବକାରୀ ବିଭାଗ କମିଶନର ଓ ଯୁଗ୍ମ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଚଢାଉରେ ଜଳେଶ୍ୱର ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଆଇଆଇସି ପ୍ରଦୀପ କୁମାର ମାଝୀ, ସବ୍ଇନିସ୍ପେକ୍ଟର ଦିଲ୍ଲୀପ କୁମାର ସାମଲ, ଏଏସ୍ଆଇ ସତ୍ୟନାରାୟଣ ବଳଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା